ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନରେ କରୋନା ମହାମାରୀ ଏବେ ବଢିବା ଆରମ୍ଭ କରିଛି। କେବଳ ଚୀନ ନୁହେଁ ଜାପାନ, ଆମେରିକା, କୋରିଆ ଓ ବ୍ରାଜିଲରେ ମଧ୍ୟ ସଂକ୍ରମଣ ବଢ଼ୁଛି। ଏହି ସବୁକୁ ଦୃଷ୍ଟିରେ ରଖି ଭାରତ ସରକାର ଆଗୁଆ ସତର୍କ ହୋଇଯାଇଛନ୍ତି। ଏକାଧିକ ଦେଶରେ ପୁଣିଥରେ ମହାମାରୀ କରୋନା ତା’ର କାୟା ବିସ୍ତାର କରିବା ଆରମ୍ଭ କରିବାକୁ ଦେଖି ଗତକାଲି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି। କରୋନାର ଭ୍ୟାରିଏଣ୍ଟଗୁଡ଼ିକ ଉପରେ ନଜର ରଖିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି।

ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ସମସ୍ତ ରାଜ୍ୟର ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ସହ ଦେଶର କୋଭିଡ-୧୯ ସ୍ଥିତିର ସମୀକ୍ଷା କରିଛନ୍ତି। ଏହାପୁର୍ବରୁ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ସାଂସଦ ରାହୁଲ୍ ଗାନ୍ଧୀ ଓ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍‌ଲଟ୍‌ଙ୍କୁ ଚିଠି ଲେଖିଛନ୍ତି। କୋଭିଡ୍‌ ନିୟମ ମାନନ୍ତୁ ନଚେତ ‘ଭାରତ ଯୋଡ଼ୋ ଯାତ୍ରା’ ବାତିଲ କରନ୍ତୁ ବୋଲି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି।

ଚୀନ୍‌ରେ କୋଭିଡ୍‌ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବ୍ୟାପୁଥିବାରୁ ସ୍ଵାସ୍ଥ୍ୟମନ୍ତ୍ରୀ ଭାରତରେ ଜନସ୍ଵାସ୍ଥ୍ୟ ଜରୁରୀ ପରିସ୍ଥିତି ପ୍ରତି ଦୃଷ୍ଟି ଦେଉଥିବା ଉକ୍ତ ପତ୍ରରେ ଲେଖାଯାଇଛି। ଯାତ୍ରା ସମୟରେ ମାସ୍କ ଓ ସାନିଟାଇଜର୍‌ ବ୍ୟବହାର ଉପରେ ସ୍ଵାସ୍ଥ୍ୟମନ୍ତ୍ରୀ ଗୁରୁତ୍ଵାରୋପ କରିବା ସହିତ, କେବଳ ଟିକା ନେଇଥିବା ଲୋକ ଯାତ୍ରାରେ ଭାଗ ନେବା ଉଚିତ ବୋଲି କହିଛନ୍ତି। ଚିଠିରେ ସେ ଅନୁରୋଧ କରି ଲେଖିଛନ୍ତି, ଯାତ୍ରାରେ ଯଦି କୋଭିଡ୍‌ ନିୟମ ମାନିବା ସମ୍ଭବ ହେଉନାହିଁ, ତେବେ ଜନସ୍ଵାସ୍ଥ୍ୟ ଜରୁରୀ ପରିସ୍ଥିତି ପ୍ରତି ଦୃଷ୍ଟି ଦେଇ ଜାତୀୟ ସ୍ଵାର୍ଥ ଦୃଷ୍ଟିରୁ ‘ଭାରତ ଯୋଡ଼ୋ ଯାତ୍ରା’କୁ ବାତିଲ କରନ୍ତୁ।

ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ‘ଭାରତ ଯୋଡ଼ୋ ଯାତ୍ରା’ ଏବେ ରାଜସ୍ଥାନରେ ଚାଲିଛି। ତାମିଲନାଡୁର କନ୍ୟାକୁମାରୀରୁ ବାହାରିଥିବା ଏହି ପଦଯାତ୍ରା କାଶ୍ମୀରଠାରେ ଶେଷ ହେବ। ବର୍ତମାନ ପର୍ୟ୍ୟନ୍ତ ଏହି ଯାତ୍ରା ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ରରେ ଶେଷ ହୋଇ ରାଜସ୍ଥାନରେ ଜାରି ରହିଛି।

Tags: #RahulGandhi #BharatJodoYatra #CentralHealthMinister #Covid19 #Covid19Protocol #India

LEAVE A REPLY

Please enter your comment!
Please enter your name here