ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ଵର): ଓଡ଼ିଶାରେ ରହିଛି ପ୍ରାୟ ୫ ନିୟୁତ ହେକ୍ଟର ସର୍ବସାଧାରଣ ଜମି, ଯାହାର ମୂଲ୍ୟ ପ୍ରାୟ ୩୬,୮୯୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ‘ଓଡ଼ିଶାରେ ସର୍ବସାଧାରଣ ଜମିର ଅର୍ଥନୈତିକ ମୂଲ୍ୟାୟନ’ ଶୀର୍ଷକ ଏକ ନୂତନ ସଂକ୍ଷିପ୍ତ ବିବରଣୀରୁ ଏହା ଜଣାପଡ଼ିଛି। ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି (ଏଫ୍ଇଏସ୍), ଇଣ୍ଟରନ୍ୟାସନାଲ ଫୁଡ୍ ପଲିସି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ଆଇଏଫପିଆରଆଇ) ଫେଡେରେସନ୍, ୟୁନିଭର୍ସିଟି, ଅଷ୍ଟ୍ରେଲିଆ ଏବଂ କମନ୍ ଗ୍ରାଉଣ୍ଡ ମିଳିତ ଭାବେ ଏହି ଅଧ୍ୟୟନ କରିଛନ୍ତି।
ସର୍ବସାଧାରଣ ଜମିଗୁଡ଼ିକ ମଧ୍ୟରେ ଜଙ୍ଗଲ ଜମି, ଚାରଣଭୂମି ଏବଂ ସମସ୍ତ ସମ୍ପ୍ରଦାୟର ସଦସ୍ୟଙ୍କ ପାଇଁ ଉପଲବ୍ଧ ଅଣଚାଷ ଜମି ଅନ୍ତର୍ଭୁକ୍ତ। ଏହି ସମ୍ବଳଗୁଡ଼ିକ ଇକୋସିଷ୍ଟମ ସେବା ଏବଂ ଗ୍ରାମୀଣ ଜୀବିକାକୁ ସମର୍ଥନ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ।
ସର୍ବସାଧାରଣ ଜମି ସମସ୍ତ ଗୋଷ୍ଠୀ, ସମ୍ପ୍ରଦାୟ ତଥା ବର୍ଗର ସଦସ୍ୟମାନଙ୍କ ଦ୍ଵାରା ବ୍ୟବହାର କରାଯାଇଥାଏ। ଜଙ୍ଗଲ, ଗୋଚର ଏବଂ ପତିତ ଜମି ଆଦିକୁ ସର୍ବସାଧାରଣ ଜମି ରୂପେ ଗଣନା କରାଯାଇଥାଏ। ଏହା ବିଶ୍ୱସ୍ତରରେ କୋଟି କୋଟି ଜନତାଙ୍କର ଜୀବନଜୀବିକାରେ ସହାୟତା ପ୍ରଦାନ ସ୍ଵରୂପ ଗୁରୁତ୍ଵପୂର୍ଣ୍ଣ ପାରିପାର୍ଶ୍ଵିକ ସେବା ଯୋଗାଇଥାଏ।
ବିଶେଷତଃ ଏହିପରି ସର୍ବସାଧାରଣ ସମ୍ବଳ ଏବଂ ତାହାର ମୂଲ୍ୟାୟନ ଅଞ୍ଚଳର ସମ୍ପ୍ରଦାୟ, ଗୋଷ୍ଠୀ ତଥା ଅଧିବାସୀମାନଙ୍କର ପ୍ରଚଳିତ ପରିଚାଳନା ବ୍ୟବସ୍ଥା ଏବଂ ଚିରନ୍ତନ ବ୍ୟବହାର ପ୍ରଣାଳୀ ଉପରେ ନିର୍ଭର କରିଥାଏ। ଆଦିବାସୀ ବହୁଳ ଅଞ୍ଚଳରେ ଏହା ଏକ ପ୍ରଥା ରୂପେ ପରିଗଣିତ ହୋଇଆସୁଛି।
ଓଡ଼ିଶା ଅର୍ଥନୀତି ଏବଂ ସାମାଜିକ ବ୍ୟବସ୍ଥାରେ ସର୍ବସାଧାରଣ ଜମିର ଯୋଗଦାନକୁ ସ୍ଵୀକୃତି ଦେବା ଉଦ୍ଦେଶ୍ୟରେ ଏହି ମୂଲ୍ୟାୟନ ଏକ ପରିମାଣାତ୍ମକ ଆଧାର ରୂପେ ପରିଗଣିତ ହୋଇଥାଏ। ତେଣୁ, ଏହି ଗୁରୁତ୍ଵପୂର୍ଣ ସମ୍ବନୟଗୁଡ଼ିକର ସ୍ଥାୟୀ ପରିଚାଳନା ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ସର୍ବସାଧାରଣ ଜମିର ଅର୍ଥିକ ମୂଲ୍ୟକୁ ନୀତି-ପ୍ରଣୟନ ଓ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରିବା ଜରୁରୀ ହୋଇପଡ଼ିଛି।
କୃଷି ଏବଂ ପ୍ରାକୃତିକ ସମ୍ବଳ ଉପରେ ନିର୍ଭର କରୁଥିବା ଓଡ଼ିଶା, ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ହେଉଥିବା ଦେଶର ସମ୍ବେଦନଶୀଳ ୮ଟି ରାଜ୍ୟ ମଧ୍ୟରୁ ଅନ୍ୟତମ ରାଜ୍ୟ ଭାବେ ଚିହ୍ନିତ। ରାଜ୍ୟର ଅର୍ଥନୀତି ଏବଂ ସାମାଜିକ ସ୍ଥିତି କୃଷି ଓ ଜଙ୍ଗଲ ପରି ପ୍ରାକୃତିକ ସମ୍ବଳ ସହ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ଏହା ପ୍ରାୟ ୨୬ଟି ଜିଲ୍ଲାର ୩୬ଲକ୍ଷ ଲୋକଙ୍କର ଆବାସସ୍ଥଳୀ, ଯାହା ବନ୍ୟା, ବାତ୍ୟା ଏବଂ ମରୁଡ଼ି ପ୍ରବଣ ଅଟେ।
ଏହି ସଂକ୍ଷିପ୍ତ ବିବରଣୀରୁ ମିଳିଥିବା ପ୍ରମୁଖ୍ୟ ତଥ୍ୟଗୁଡ଼ିକ ନିମ୍ନରେ ପ୍ରଦାନ କରାଯାଇଛି
ସମୁଦାୟ ସର୍ବସାଧାରଣ ଜମି: ଓଡ଼ିଶାରେ ପ୍ରାୟ ୫ଲକ୍ଷ ହେକ୍ଟର ସର୍ବସାଧାରଣ କମି ରହିଛି, ଯାହା ଗ୍ରାମୀଣ ଅର୍ଥନୀତି ଏବଂ ପରିବେଶ ସନ୍ତୁଳନ ରକ୍ଷା କରିବାରେ ସହାୟକ ହେଉଛି।
ବାର୍ଷିକ ଅର୍ଥନୈତିକ ମୂଲ୍ୟ: ଓଡ଼ିଶାରେ ଥିବା ଏହି ସମସ୍ତ ସର୍ବସାଧାରଣ ଜମିର ସମୁଦାୟ ଆର୍ଥିକ ମୂଲ୍ୟ ବାର୍ଷିକ ୩୬,୮୯୦ କୋଟି ଟଙ୍କା (୫ ନିୟୁତ ଡଲାର) ବୋଲି ହିସାବ କରାଯାଇଛି, ଯାହା ବିଭିନ୍ନ ପାରିପାର୍ଶ୍ଵିକ ସେବାକୁ ଗଣନା କରାଯାଇ ବାହାର କରାଯାଇଛି।
ସାରା ଭାରତବର୍ଷ ନିମନ୍ତେ ପାରିପାର୍ଶ୍ଵିକ ସେବାଗୁଡ଼ିକର ବର୍ଗୀକରଣ
- ଯୋଗାଣ ସେବା
ପରିବେଶରୁ ମିଳୁଥିବା ନିତ୍ୟ ବ୍ୟବହାର୍ଯ୍ୟ ଉତ୍ପାଦ ଏହି ସେବାର ଅନ୍ତର୍ଗତ। ଏହାର ମୂଲ୍ୟ ହେକ୍ଟର ପ୍ରତି ବାର୍ଷିକ ୬୫, ୪୧୧ଟଙ୍କା।
- ନିୟନ୍ତ୍ରଣାଧୀନ ସେବା
ଏହା ପରିବେଶର ବିଭିନ୍ନ ପ୍ରକ୍ରିୟାର ନିୟନ୍ତ୍ରଣ ନିମନ୍ତେ ଲାଭଦାୟକ ସେବାକୁ ବୁଝାଇଥାଏ, ଯେପରି ଜଳବାୟୁ ନିୟନ୍ତ୍ରଣ, ମୃତ୍ତିକା ଉର୍ବରତା ଏବଂ ଜଳ ବିଶୁଦ୍ଧିକରଣ ଆଦି। ଏହାର ହେକ୍ଟର ପ୍ରତି ବାର୍ଷିକ ମୂଲ୍ୟ ୬୦,୬୯୮ଟଙ୍କା।
- ସହାୟତା ସେବା
ମୃତ୍ତିକା ପ୍ରସ୍ତୁତି, ବସତି ବ୍ୟବସ୍ଥା ଭଳି ଅବଶ୍ୟକୀୟ ସେବାକୁ ଦର୍ଶାଏ। ହେକ୍ଟର ପ୍ରତି ଏହାର ବାର୍ଷିକ ମୂଲ୍ୟ ୨୪,୦୭୮ଟଙ୍କା।
- ସାଂସ୍କୃତିକ ସେବା
ଲୋକମାନଙ୍କୁ ପରିବେଶରୁ ମିଳୁଥିବା ବିଭିନ୍ନ ଅବସ୍ତୁବାଦୀ ଲାଭକୁ ଏହା ବୁଝାଇଥାଏ, ଯାହାଦ୍ୱାରା ଆଧ୍ୟାତ୍ମିକ ଗୁଣବତ୍ତାର ଅଭ୍ୟୁଦୟ ଓ ସକରାତ୍ମକ ସଜ୍ଞାନର ବିକାଶ ହୋଇଥାଏ। ହେକ୍ଟର ପ୍ରତି ଏହାର ବାର୍ଷିକ ମୂଲ୍ୟ ୪,୪୫୬ଟଙ୍କା।
ଏହି ବିବରଣୀ ସର୍ବସାଧାରଣ ଜମିଗୁଡ଼ିକ ନିମନ୍ତେ କିପରି ଅତ୍ୟଧିକ ବ୍ୟବହାର, ଜଦରଦଖଲ ହ୍ରାସ ଏବଂ ଅନୁପଯୁକ୍ତ ପ୍ରଶାସନିକ ବ୍ୟବସ୍ଥା ଆଦି ଅନେକ ସମସ୍ୟା ରହିଛି ସେ ଦିଗରେ ଆଲୋକପାତ କରିଛି। ଏହି ସମସ୍ତ ସମସ୍ୟା ହେତୁ ମୂଲ୍ୟବାନ ପାରିପାର୍ଶ୍ଵିକ ସେବା କ୍ଷତିଗ୍ରସ୍ତ ହେଉଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କର ଜୀବନଜୀବିକା ପ୍ରଭାବିତ ହେଉଛି।
ସର୍ବସାଧରଣ ଜମିର ସଂରକ୍ଷଣ ନିମନ୍ତେ ନୀତିଗତ ଏବଂ ଆନୁଷ୍ଠାନିକ ଢାଞ୍ଚାରେ ପରିବର୍ତ୍ତନ ତଥା ନିରନ୍ତର ବିକାଶ ଲକ୍ଷ୍ୟ ଏବଂ ଗୋଷ୍ଠୀ ଭିତ୍ତିକ ପରିଚାଳନା ଉପରେ ଏହା ଗୁରୁତ୍ୱାରୋପ କରିଛି। ଏଥିରେ ଉତ୍ତମ ସ୍ଵାସ୍ଥ୍ୟ ଏବଂ ସୁସ୍ଥ ବାତାବରଣ, ମର୍ଯ୍ୟାଦାପୂର୍ଣ୍ଣ କାର୍ଯ୍ୟ ଏବଂ ଅର୍ଥନୈତିକ ଅଭିବୃଦ୍ଧି, ଅସମାନତାର ହ୍ରାସ, ଦାୟିତ୍ଵପୂର୍ଣ୍ଣ ଉତ୍ପାଦନ ଏବଂ ଉପଯୋଜନ, ସର୍ବୋପରି ଭବିଷ୍ୟତ ବଂଶଧରମାନଙ୍କର ନିମନ୍ତେ ସୁସ୍ଥ ବାତାବରଣ ନିଶ୍ଚିତ କରିବା ଆଦି ଦିଗ ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି।
ଏହି ସଂକ୍ଷିପ୍ତ ବିବରଣୀରେ ନୀତି ନିର୍ଦ୍ଧାରଣକାରୀ, ପରିବେଶବିତ୍ ଏବଂ ସମ୍ପ୍ରଦାୟଗୁଡ଼ିକୁ ଓଡ଼ିଶାର ସାଧାରଣ ଜମିକୁ ଚିହ୍ନିବା ଏବଂ ସୁରକ୍ଷା ଦେବାକୁ ଅନୁରୋଧ କରାଯାଇଛି। ଭବିଷ୍ୟତ ପିଢ଼ି ପାଇଁ ଏହି ସାମାଜିକ-ପରିବେଶ ସମ୍ପତ୍ତିର ସୁରକ୍ଷା ଅତ୍ୟନ୍ତ ଜରୁରୀ ବୋଲି ଏଥିରେ ଦର୍ଶାଯାଇଛି। ଏହି ମୂଲ୍ୟାଙ୍କନ ଓଡ଼ିଶାର ସାଧାରଣ ଜମି ପାଇଁ ସ୍ଥାୟୀ ପରିଚାଳନା ଏବଂ ନୀତି ସମନ୍ୱୟକୁ ପ୍ରାଥମିକତା ଦେବା ପାଇଁ ଏକ ସ୍ପଷ୍ଟ ଅର୍ଥନୈତିକ ଯୁକ୍ତି ପ୍ରଦାନ କରେ।
Tags: #CommonLands #EconomicValuation #Odisha