ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଧରା ପୃଷ୍ଠରୁ ମେଲାଣି ନେବେ ମା’ ଦୁର୍ଗା। ଭକ୍ତଙ୍କୁ ଦର୍ଶନ ଦେବା ପରେ ବିଦାୟ ନେବେ ଦୁର୍ଗତୀନାଶିନୀ। ବିଭିନ୍ନ ପୂଜାମଣ୍ଡପରୁ ମା’ଙ୍କ ଭସାଣ ଯାତ୍ରା ଆରମ୍ଭ ହେବ। ଭୁବନେଶ୍ୱର ଓ କଟକରେ ସୋମବାର ଭସାଣି ହେବ। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଉଭୟ ସହରରେ ଟ୍ରାଫିକ ଗାଇଡଲାଇନ ଜାରି ହୋଇଛି।  

ଭୁବନେଶ୍ୱରରେ ସୋମବାର ଅପରାହ୍ଣ ୩ଟାରୁ ଭସାଣି ଆରମ୍ଭ ହେବ। କମିଶନରେଟ୍ ପୋଲିସର ଗାଇଡଲାଇନ ଅନୁସାରେ ଭସାଣ ବେଳେ ଭୁବନେଶ୍ୱରର ମୁଖ୍ୟ ରାସ୍ତାରେ ଭାରି ଯାନବାହାନ ଯିବାକୁ ଦିଆଯିବ ନାହିଁ। ଭସାଣି ଶେଷ ହେବା ପର୍ଯ୍ୟନ୍ତ ଯାନବାହନ କଟକଣା ଜାରି ରହିବ।

ସହିଦ ନଗର ପୂଜା ମଣ୍ଡପରୁ ଭସାଣି ବେଳେ ବାଣୀବିହାରରୁ ରୂପାଲୀ ଛକ ଆଡ଼କୁ ଯାନବାହନ ଚଳାଚଳ ବନ୍ଦ ରହିବ। ସେହି ସମୟରେ ସବୁ ଯାନ ବାଣୀବିହାରରୁ ଆଚାର୍ଯ୍ୟବିହାର ଦେଇଯିବ।

ସେହିପରି ଜନପଥ ରାସ୍ତାରେ ଭସାଣି ବେଳେ ଯାନବାହନ ଚଳାଚଳକୁ ସମ୍ପୂର୍ଣ୍ଣ ଭାବେ ମନା କରିଛି କମିଶନରେଟ ପୋଲିସ। ଏହାସହ ନୟାପଲ୍ଳୀ ମଣ୍ଡପର ଭସାଣ ପାଇଁ ସିଆରପି ଛକରୁ ହାଇୱେ ତଳ ରାସ୍ତାରେ ଆସୁଥିବା ଗାଡ଼ି ଏକାମ୍ର ପାର୍କ ଦେଇ ଯିବ।  

ଅନ୍ୟପଟେ ଖୋର୍ଦ୍ଧାରୁ ଆସୁଥିବା ଭାରୀଯାନଗୁଡ଼ିକ ଫାୟାର ଷ୍ଟେସନରୁ ଓଭର ବ୍ରିଜ୍‌ରେ ଦେଇଯିବ। ସେ ଗାଡ଼ିଗୁଡ଼ିକୁ ହାଇୱେ ପାର୍ଶ୍ଵ ରାସ୍ତାରେ ଛଡ଼ାଯିବ ନାହିଁ।

କଟକରେ ମଧ୍ୟ ଭସାଣି ପାଇଁ ଟ୍ରାଫିକ କଟକଣା ଲାଗୁ କରାଯାଇଛି। କଟକରେ କଲେଜ ଛକଠାରୁ ବକ୍ସି ବଜାର ପର୍ଯ୍ୟନ୍ତ କୌଣସି ଯାନବାହନ ଯାଇପାରିବେ ନାହିଁ। ଏହାସହ ତିନିକୋଣିଆ ବଗିଚା ଦେଇ ଚାନ୍ଦିନଚୌକ ଛକ ଯାଏଁ ଯାନବାହନ ଚଳାଚଳ ବନ୍ଦ ରହିବ।

ସେହିପରି ଚୌଧୁରୀବଜାର ଛକରୁ ପୂର୍ଣ୍ଣ ସାହୁ ଛକ, ଯାଁଳିଆପଟି ଓ ଫିରିଙ୍ଗି ବଜାର ଦେଇ ଦେବୀ ଗଡ଼ା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବନ୍ଦ ରହିବ। ଏହାସହ କଟକ ଚଣ୍ଡୀ ମନ୍ଦିର ଛକରୁ ଶେଖବଜାର ଓ ମହମ୍ମଦିଆ ବଜାର ରାସ୍ତା ଦେଇ ଚାନ୍ଦିନଚୌକ ଛକ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାରେ ଯାନବାହନ ଯାତାୟତ କରିପାରିବ ନାହିଁ।

Tags: #DurgaPuja #VasaniJatra #Festival #TrafficGuideline #CommissioneratePolice #Bhubaneswar #Cuttack

LEAVE A REPLY

Please enter your comment!
Please enter your name here