ଓଡ଼ିଶାଲାଇଭ୍ ବ୍ୟୁରୋ

ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନ ପକ୍ଷରୁ ‘କରୋନା ସମୟରେ ଜୀବନ’ ଶୀର୍ଷକ ଆଧାରିତ ଏକ ଫଟୋବୁକ୍ ଉନ୍ମୋଚିତ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟ୍ଟାର୍ଜୀ ଏହାକୁ ଉନ୍ମୋଚନ କରିଥିଲେ। ଫେସବୁକ ଲାଇଭ ଜରିଆରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

“କୋଭିଡ ୧୯ ଭଳି ଏକ ଅଦ୍ୱିତୀୟ ମହାମାରୀ ଏବଂ ଏହାର ବିଭିନ୍ନ ଦିଗ ସମ୍ଵନ୍ଧୀୟ କିଛି ରେକର୍ଡ ଆମ ପାଖରେ ରହିବା ଆବଶ୍ୟକ। ତେଣୁ ଏହି ବହିରେ ମହାମାରୀ ସମୟର ବିଭିନ୍ନ ଦିଗକୁ ଫଟୋ ଆକାରରେ ସ୍ଥାନ ଦିଆଯାଇଛି। ଯଦି କେହି ମହାମାରୀରେ କ’ଣ ହୋଇଥିଲା ଜାଣିବାକୁ ଚାହିଁବେ, ଏହି ଫଟୋବୁକ୍‌ଟି ତାଙ୍କୁ ବିଶେଷ ସାହାଯ୍ୟ କରିବ”, କହିଛନ୍ତି ଆଇଆଇଏମସିର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟ୍ଟାର୍ଜୀ।ସୋସିଆଲ ମିଡିଆ, ବିଭିନ୍ନ ଖବରକାଗଜ ଏବଂ ଓ୍ଵେବସାଇଟ୍ ଆଦିରୁ କରୋନା ସମୟର କିଛି ଫଟୋ ସଂଗ୍ରହ କରାଯାଇ ଏହି ପୁସ୍ତକରେ ପ୍ରକାଶ କରାଯାଇଛି। ଏଥିସହିତ ଦେଶର କେତେକ ଜଣାଶୁଣା ସାମ୍ଵାଦିକ ବରିଷ୍ଠ ଫଟୋଗ୍ରାଫରମାନଙ୍କଠାରୁ ମଧ୍ୟ ଫଟୋ ସଂଗ୍ରହ କରାଯାଇ ବହିରେ ସ୍ଥାନ ଦିଆଯାଇଛି।

“ହୁଏତ ଆଗାମୀ ଦଶରୁ ପନ୍ଦର ବର୍ଷ ଭିତରେ ଅନେକ କରୋନା ସମୟକୁ ଭୁଲିଯିବେ। କିନ୍ତୁ ଗୋଟିଏ ଫଟୋ ହଜାରେ ଶବ୍ଦ କହିଥାଏ। ତେଣୁ କୋଭିଡ ମହାମାରୀ ସମୟ ଏବଂ ସମାଜ ଉପରେ ଏହା ପକାଇଥିବା ପ୍ରଭାବକୁ ଏହି ଫଟୋବୁକ୍ ମନେ ପକାଇଦେବ”, କହିଛନ୍ତି ଆଇଆଇଏମସିର ଆସିଷ୍ଟାଣ୍ଟ ପ୍ରଫେସର ଜ୍ୟୋତିପ୍ରକାଶ ମହାପାତ୍ର।ଆଇଆଇଏମସି ଢେଙ୍କାନାଳର ଏକାଡେମିକ କୋ-ଅଡିନେଟର ଜିତେନ୍ଦ୍ର ପତି ଏହି ଫଟୋବୁକ୍‌ର କଭର ଏବଂ ଲେ-ଆଉଟ ଡିଜାଇନିଂ କରିଛନ୍ତି। ତେବେ ଏହାକୁ ବିକ୍ରି କିମ୍ଵା ବଣ୍ଟନ ଉଦ୍ଦେଶ୍ୟରେ କରାଯାଇ ନଥିବା ସଂସ୍ଥାନ ପକ୍ଷରୁ କୁହାଯାଇଛି। ଏହି ଫଟୋବୁକ୍‌କୁ ସଂସସ୍ଥାନର ପାଠାଗାରରେ ରଖାଯିବ। ଫଳରେ ଏଠାକୁ ଆସୁଥିବା ପରିଦର୍ଶକମାନେ ଏହାକୁ ପଢ଼ିପାରିବେ ଏବଂ କରୋନା ସମୟର ଦୃଶ୍ୟକୁ ମନେପକାଇ ପାରିବେ।

ଏହି କାର୍ଯ୍ୟକ୍ରମକୁ ସଂସ୍ଥାନର ଆସିଷ୍ଟାଣ୍ଟ ଫ୍ରଫେସର ସମ୍ଵିତ ପାଲ ପରିଚାଳନା କରିଥିଲେ।

‘କରୋନା ସମୟର କାର୍ଟୁନ’ ଶୀର୍ଷକକୁ ନେଇ ଆସନ୍ତା ମାର୍ଚ୍ଚ ୨୨ରେ ସଂସ୍ଥାନ ପକ୍ଷରୁ ଆଉ ଏକ ଫଟୋବୁକ୍ ଉନ୍ମୋଚନ କରାଯିବା ନେଇ ଯୋଜନା ରହିଛି।

LEAVE A REPLY

Please enter your comment!
Please enter your name here