ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ବିଶ୍ୱରେ ଆତଙ୍କରାଜ ସୃଷ୍ଟି କରିଥିବା କରୋନା ଭାଇରସ୍ ଏବେ କ୍ରୀଡ଼ା ଜଗତରେ ବି ନିଜର କାୟା ବିସ୍ତାର କରିଛି। ଫଳସ୍ୱରୂପ ବିସିସିଆଇ ଶନିବାର ସମସ୍ତ ପ୍ରକାର ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟକୁ ବାତିଲ୍ କରିବାକୁ ବାଧ୍ୟ ହୋଇଛି।
ବିସିସିଆଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି ଟୁର୍ଣ୍ଣାମେଣ୍ଟକୁ ବନ୍ଦ କରିଦେଇଛି। ଏହି ଟୁର୍ଣ୍ଣାମେଣ୍ଟ ଭିତରେ ରଣଜୀ ଟ୍ରଫି ଚାମ୍ପିୟନ ସୌରାଷ୍ଟ୍ର ଓ ଅବଶିଷ୍ଟ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ଇରାନୀ କପ୍ ସାମିଲ୍ ଅଛି। ଏଥିସହିତ ସିନିୟର ମହିଳା ୱାନଡେ ନକଆଉଟ୍, ଅଣ୍ଡର ୧୯ ମହିଳା ୱାନଡେ ନକଆଉଟ୍, ଅଣ୍ଡର ୨୩ ମହିଳା ନକଆଉଟ୍ ମ୍ୟାଚକୁ ବାତିଲ୍ କରିଦିଆଯାଇଛି।ଏହାପୂର୍ବରୁ ବିସିସିଆଇ ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲକୁ ମଧ୍ୟ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି। ଏପରିକି ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ କି ନାହିଁ ସେନେଇ ମଧ୍ୟ କୌଣସି ନିର୍ଦ୍ଧିଷ୍ଟ ସୂଚନା ମିଳିପାରିନାହିଁ। ଏଥିସହ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଓ ତୃତୀୟ ଦିନିକିଆକୁ ମଧ୍ୟ ବାତିଲ୍ କରିଦିଆଯାଇଛି।
ସାରା ଭାରତରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି।