ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ଅକ୍ଟୋବର ୨୯ରୁ ନଭେମ୍ବର ୭ ପର୍ଯ୍ୟନ୍ତ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ।
ବର୍ତ୍ତମାନ ସମୟରେ ସାରା ଦୁନିଆରେ ‘ଷ୍ଟ୍ରୋକ୍’ ଏକ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ଉଭା ହୋଇଛି। ଅଣ ସଂକ୍ରାମକ ରୋଗ କ୍ଷେତ୍ରରେ ‘ଷ୍ଟ୍ରୋକ୍’ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ପାଲଟୁଛି। ଏ ବିଷୟରେ ଅଧିକ ସଚେତନତା ପାଇଁ ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖକୁ ବିଶ୍ଵ ଷ୍ଟ୍ରୋକ୍ ଦିବସ ଭାବେ ପାଳନ କରାଯାଉଛି। ଏଥର ଏହି ଦିବସର ଥିମ ରହିଛି ‘ବି ଗ୍ରେଟର ଦ୍ୟାନ ଷ୍ଟ୍ରୋକ୍’।
ଚଳିତ ବର୍ଷ ‘ବିଶ୍ଵ ଷ୍ଟ୍ରୋକ୍ ଦିବସ’ ଅବସରରେ ଓଡ଼ିଶାରେ ଏକ ବ୍ୟାପକ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି, ଯାହାର ନାଁ ରହିଛି ‘ଷ୍ଟ୍ରୋକ୍ ମୁକ୍ତ ଜୀବନ’। ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସ ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଷ୍ଟ୍ରୋକ୍ ସମ୍ପର୍କରେ ବିଶେଷ ସଚେତନତା ସୃଷ୍ଟି କରିବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ।
ଏହି କାର୍ଯ୍ୟକ୍ରମ ଅକ୍ଟୋବର ୨୯ରୁ ଆରମ୍ଭ ହୋଇ ନଭେମ୍ବର ୭ ତାରିଖ ଯାଏଁ ଚାଲିବ। ୧୦ ଦିନ ବ୍ୟାପି ହେବାକୁ ଥିବା କାର୍ଯ୍ୟକ୍ରମରେ ଷ୍ଟ୍ରୋକ୍ ବାବଦରେ ବିଭିନ୍ନ ସଚେତନତାମୂଳକ ଭିଡିଓ ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସର ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯିବ। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତକାରକୁ ଆଧାରକରି ଏହି ଭିଡିଓ ପ୍ରସ୍ତୁତ କରାଯିବ। ଏଥିରେ ଷ୍ଟ୍ରୋକର କାରଣ, ଲକ୍ଷଣ ଏବଂ ନିରାକରଣ ଆଦି ବିଷୟ ଉପଲବ୍ଧ ରହିବ।
ଗତ ୧୦୦ ବର୍ଷରେ ବିଭିନ୍ନ ସଂକ୍ରାମକ ରୋଗ ବିଶ୍ଵରେ ଆହ୍ଵାନ ସୃଷ୍ଟି କରିଥିଲା। ନିକଟରେ କୋଭିଡ୍-୧୯ ମହାମାରୀକୁ ଆମେ ମୁକାବିଲା କରି ଅତିକ୍ରମ କରିଆସିଛୁ। ହେଲେ ଚଳିତ ଶତାବ୍ଦୀରେ ଅଣ ସଂକ୍ରାମକ ରୋଗ ଆହୁରି ବଡ଼ ଆହ୍ଵାନ ସୃଷ୍ଟି କରିଛି। ଲୋକଙ୍କ ପରିବର୍ତ୍ତିତ ଜୀବନଶୈଳୀ, ଖାଦ୍ୟଭ୍ୟାସ ଓ ଅନ୍ୟାନ୍ୟ କାରଣରୁ ଷ୍ଟ୍ରୋକର ପ୍ରଭାବ ଏବେ ବଢ଼ିବାରେ ଲାଗିଛି। ଉଚ୍ଚ ରକ୍ତଚାପ, ମଧୁମେହ, ହୃଦଘାତ, କାର୍ଡିଓ ଭାସ୍କୁଲାର ଡିଜିଜ(ସିଭିଡି) ଓ ବ୍ରେନ ଷ୍ଟ୍ରୋକ୍ ଭଳି ଅଣ ସଂକ୍ରାମକ ରୋଗ ସ୍ୱାସ୍ଥ୍ୟଜନିତ ଚିନ୍ତା ବଢ଼ାଇଛି।
ବର୍ତ୍ତମାନ ଅଣ ସଂକ୍ରାମକ ରୋଗ ଭିତରେ ଷ୍ଟ୍ରୋକ୍ ଯୋଗୁଁ ସର୍ବାଧିକ ଲୋକଙ୍କ ମୃତ୍ୟୁ ଓ ଅକ୍ଷମତା ହେବାର ନଜିର ରହିଛି। ତେଣୁ ଏହା ଉପରେ ବ୍ୟାପକ ସଚେତନତା ପାଇଁ ବିଶ୍ଵ ଷ୍ଟ୍ରୋକ୍ ସଂଗଠନ କାମ କରୁଛି। ଏବେ ବିଶ୍ଵରେ ୪ ଜଣଙ୍କ ମଧ୍ୟରୁ ଜଣକୁ ଷ୍ଟ୍ରୋକ୍ ହେବାର ସମ୍ଭାବନା ଥିବା ସଂଗଠନ ସତର୍କ କରାଇଛି। ଏହାସହ ଅଧିକ ଲୋକଙ୍କୁ ଷ୍ଟ୍ରୋକ୍ ହେବା ଦ୍ଵାରା ଦେଶର ପ୍ରଗତିରେ ମଧ୍ୟ ବାଧା ସୃଷ୍ଟି ହେବାର ଭୟ ରହିଥିବା ସଂଗଠନ ପକ୍ଷରୁ କୁହାଯାଇଛି।
ଆଇଏଫଆଇ ଫାଉଣ୍ଡେସନ ବିଶ୍ଵ ଷ୍ଟ୍ରୋକ୍ ସଂଗଠନର ଏକ ସଦସ୍ୟ ରହିଛି। ସାଧାରଣ ଲୋକଙ୍କୁ ଷ୍ଟ୍ରୋକ୍ ବିଷୟରେ ସଚେତନତା କରିବା ତଥା ଏହାର ନିୟନ୍ତ୍ରଣ ପାଇଁ ଫାଉଣ୍ଡେସନ ନିରନ୍ତର କାମ କରିଆସୁଛି।
ବିଶ୍ଵ ଷ୍ଟ୍ରୋକ୍ ଦିବସ ଅବସରରେ ହେଉଥିବା ଏହି ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ଭୁବନେଶ୍ଵରସ୍ଥିତ ଅପୋଲୋ ହସ୍ପିଟାଲ୍ ଆସୋସିଏଟ୍ ପାର୍ଟନର ରହିଛି।
Tags: #WorldStrokeDay2024 #StrokePrevention #StrokeAwareness #StrokeFreeWorld #BeGreaterThanStroke #IFIFoundation #Swasthyaplus