ଓଡ଼ିଶାଲାଇଭ୍ ବ୍ୟୁରୋ
- କଂଗ୍ରେସ ଭବନରେ ମହାମିଳନ ପର୍ବ
- ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ମିଶିଲେ କଂଗ୍ରେସରେ
- ୫୦ରୁ ଅଧିକ କର୍ମୀ ସାମିଲ ହେଲେ
- ଟିଏମ୍ସି ନେତାଙ୍କୁ ସ୍ୱାଗତ କଲେ ପିସିସି ସଭାପତି ଏବଂ ପ୍ରଭାରି
କଂଗ୍ରେସରେ ଯୋଗଦେଲେ ତୃଣମୂଳ କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର। କାର୍ତ୍ତିକଶ୍ୱେର ପାତ୍ର, ସରସ୍ୱତୀ ହେମ୍ରମ ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି। ତାଙ୍କ ସହ ୫୦ରୁ ଅଧିକ କର୍ମୀ କଂଗ୍ରେସରେ ସାମିଲ ହୋଇଛନ୍ତି। ଏଥିପାଇଁ କଂଗ୍ରେସ ଭବନରେ ଆଜି ଆୟୋଜିତ ହୋଇଥିଲା ମହାମିଶ୍ରଣ ପର୍ବ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଭାରି ଜିତେନ୍ଦ୍ର ସିଂଙ୍କ ଉପସ୍ଥିତିରେ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏବଂ ଅନ୍ୟ କର୍ମୀମାନେ କଂଗ୍ରେସରେ ସାମିଲ ହୋଇଥିଲେ।
ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପୂର୍ବରୁ କଂଗ୍ରେସରେ ରହିଥିଲେ। କିନ୍ତୁ ୨୦୧୩ରେ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ପଦରୁ ହଟିବା ପରେ ଆର୍ଯ୍ୟ ଜ୍ଞାନେନ୍ଦ୍ର ଦଳରୁ ଇସ୍ତଫା ଦେଇଥିଲେ। କଂଗ୍ରେସ ଛାଡ଼ି ସେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ତୃଣମୂଳ କଂଗ୍ରେସର ଓଡ଼ିଶା ମୁଖ୍ୟ ରହିଥିଲେ।
୨୦୧୪ରେ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ନେତୃତ୍ୱରେ ଟିଏମ୍ସି ବିଭିନ୍ନ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେଇଥିଲା। ହେଲେ ସଫଳତା ପାଇ ନଥିଲା।
ନିରଞ୍ଜନ ଏବେ ପୁଣି ପିସିସି ସଭାପତି ହେବା ପରେ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କଂଗ୍ରେସକୁ ଫେରିଛନ୍ତି। ବାଜା ବଜାଇ, ବାଣ ଫୁଟାଇ କଂଗ୍ରେସ ନେତାମାନେ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ସମେତ ଅନ୍ୟ ଟିଏମ୍ସି କର୍ମୀଙ୍କୁ ସ୍ୱାଗତ କରିଥିଲେ।
ଆଜିର ମିଶ୍ରଣ ପର୍ବରେ କଂଗ୍ରେସର ସବୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝି, ହେମାନନ୍ଦ ବିଶ୍ୱାଳଙ୍କ ଭଳି ବରିଷ୍ଠ ନେତା ଉପସ୍ଥିତ ଥିଲେ।