ଭାସ୍କର ପରିଚ୍ଛା
ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ଅନୁଷ୍ଠିତ ହୋଇଛି। ଏହି ଶିଳାନ୍ୟାସକୁ ରାମ ମନ୍ଦିର ନିର୍ମାଣ ଆନ୍ଦୋଳନର ଏକ ତାର୍କିକ ପରିଣତି କହିଲେ ଯଥେଷ୍ଟ ହେବ ନାହିଁ। ଆର୍ଏସ୍ଏସ୍-ବିଜେପିର ଏହି ଆନ୍ଦୋଳନର ଲକ୍ଷ୍ୟ କେବଳ ମନ୍ଦିର ନିର୍ମାଣରେ ସୀମିତ ନଥିଲା। ମନ୍ଦିର ନିର୍ମାଣର ଲକ୍ଷ୍ୟ ଥିଲା ଦେଶର ରାଜନୈତିକ ମୁଖ୍ୟଧାରାକୁ ଏକ ସାଂସ୍କୃତିକ ରାଷ୍ଟ୍ରବାଦର ବିଚାର ଦ୍ୱାରା ପରିଚାଳିତ କରିବା।
ଧାର୍ମିକ ପ୍ରତିକାତ୍ମକତା
ଉଲ୍ଲେଖ କରାଯାଇପାରେ ଯେ, ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ପୂର୍ବରୁ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଯୁଗ୍ମ ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସାବଲେ କହିଥିଲେ ଯେ, “ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ଧାର୍ମିକ ପ୍ରତୀକାତ୍ମକତା ଭିତରେ ସୀମିତ ରଖିବା ପରିବର୍ତ୍ତେ ଏହାକୁ ଏକପ୍ରକାର ସାଂସ୍କୃତିକ ପୁନଃଜାଗରଣ ଓ ରାଷ୍ଟ୍ରବାଦ ଭଳି ଦେଖାଯିବା ଆବଶ୍ୟକ।”
ତାଙ୍କର କହିବା କଥା ହେଉଛି ଦେଶରେ ସାଂସ୍କୃତିକ ଜାତୀୟତାବାଦ ପାଇଁ ରାମ ମନ୍ଦିର ନିତାନ୍ତ ଦରକାର। କାରଣ ବହୁ ବର୍ଷ ଧରି ଦେଶରେ ଇଂରେଜୀ ମାନସିକତା ଯେଉଁଭଳି ଆସ୍ଥାନ ଜମାଇ ରହିଥିଲା ତାହା ଶେଷ ହେବା ଦରକାର। ହୋସାବଲେ ଏକଥା ମଧ୍ୟ କହିଥିଲେ ସ୍ୱାଧୀନତା ପରେ ହିଁ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଉଚିତ ଥିଲା, ଯେମିତିକି ଗୁଜରାଟରେ ସୋମନାଥ ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିଲା।
ଆର୍ଏସ୍ଏସ୍ର ସ୍ୱପ୍ନ
ସୁତରାଂ, ବିଜେପି ଓ ଆର୍ଏସ୍ଏସ୍ର ଏହି ବିରାଟ ସ୍ୱପ୍ନର ପୃଷ୍ଠଭୂମିରେ ଆମେ ଅଗଷ୍ଟ ୫ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଘଟଣାକୁ ଦେଖିବା ଦରକାର। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଯାହାକି ନିଜକୁ କେବଳ ଏକ ସାଂସ୍କୃତିକ ସଂଗଠନ ଭାବରେ ପରିଚିତ କରି ଆସିଛି – ଅଯୋଧ୍ୟା ଶିଳାନ୍ୟାସ ପରେ ବେଶ୍ କିଛି ଉଦ୍ଦେଶ୍ୟ ହାସଲ କରିପାରିଛି ବୋଲି ଧରିବାକୁ ହେବ।
ଠିକ ସେହି ଯୁକ୍ତିରେ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଏକକ ଭାବରେ ବିଜେପି ଯେଉଁ ବିଶାଳକାୟ ରାଜନୈତିକ ଅଭିପ୍ରାୟ ରଖି ଆସିଥିଲା ସେଥି ମଧ୍ୟରୁ ମନ୍ଦିର ନିର୍ମାଣ ଥିଲା ଗୋଟିଏ। ଅନ୍ୟ ଦୁଇଟି ଲକ୍ଷ୍ୟ ଥିଲା ଦେଶରେ ସମାନ ଆଚାର ସଂହିତା ପ୍ରବର୍ତ୍ତନ ଓ ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦ କରିବା।
ଏଇଠୁ ଆରମ୍ଭ
ଆମେ ଯଦି ଟିକିଏ ପଛକୁ ଚାହିଁବା, ଭାରତରେ ସାଂସ୍କୃତିକ ରାଷ୍ଟ୍ରବାଦ ରାଜନୈତିକ ମୁଖ୍ୟଧାରାରେ ପରିବର୍ତ୍ତିତ ହେଲା ଯେତେବେଳେ ଏନ୍ଡିଏ ଦ୍ଵିତୀୟ ଥର ବହୁମତ ପାଇ ସରକାର ଗଠନ କଲା। କ୍ଷମତାକୁ ଫେରିବାର ମାତ୍ର ବର୍ଷେ ଦେଢ଼ ବର୍ଷ ମଧ୍ୟରେ ବିଜେପି ପକ୍ଷରୁ କୁହାଗଲା ଯେ ଉକ୍ତ ତିନୋଟିଯାକ ଲକ୍ଷ୍ୟ ପୂରଣ ହୋଇପାରିଛି ବୋଲି ଦାବି କରିବା ସ୍ଥିତିରେ ଦଳ ପହଞ୍ଚିଛି।
କରୋନା ବୈଶ୍ଵିକ ମହାମାରୀର ଭୀଷଣ ପ୍ରକୋପ ଭିତରେ ବି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କେବଳ ଏତିକି ସୂଚନା ଦେଉଛି ଯେ ରାମ ମନ୍ଦିର ନିର୍ମାଣ ପାଇଁ ଯାହା ଇଚ୍ଛା ତାହା କରିବାକୁ ସରକାର ପ୍ରସ୍ତୁତ ଏବଂ ଏଥିରେ କୌଣସି ବାଧାବିଘ୍ନକୁ ଦଳ ଓ ସରକାର କଦାପି ପ୍ରଶ୍ରୟ ଦେବେ ନାହିଁ।
୫ର ମାହାତ୍ମ୍ୟ
ଶିଳାନ୍ୟାସ ପାଇଁ ଅଗଷ୍ଟ ୫ ତାରିଖକୁ ଦିନ ଧାର୍ଯ୍ୟ କରିବା ପଛରେ ଆହୁରି ଅନେକ କାରଣ ମଧ୍ୟ ଥାଇପାରେ। ତେବେ ଏହି ନିର୍ଦ୍ଦିଷ୍ଟ ଦିନଟିକୁ ଚୟନ କରିବା ପଛରେ ଗୋଟିଏ ବଡ଼ କାରଣ ହେଉଛି ଯେ ଠିକ ସେହି ଅଗଷ୍ଟ ୫ ତାରିଖରେ ବର୍ଷକ ତଳେ ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଅଧୀନରେ ମିଳୁଥିବା ବିଶେଷ ଅଧିକାରକୁ ଉଚ୍ଛେଦ କରି ଦିଆଯାଇଥିଲା। ଆହୁରି ମଧ୍ୟ ପାଖାପାଖି ସେହି ତାରିଖରେ ତିନ୍ ତଲାକ ଭଳି କୁପ୍ରଥାକୁ ଏକ ଦଣ୍ଡନୀୟ ଅପରାଧ ବୋଲି ଘୋଷଣା କରାଯାଇଥିଲା। ଏହି ତିନୋଟି ବଡ଼ ଲକ୍ଷ୍ୟ ବ୍ୟତୀତ ସମଗ୍ର ଦେଶରେ ସମାନ ଆଚାର ସଂହିତା ପ୍ରବର୍ତ୍ତନ ପାଇଁ ମଧ୍ୟ କାମ ଜୋରସୋରରେ ଆଗେଇ ଚାଲିଛି ବୋଲି ଶୁଣିବାକୁ ମିଳୁଛି।ମୋଟାମୋଟି କହିବାକୁ ଗଲେ, ସାଂସ୍କୃତିକ ରାଷ୍ଟ୍ରବାଦର ମୂଳଦୁଆକୁ ସୁଦୃଢ଼ କରିବା ନିମନ୍ତେ କ୍ଷମତା ହାସଲ ସହ ସେହି ବିଚାରଧାରାର ସମସ୍ତ ଉପାଦାନଗୁଡ଼ିକ ପାଇଁ ସାମାଜିକ ମତୈକ୍ୟ ସୃଷ୍ଟି କରିବା ହେଉଛି ବିଜେପିର ଶେଷ ଲକ୍ଷ୍ୟ। ବାସ୍ତବିକ କଥା ହେଲା, ଏହି ଲକ୍ଷ୍ୟ ପୂରଣ ଦିଗରେ ବିଶ୍ୱର ଅନ୍ୟ ସମାନ ବିଚାରଧାରା ସମ୍ପନ୍ନ ଦେଶଗୁଡ଼ିକ ତୁଳନାରେ ବିଜେପି ଢେର ଆଗରେ ରହିଛି ଓ ସେଗୁଡ଼ିକଠାରୁ ଅଧିକ ସଫଳତା ବି ହାସଲ କରି ପାରିଛି।
ବିଦେଶୀ ନମୁନା
ସାଂସ୍କୃତିକ ରାଷ୍ଟ୍ରବାଦର ପରିକଳ୍ପନା ଓ ଏହାକୁ ସାକାର କରିବା ପାଇଁ ଯେଉଁ ସବୁ ଦେଶ ଲାଗିପଡ଼ିଥିଲେ ସେମାନଙ୍କର ଉଦାହରଣ ଦିଆଯାଇପାରେ। ୧୯୭୯ରେ ଶିଆ ମୁସଲମାନ-ବହୁଳ ଇରାନରେ ଘଟିଥିବା ଇସ୍ଲାମୀୟ କ୍ରାନ୍ତି ସାଂସ୍କୃତିକ ରାଷ୍ଟ୍ରବାଦର ଏକ ବଡ଼ ଦୃଷ୍ଟାନ୍ତ। ଏହାର ପ୍ରଭାବରେ ଆସିଥିବା ସାଉଦି ଆରବରେ ୱାହାବିଙ୍କ ଉତ୍ଥାନକୁ ମଧ୍ୟ ସେହି ଦୃଷ୍ଟିରୁ ବିଚାରକୁ ନିଆଯାଇପାରେ। ଅବଶ୍ୟ ୱାହାବିଙ୍କ ପ୍ରଭାବ ବିସ୍ତାରର କୁପରିଣତି ବି ବିଶ୍ୱକୁ ଭୋଗିବାକୁ ହୋଇଥିଲା କାରଣ ଏହା ପରେ ଅଲ କାଏଦା ଓ ଆଇଏସଏସ ଭଳି ଉଗ୍ରବାଦୀ ସଂଗଠନ ଜନ୍ମ ନେଇଥିଲେ ଏବଂ ସେଠି ରାଷ୍ଟ୍ରବାଦ ଆଉ ଦେଖିବାକୁ ମିଳି ନଥିଲା।
ୟୁରୋପୀୟ ଦେଶଗୁଡ଼ିକରେ ମଧ୍ୟ ସାଂସ୍କୃତିକ ରାଷ୍ଟ୍ରବାଦର ନମୁନା ଦେଖିବାକୁ ମିଳେ। ଜର୍ମାନୀରେ ଖ୍ରୀଷ୍ଟିଆନ ଡେମୋକ୍ରାଟିକ ୟୁନିଅନ ଭଳି ପ୍ରୟୋଗ ମଧ୍ୟ ବେଶି ଦିନ ତିଷ୍ଠି ରହି ପାରିଲା ନାହିଁ। କ୍ରମଶଃ ଏଠି ଧାର୍ମିକ ପରିଚୟ ପଛକୁ ଠେଲି ହୋଇ ଯାଇଥିଲା ଏବଂ ସରକାର କ୍ଷମତାକୁ ଆସିବା ପରେ ମଧ୍ୟ କ୍ଷମତାସୀନ ଦଳର ସ୍ଥିତି ଅନ୍ୟ ରାଜନୈତିକ ଦଳର ସ୍ଥିତି ସହିତ ପ୍ରାୟ ସମାନ ହୋଇ ରହିଛି।
ବିସ୍ତାରିତ ପ୍ରଭାବ
ତେବେ ଏଠି ଭାରତରେ ଏହା ଠିକ ଓଲଟା ହୋଇଛି। ସାଂସ୍କୃତିକ ରାଷ୍ଟ୍ରବାଦ ବା ବିଚାରଧାରାର ପ୍ରଭାଵ ରାଜନୀତି, ଚଳଚ୍ଚିତ୍ର, ମିଡିଆ, ଟେକ୍ନୋଲୋଜି ଏପରିକି ସାଧାରଣ ଜୀବନରେ ମଧ୍ୟ ଦେଖିବାକୁ ମିଳିଛି। ଏହି କାରଣରୁ ଲଗାତାର ଦୁଇ ଥର କ୍ଷମତାକୁ ଆସିବା ପରେ ନିଜ ପରିକଳ୍ପିତ ଏଜେଣ୍ଡାକୁ ଆଗେଇ ନେବାରେ ବିଜେପିକୁ କୌଣସି ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡିନାହିଁ।
ଅବଶ୍ୟ ଏହି କାର୍ଯ୍ୟସୂଚୀକୁ ବାସ୍ତବ ରୂପ ଦେବାବେଳେ କେତେକ ଆହ୍ୱାନ ବି ବିଜେପି ପାଖରେ ଆସି ପହଞ୍ଚିଛି। ଯେଉଁମାନେ ଏହି ସାଂସ୍କୃତିକ ରାଷ୍ଟ୍ରବାଦର ରାସ୍ତାରେ ଉପେକ୍ଷିତ ହୋଇଛନ୍ତି ଅଥବା ଯେଉଁଠି ଓ ଯେଉଁ ରାଜ୍ୟରେ ଅଣବିଜେପି ସରକାର ରହିଛି ସେଠାରେ ବିଜେପିକୁ କଡ଼ା ପରୀକ୍ଷାର ସାମ୍ନା କରିବାକୁ ପଡୁଛି।
ଏଣୁ, ଅପେକ୍ଷା କରି ଦେଖିବାର କଥା ଆଗାମୀ ଦିନରେ ଏହି ଚ୍ୟାଲେଞ୍ଜକୁ ବିଜେପି କେମିତି ଗ୍ରହଣ କରୁଛି ଓ ସାଂସ୍କୃତିକ ପୁନଃଜାଗରଣ କେତେଦୂର ଆଗଉଛି।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡିଶାଲାଇଭ୍ର ପରାମର୍ଶଦାତା ସମ୍ପାଦକ)