ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ୱାଳ): ରାଜ୍ୟ ପର୍ଯ୍ୟଟନରେ ସାମିଲ ହୋଇଛି ଆଉ ଏକ ବୃହତ ଉତ୍ସବ। ଦୀର୍ଘ ୪୯ ଦିନ ଧରି ହେବାକୁ ଥିବା ‘ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍’ର ପ୍ରଥମ ଦିନରେ ସୁସଜ୍ଜିତ ଆଲୋକମାଳା ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କୋଣାର୍କକୁ ଏକ ନୂତନ ପରିଚୟ ଦେଇଛି। ଯେ କୌଣସି ବ୍ୟକ୍ତି ରାମଚଣ୍ଡୀ ବେଳାଭୂମୀ ବୁଲିବାକୁ ଯିବ ଗୋଟିଏ ରାତି ରହିଥିଵାକୁ ନିଶ୍ଚିତ ମନେ କରିବ। ସମୁଦ୍ରର ସୁ ସୁ ଶବ୍ଦକୁ ଶୀତନ ପବନ ଏବଂ ବାଲିରେ ଟେଣ୍ଟରେ ରହିବାକୁ ଯେ କେହିବି ଇଛା ପ୍ରକାଶ କରିବ।
ଓଡ଼ିଶାର କଳା, ସଂସ୍କୃତି ଓ ଭାସ୍କର୍ଯ୍ୟକୁ ଦେଶ ବିଦେଶର ଲୋକଙ୍କ ପାଖରେ ପହଞ୍ଚାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ନୂତନ ପ୍ରୟାସ ହେଉଛି କୋଣାର୍କ ଇକୋ ରିଟ୍ରିଟ୍। ଦିନଥିଲା ପର୍ଯ୍ୟଟକମାନେ ନିଜ ସୁରକ୍ଷାରେ ବୁଲିବାକୁ ଯାଉଥିଲେ କିନ୍ତୁ ଏବେ ରାଜ୍ୟ ସରକାର ନିଜେ ବୁଲାଇବେ।
ଡିସେମ୍ବର ୧୪ରୁ ଆରମ୍ଭ ହୋଇଥିବା ‘ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ’ ଜାନୁଆରି ୩୧ରେ ଶେଷ ହେବ। ଏହି ୪୯ ଦିନର ଇକୋ ରିଟ୍ରିଟ୍ରେ ପର୍ଯ୍ୟଟକମାନେ କୋଣାର୍କର ସୌନ୍ଦର୍ଯ୍ୟ ଓ ମନୋରାମ ଦୃଶ୍ୟର ମଜା ନେଇ ପାରିବେ।
ଏଥିରେ ରହିଛି ୫୦ଟି ଶଯ୍ୟା ବିଶିଷ୍ଟ ଆକର୍ଷଣୀୟ ଟେଣ୍ଟ୍। ପର୍ଯ୍ୟଟକଙ୍କ ରହିବା ପାଇଁ ଟେଣ୍ଟ୍ଗୁଡ଼ିକୁ କ୍ଲାସିକ୍ କଟେଜ୍, ଡିଲକ୍ସ କଟେଜ୍, ପ୍ରିମିୟମ କଟେଜ୍, ରୟାଲ୍ କଟେଜ୍ ଓ ପ୍ରେସିଡେନ୍ସିଆଲ୍ ଭିଲ୍ଲା ଆଦିରେ ଶ୍ରେଣୀଭୁକ୍ତ କରାଯାଇଛି। ୫୦ଟି ଅତ୍ୟାଧୁନିକ କଟେଜର ଦର ୭ ହଜାର ଟଙ୍କାରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।
ଏହି ପ୍ୟାକେଜ୍ରେ ଜଣେ ଭୁବନେଶ୍ୱରରୁ ବାହାରିବାଠାରୁ ଆରମ୍ଭ କରି ଖାଦ୍ୟ ପେୟ, ବିଚ୍ ସ୍ପା, ଦୁଃସାହସିକ ଜଳକ୍ରୀଡ଼ା, ନେଚର୍ ଟ୍ରାଏଲ୍ସ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବାର ସୁଯୋଗ ପାଇପାରିବେ।
ଏହି ରିଟ୍ରିଟ୍ରେ ସ୍ୱତନ୍ତ୍ର କଟେଜ୍, ରେସ୍ତୋରାଁ, ବାର, ଫୁଡ୍ କୋର୍ଟ, ହସ୍ତଶିଳ୍ପ ଷ୍ଟଲ ସହ ଜଳ କ୍ରୀଡ଼ା, ପ୍ରାକୃତିକ ସୌନ୍ଦର୍ଯ୍ୟ, ପାରା ସେଲିଂ, ବୋଟିଂ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇପାରିବେ ପର୍ଯ୍ୟଟକ।
ଉତ୍ସବ ସ୍ଥଳରେ ନିର୍ମାଣ ହୋଇଥିବା ବୁକିଂ ବହୁତ ଭଲ ରହିଥିବା ବେଳେ ଗୁଜୁରାଟର କଛରେ ରାନ୍ ଉତ୍ସବ, ଗୋଆ ବିଚ୍ ଫେଷ୍ଟିଭାଲ୍ ଓ ଡାମନଡିୟୁର ବିଚ୍ ଫେଷ୍ଟିଭାଲ୍ ଭଳି ଆୟୋଜିତ ହେଉଥିବା ଏହି ଉତ୍ସବ ପାଇଁ ମୋଟ ୪.୮୨ କୋଟି ଖର୍ଚ୍ଚ ହୋଇଛି।
ଏହି ୪୮ ଦିନ ମଧ୍ୟରେ ପ୍ରତି ଶନିବାର ଦେଶର ଜଣାଶୁଣା ପପ୍ ଷ୍ଟାର, ସେଲେବ୍ରିଟି ଡିଜେ ଓ ବଲିଉଡର କଣ୍ଠଶିଳ୍ପୀମାନେ ମନୋରଞ୍ଜନ କରିବେ। ଉଦଘାଟନୀ ସଂଧ୍ୟାରେ ‘ୟୁଫୋରିଆ’ ବ୍ୟାଣ୍ତ ପକ୍ଷରୁ ସଂଗୀତ ପରିବେଷଣ କରାଯାଇଥିଲା।