ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳା ହୋମଗାର୍ଡଙ୍କୁ ପ୍ରେମ କରି ଧୋକା ଦେବା ମହଙ୍ଗା ପଡ଼ିଲା। ଶେଷରେ ଗିରଫ ହୋଇ ଜେଲ ଗଲେ କୁଜଙ୍ଗର ପୂର୍ବତନ ଥାନା ଅଧିକାରୀ ତପନ ନାହାକ।

ଗିରଫ ହେବା ପୂର୍ବରୁ ଇନ୍ସପେକ୍ଟର ତପନ ନାହାକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା। ବୁଧବାର ଦିନ ତାଙ୍କୁ ଅଟକ ରଖି ଘଟଣା ସମ୍ପର୍କରେ ପଚରା ଉଚରା କରାଯାଇଥିବାବେଳେ ଗୁରୁବାର ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଜଗତସିଂପୁର ଥାନା ପୋଲିସ। ଜାମିନ ନାମଞ୍ଜୁର ହେବାରୁ ତପନ ନାହାକଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

କ’ଣ ଥିଲା ପୂରା ଘଟଣା?

ଅଭିଯୁକ୍ତ ତପନ ନାହାକ ଜଗତସିଂହପୁର ଥାନାରେ ଆଡିସନାଲ ଆଇଆଇସି ଥିବା ସମୟରେ ଜଣେ ମହିଳା ହୋମଗାର୍ଡଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କରେ ରହିଥିଲେ। କିଛି ଦିନ ଏକାଠି ରହିବା ପରେ ପୋଲିସ ବାବୁ ମହିଳା ହୋମଗାର୍ଡଙ୍କୁ ଧରାଛୁଆଁ ଦେଇନଥିଲେ। ପରେ ମହିଳା ହୋମଗାର୍ଡ ଜଣକ ତପନ ନାହାକଙ୍କ ବିରୋଧରେ ଜଗତସିଂହପୁର ସଦର ଥାନାରେ ଏତଲା ଦେଇଥିଲେ।

ତପନ ନାହାକ ତାଙ୍କୁ ପୁରୀ ଓ ପାରାଦୀପର ବିଭିନ୍ନ ଅଞ୍ଚଳକୁ ସାଙ୍ଗରେ ନେଇ ଯାଇଥିବା ଅଭିଯୋଗକାରିଣୀ ଅଭିଯୋଗରେ ଦର୍ଶାଇଥିଲେ। ଥାନାରେ ଏତଲା ଦିଆଯିବା ପରେ ତପନ ନାହାକ ଫେରାର ହୋଇଯାଇଥିଲେ।

ଏପଟେ ଫେରାର ଅଭିଯୁକ୍ତ ତପନ ନାହାକଙ୍କୁ ଧରିବାକୁ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରିଥିଲା ଜଗତସିଂହପୁର ପୋଲିସ। ଖୋର୍ଦ୍ଧାରୁ ଅଭିଯୁକ୍ତ ତପନ ନାହାକଙ୍କୁ ଧରି ଜଗତସିଂହପୁର ଥାନାକୁ ଅଣାଯାଇଥିଲା। ସେଠାରେ ୯ ଜଣିଆ ଟିମ୍ ତାଙ୍କୁ ଜେରା କରିଥିଲେ। ପରେ ତପନ ନାହାକଙ୍କୁ ଗିରଫ କରାଯାଇଥିଲା।

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପ୍ରେମ, ପ୍ରତାରଣା ଏବଂ ଯୌନ ଶୋଷଣ ଅଭିଯୋଗ ଆଣିଥିବା ମହିଳା ହୋମଗାର୍ଡଙ୍କ ବୟାନ ରେକର୍ଡ କରାଯାଇଛି।

ଏପଟେ ମହିଳା ହୋମଗାର୍ଡଙ୍କ ଅଭିଯୋଗ ଅନୁସାରେ ପୋଲିସ ପୁରୀ ଓ ପାରାଦୀପ ଯାଇ ସେମାନେ ରହିଥିବା ଠିକଣାରୁ ତଥ୍ୟ ସଂଗ୍ରହ କରିବା ସହ ଉଭୟଙ୍କ ମୋବାଇଲ ଚାଟିଂ, କଲ୍ ଡିଟେଲ୍ସ ଆଦି ଆଧାରରେ ତଦନ୍ତ କରିବ ବୋଲି ଜଗତସିଂହପୁର ପୋଲିସ କହିଛି।

Tags: #SexualHarassmentCase #InspectorTapanNahak #Jagatsinghpur #Odisha

LEAVE A REPLY

Please enter your comment!
Please enter your name here