ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଉ ୬ ଦିନ ପରେ ବିଜେପୁରରେ ହେବ ଭୋଟ। ତିନି ଦଳର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ଏଥିପାଇଁ ବିଜେପୁର ପ୍ରଚାର ମଇଦାନ ସରଗରମ ହୋଇଯାଇଛି। ତିନି ଦଳର ହେଭିୱେଟ ନେତାଙ୍କ ପ୍ରଚାରରେ ବିଜେପୁର କମ୍ପୁଛି। ନିଜ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେପୁରରେ ତିନି ଦଳର ତୁଙ୍ଗ ନେତାମାନେ ଡେରା ପକାଇଛନ୍ତି।

ପ୍ରତି ପଞ୍ଚାୟତ ଉପରେ ବିଜେଡିର ଫୋକସ୍‌

୨୦୧୯ ନିର୍ବାଚନରେ ୧୧୨ ଆସନ ପାଇ ସରକାର ଗଠନ କରିଥିବା ବିଜେଡି ବିଜେପୁର ଆସନକୁ ପୁଣି ଦଖଲ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ଏଥିପାଇଁ ପ୍ରତି ପଞ୍ଚାୟତକୁ ଫୋକସ୍‌ କରିଛି ବିଜେଡି। ବରିଷ୍ଠ ନେତାମାନଙ୍କୁ ପଞ୍ଚାୟତ ଦାୟିତ୍ୱ ଦେଇ ପ୍ରଚାରକୁ ଜୋରଦାର କରିଛି ଶାସକ ଦଳ।

ଦଳର ବରିଷ୍ଠ ନେତା ତଥା ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମାଙ୍କୁ ବରପାଲି ବ୍ଲକର ଦାୟିତ୍ୱ ଦିଆଯାଇଥିବା ବେଳେ କୃଷି ମନ୍ତ୍ରୀ ଅରୁଣ ସାହୁ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ବିଜେପୁର ବ୍ଲକର ଦାୟିତ୍ୱ ଦିଆଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ପୂର୍ବତନ ସାଂସଦ କଳିକେଶ ସିଂହଦେଓଙ୍କୁ ଗାଇସିଲାଟ ବ୍ଲକର ଦାୟିତ୍ୱ ଦିଆଯାଇଛି। ସେହିପରି ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ଅନନ୍ତ ନାରାୟଣ ଜେନାଙ୍କୁ ବରପାଲି ଏନଏସିର ଦାୟିତ୍ୱ ଦିଆଯାଇଛି।

ଏହି ନେତାମାନେ ଦଳୀୟ କର୍ମୀଙ୍କୁ ନେଇ ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି। ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରୁଛନ୍ତି। ଏହାସହ ରାଜ୍ୟ ସରକାରଙ୍କ ଲୋକପ୍ରିୟ ଯୋଜନା ସମ୍ପର୍କରେ ଭୋଟରଙ୍କୁ ଅବଗତ କରୁଛନ୍ତି। ଏପଟେ ରୀତା ସାହୁ ବି ସମର୍ଥକଙ୍କୁ ନେଇ ଡୋର ଟୁ ଡୋର କ୍ୟାମ୍ପେନ କରିଛନ୍ତି। ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏବଂ ନିଜ ସ୍ୱାମୀ ସୁବଳ ସାହୁଙ୍କ ଅଧୁରା ସ୍ୱପ୍ନ ପୂରଣ କରିବା ପାଇଁ ଆଉ ଥରେ ସୁଯୋଗ ଦେବାକୁ ରୀତା ଭୋଟରଙ୍କୁ ଅପିଲ କରୁଛନ୍ତି।

ବିଜେପିର ଅସ୍ତ୍ର – ନବୀନ କାହିଁକି ଛାଡ଼ିଲେ ବିଜେପୁର?

ବିଜେଡିକୁ ଗତ ନିର୍ବାଚନରେ ଟକ୍କର ଦେଇଥିବା ବିଜେପି ଏଥର ବି କଡା ମୁକାବିଲା କରୁଛି। ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରି ବିଜେପି ବିଜେପୁର ଦଖଲ କରିବାକୁ ଅଣ୍ଟା ଭିଡ଼ିଛି। ଗତ ଦୁଇ ଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସନତ ଗଡ଼ତିଆଙ୍କ ପାଇଁ ରୋଡ ସୋ’ ଏବଂ ସଭା କରି ପ୍ରଚାର ମାହୋଲକୁ ଜମେଇ ଦେଇଥିଲେ। ନବୀନ କାହିଁକି ବିଜେପୁର ଛାଡ଼ିଲେ ବୋଲି ପ୍ରଶ୍ନ କରିଥିଲେ।

ଧର୍ମେନ୍ଦ୍ର କରିଥିବା ପ୍ରଶ୍ନକୁ ବିଜେପି ଏବେ ମୁଖ୍ୟ ପ୍ରସଙ୍ଗ କରିଛି। ନେତା ଯୁଆଡ଼େ ଯାଉଛନ୍ତି ସବୁଠି ଏହି ପ୍ରସଙ୍ଗ ଉଠାଉଛନ୍ତି। ଏହାସହ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ସମସ୍ୟାକୁ ମଧ୍ୟ ବିଜେପି ଅସ୍ତ୍ର କରି ବିଜେଡିକୁ ଘେରିଛି।

ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବରଗଡ଼ ସାଂସଦ ସୁରେଶ ପୂଜାରୀ ଏବଂ ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ ବିଜେପୁର ଦାୟିତ୍ୱରେ ରହିଛନ୍ତି।

୨୦୧୯ ନିର୍ବାଚନରେ ବିଜେପି ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କୁ କଡ଼ା ଟକ୍କର ଦେଇଥିବାରୁ ଏଥର ବିଜେପୁର ଭୋଟର ବିଜେପି ପ୍ରତି ଆସ୍ଥା ପ୍ରକଟ କରିବେ ବୋଲି ଦଳ ଆଶାବାଦୀ ଅଛି।

ପଛରେ କଂଗ୍ରେସ

ବିଜେପୁର ଆସନ ପାଇଁ ପ୍ରଥମେ ପ୍ରାର୍ଥୀ ଘୋଷଣା କରିଥିଲା କଂଗ୍ରେସ। ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ଦିଲ୍ଲୀପ କୁମାର ପଣ୍ଡାଙ୍କୁ ଦଳ ବିଜେପୁରରେ ପ୍ରାର୍ଥୀ କରିଛି। ଆଗୁଆ ପ୍ରାର୍ଥୀ ଘୋଷଣା କରି ଦଳ ଯେମିତି ଅଣ୍ଟା ଭିଡ଼ିଥିଲା ପ୍ରଚାର କ୍ଷେତ୍ରରେ ତାହା ଦେଖିବାକୁ ମିଳିନି।

ବରିଷ୍ଠ ନେତା ପ୍ରକାଶ ଚନ୍ଦ୍ର ଦେବତା, ସତ୍ୟଭୂଷଣ ସାହୁ ଏବଂ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ପ୍ରଚାର ଦାୟିତ୍ୱରେ ରଖିଛି ଦଳ। କିନ୍ତୁ ପ୍ରଚାରରେ କଂଗ୍ରେସ ପଛରେ ପଡ଼ି ଯାଇଥିବା ପରି ମନେହେଉଛି।

ନବୀନ ଓହ୍ଲାଇବେ ପ୍ରଚାର ମଇଦାନକୁ

ବିଜେପି ପ୍ରାର୍ଥୀଙ୍କ ପାଇଁ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିଥିବା ବେଳେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ନିଜେ ନବୀନ ପଟ୍ଟନାୟକ। ସେ ୧୭ ଏବଂ ୧୮ରେ ବିଜେପୁରରେ ପ୍ରଚାର କରିବେ। ହାଇଟେକ୍‌ ବସ୍‌ରେ ବୁଲି ନବୀନ ପ୍ରଚାର କରିବେ।

ନବୀନ ନିଜେ ୨୦୧୯ ନିର୍ବାଚନରେ ବିଜେପୁରରେ ପ୍ରାର୍ଥୀ ହୋଇଥିଲେ। ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ହେଲେ ନବୀନ ବିଜେପୁର ଆସନରୁ ଇସ୍ତଫା ଦେବା ପରେ ଉପ-ନିର୍ବାଚନ ହେଉଛି।

LEAVE A REPLY

Please enter your comment!
Please enter your name here