ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଡିଜାଷ୍ଟର ରାପିଡ୍ ଆକ୍ସନ ଫୋର୍ସ ବା ଓଡ୍ରାଫର ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶା ପୋଲିସ ବିଭିନ୍ନ ପଦକ୍ଷେପ ନେବାକୁ ଯୋଜନା ପ୍ରସ୍ତୁତ କରିଛି। ଏଥିରେ ଆଗକୁ ଆସୁଥିବା ବିପର୍ଯ୍ୟୟଗୁଡ଼ିକର ସାମ୍ନା କରିବା ପାଇଁ ଓଡ୍ରାଫ ଟିମକୁ ଅଧିକ ଜ୍ଞାନ କୌଶଳ ଶିକ୍ଷା ଓ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦିଆଯିବ।
ବିପର୍ଯ୍ୟୟ ପରିଚାଳନା ବେଳେ ଯେପରି ଅଧିକ ଦକ୍ଷତାର ସହ ଓଡ୍ରାଫ ଟିମ କାମ କରିପାରିବ ଏଥିପାଇଁ ଏଭଳି ପଦକ୍ଷେପ ନେବାକୁ ଓଡ଼ିଶା ପୋଲିସ ପକ୍ଷରୁ ଯୋଜନା କରାଯାଇଥିବା କହିଛନ୍ତି ଆଇନ ଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠୱା। ଏଥିପାଇଁ ଓଡ୍ରାଫ ଟିମକୁ ଅନ୍ୟ ରାଜ୍ୟକୁ ପଠାଯାଇ ସେଠାରେ ବିଶେଷ ଜ୍ଞାନ ଥିବା ଏଜେନ୍ସି ପାଖରେ ସେମାନଙ୍କୁ ତାଲିମ ଦିଆଯିବ। କର୍ମଚାରୀଙ୍କ ଦକ୍ଷତା ବିକାଶ ସହିତ ଆବଶ୍ୟକୀୟ ଭିତ୍ତିଭୂମି ବିକାଶ ବି କରାଯିବ ବୋଲି ଜେଠୱା କହିଛନ୍ତି।ବିଗତ କିଛି ବର୍ଷ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏକ ଦକ୍ଷ ଟିମ ଭାବେ ଓଡ୍ରାଫ ସୁନାମ ଅର୍ଜନ କରିଛି। ଓଡ଼ିଶା ପୋଲିସରୁ ଓଡ୍ରାଫକୁ କର୍ମଚାରୀ ଡେପୁଟେସନରେ ଆସିଥାନ୍ତି। ଏଡିଜି ଲ’ ଆଣ୍ଡ ଅର୍ଡର ଅଧୀନରେ ଏମାନେ କାମ କରିଥାନ୍ତି। ଓଡ଼ିଶାରେ ଏବେ ଓଡ୍ରାଫର ୨୦ଟି ୟୁନିଟ ଅଛି। ପ୍ରାୟ ଏକ ହଜାର ପୋଲିସ କର୍ମଚାରୀଙ୍କୁ ନେଇ ଗଠିତ ଓଡ୍ରାଫ ଟିମ ସ୍ଵତନ୍ତ୍ର ରିଲିଫ କମିସନରଙ୍କ ଅଫିସ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ ସମ୍ପାଦନ କରିଥାନ୍ତି।
୧୯୯୯ ମହାବାତ୍ୟା ପରେ ଓଡ଼ିଶା ସରକାର ଏହି ଟିମ ଗଠନ କରିବା ଆରମ୍ଭ କରିଥିଲେ। ୨୦୦୧ରେ ଏହା ସମ୍ପୂର୍ଣ୍ଣ ହେବା ସହ ଏବେ ବିଭିନ୍ନ ପ୍ରକାର ବିପର୍ଯ୍ୟୟ ମୁକାବିଲା କରିବାରେ ଏହି ଟିମ୍ ସକ୍ଷମ ହୋଇ ପାରିଛି।