ଓଡ଼ିଶାଲାଇଭ୍ ବ୍ୟୁରୋ
ସାଲେପୁର ଦୁଷ୍କର୍ମ ପୀଡ଼ିତା ଆଖି ବୁଜିବା ପରେ ତାଙ୍କ ଗାଁକୁ ସବୁ ଦଳର ନେତାଙ୍କ ଧାଡ଼ି ଲମ୍ବିଛି।
୮ ଦିନର ସଂଘର୍ଷ ପରେ କଟକ ବଡ଼ ମେଡିକାଲରେ ଶେଷରେ ଆଖି ବୁଜିଛନ୍ତି ସାଲେପୁରର ଦୁଷ୍କର୍ମ ପୀଡ଼ିତା। ଝିଅର ମୃତ୍ୟୁକୁ ନେଇ ଘରେ ଶୋକର ଛାୟା ଖେଳି ଯାଇଛି। ଶୋକ ସନ୍ତପ୍ତ ପରିବାରକୁ ସବବେଦନା ଜଣାଇବା ପାଇଁ ସବୁ ଦଳର ନେତା ଏବେ ସାଲେପୁର ଗୁହାଁ ହୋଇଛନ୍ତି। ଶାସକ ବିଜେଡିଠାରୁ ଆରମ୍ଭ କରି ବିରୋଧୀ ବିଜେପି ଏବଂ କଂଗ୍ରେସର ରାଜ୍ୟ ଓ ଜିଲ୍ଲା ସ୍ତରର ନେତା ପୀଡ଼ିତାଙ୍କୁ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।
ରବିବାର ସାଲେପୁର ପୀଡ଼ିତା ଆରପାରିକୁ ଚାଲିଯିବା ପରେ ଗାଁରେ ତାଙ୍କ ମୃତଦେହକୁ କବର ଦିଆଯାଇଛି। ଝିଅର ମୃତ୍ୟୁକୁ ନେଇ ବାପା, ମା’ ଏବଂ ଭଉଣୀ କାନ୍ଦି କାନ୍ଦି ନୟାନ୍ତ ହୋଇଗଲେଣି। ରବିବାର ରାତିରୁ ଘରେ ପଡ଼ିଥିବା କାନ୍ଦ ବୋବାଳି ବନ୍ଦ ହେଉନି। ଆଉ ଏହି ସମୟରେ ରାଜନୀତିକ ଫାଇଦା ନେବା ପାଇଁ ନେତାମାନେ ଗାଁରେ ଭିଡ଼ ଜମାଇଛନ୍ତି।
ସୋମବାର ସକାଳେ ପ୍ରଥମେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ସାଲେପୁରରେ ପହଞ୍ଚିଥିଲେ। ପୀଡ଼ିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ଏହି ଟିମ୍ରେ ସାମିଲ ହୋଇଥିଲେ ବରିଷ୍ଠ କଂଗ୍ରେସ ନେତ୍ରୀ ବିଜୟଲକ୍ଷ୍ମୀ ସାହୁ, ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା ଏବଂ ପୂର୍ବତନ ମନ୍ତ୍ରୀ ସେକ୍ ମତଲୁବ୍ ଅଲ୍ଲୀ। ପୀଡ଼ିତାଙ୍କ ପରିବାରକୁ ଭେଟିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ କଂଗ୍ରେସ ନେତା। ମହିଳା ଓ ନାରୀମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ବୋଲି କହିଥିଲେ।
ବିଜୟଲକ୍ଷ୍ମୀ ସାହୁ କହିଛନ୍ତି, “ନାରୀ ନିର୍ଯାତନା ଆମ ରାଜ୍ୟରେ ବଢ଼ି ଚାଲିଛି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଏଭଳି ଜଘନ୍ୟ କାଣ୍ଡ ବାରମ୍ବାର ଘଟୁଛି। ରାଜ୍ୟ ସରକାର ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ଅସମର୍ଥ।”
କଂଗ୍ରେସ ଟିମ୍ ପୀଡ଼ିତାଙ୍କ ପରିବାରକୁ ଭେଟି ଆସିବା ପରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ସାଲେପୁରରେ ପହଞ୍ଚିଥିଲେ। ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ସମେତ କଟକ ଜିଲ୍ଲାର କିଛି ନେତା ପୀଡ଼ିତାଙ୍କ ପରିବାରକୁ ଭେଟିଥିଲେ। ମା’ ଭଉଣୀଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ବୋଲି କହିଥିଲେ। ପୀଡ଼ିତାଙ୍କ ପରିବାରକୁ ଯେଉଁ ଅନୁକମ୍ପାମୂଳକ ରାଶି ଦେବା ପାଇଁ ସରକାର ଘୋଷଣା କରୁଛନ୍ତି ତାହା ଠିକ୍ ସମୟରେ ମିଳୁ ନଥିବା ବିଜେପି ନେତା ଅଭିଯୋଗ କରିଥିଲେ।
କଂଗ୍ରେସ ଓ ବିଜେପି ଟିମ୍ ପୀଡ଼ିତାଙ୍କ ଗାଁରୁ ଫେରିବା ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଯାଇଥିଲେ ପୀଡ଼ିତାଙ୍କ ଗାଁକୁ। ତାଙ୍କ ସାଙ୍ଗରେ ଥିଲେ ଜୁନାଗଡ଼ ବିଧାୟକ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର। ସେମାନେ ବି ପୀଡ଼ିତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ଶ୍ରୀ ଜେନା। ଏହାପରେ କଟକ ଜିଲ୍ଲାପାଳ ପୀଡ଼ିତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିଥିଲେ।
ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଧାନସଭାରେ ଦୁଃଖ ପ୍ରକାଶ କରିଛନ୍ତି। ପୀଡ଼ିତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦିଆଯିବ ଏବଂ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଧାନସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ।
ପୀଡ଼ିତା ବଡ଼ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏବଂ ମନ୍ତ୍ରୀ ପ୍ରତାପ ଜେନା ଯାଇ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।