ଓଡ଼ିଶାଲାଇଭ୍ ବ୍ୟୁରୋ
ଆକାଶ ମାର୍ଗରେ ବାୟୁବୀରଙ୍କ ଶକ୍ତି ପ୍ରଦର୍ଶନ। ଭୁବନେଶ୍ୱର କୁଆଖାଇ ପଠା ବାଲିଯାତ୍ରା ପଡ଼ିଆରେ ଶୁକ୍ରବାର ଦିନ ବାୟୁସନା ପକ୍ଷରୁ ଆୟୋଜିତ ସୂର୍ଯ୍ୟକିରଣ ସୋ’ ଦେଖିବାକୁ ଶହ ଶହ ଲୋକଙ୍କ ଭିଡ଼ି ଜମିଥିଲା। କର୍ଣ୍ଣାଟକରୁ ଆସିଥିବା ୯ଟି ହକ୍ ବିମାନରେ ବାୟୁବୀରମାନେ କରିଥିଲେ ଚିତାକର୍ଷକ ସୋ’ ପ୍ରଦର୍ଶନ। ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇଥିଲା ସୂର୍ଯ୍ୟକିରଣ ସୋ’। ଏୟାର ସୋ’ ପାଇଁ ଘଟଣାସ୍ଥଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପରିସ୍ଥିତି ନିୟନ୍ତ୍ରଣ ଲାଗି ନିୟୋଜିତ ହୋଇଥିଲେ ଓଡ୍ରାଫ ଟିମ୍ ସହ ୪୫ ସେକ୍ସନ ଫୋର୍ସ। ସୂର୍ଯ୍ୟକିରଣ ଏୟାର ସୋ’ ଦେଖିବା ପାଇଁ ପହଞ୍ଚିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।
ବାୟୁସେନା ପକ୍ଷରୁ ପ୍ରଦର୍ଶିତ କରାଯାଇଥିବା ଚିତାକର୍ଷକ ଏୟାର ସୋ’ ଦେଖିବା ଲାଗି ଆଜି ବାଲିଯାତ୍ରା ପଡ଼ିଆ ଓ ଆଖପାଖ ଅଞ୍ଚଳରେ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ଵ ଲୋକ ଏକାଠି ହୋଇଥିଲେ। ଏୟାର ସୋ’ ପାଇଁ କୁଆଖାଇ ନଦୀର ଉଭୟ ପାର୍ଶ୍ୱରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
ସୂଚନା ଅନୁସାରେ ଆକାଶ ମାର୍ଗରେ ବାୟୁବୀରମାନେ ୧୮ରୁ ୨୦ ମିନିଟ ସୋ’ ପ୍ରଦର୍ଶନ କରିଥିଲେ। ଏହାକୁ ଦୁଇଟି ପର୍ଯ୍ୟାୟରେ ଭାଗ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୫୦୦ରୁ ୧୦୦୦ଫୁଟ ଉଚ୍ଚତାରେ ସବୁ ବିମାନ ଉଡ଼ାଣ ଭରିବା ସହ ଦ୍ୱିତୀୟ ପର୍ଯ୍ୟାୟରେ ଗୋଟିକ ପରେ ଗୋଟିଏ ବିମାନ ଆକାଶମାର୍ଗରେ ଚିତାକର୍ଷକ ସୋ’ ପ୍ରଦର୍ଶନ କରିଥିଲେ। ସୂର୍ଯ୍ୟକିରଣର ଏହି ସ୍ୱତନ୍ତ୍ର ସୋ’ ପାଇଁ ୬ ମାସ ଧରି ଅଭ୍ୟାସ କରିବାକୁ ପଡ଼ିଥିବା ଜଣାପଡ଼ିଛି।
Tags: #AirShow #Bhubaneswar #IndianAirForce #SuryaKiranAirShow