ଓଡ଼ିଶାଲାଇଭ୍ ବ୍ୟୁରୋ

ପବିତ୍ର ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ମିଳନ ସ୍ଥଳୀ ପ୍ରୟାଗରାଜରେ ପ୍ରଥମ ସାହି ସ୍ନାନ ସହ କୁମ୍ଭମେଳା ଆରମ୍ଭ ହୋଇଛି। ମଙ୍ଗଳବାର ଭୋର ୫.୩୦ସମୟରେ ସାଧୁସନ୍ଥମାନେ ସ୍ନାନ କରି ଏହି ମେଳାକୁ ଆରମ୍ଭ କରିଛନ୍ତି। ମଙ୍ଗଳବାର ସନ୍ଧ୍ୟା ୬ ସୁଦ୍ଧା ୧କୋଟି ୨୬ ଲକ୍ଷ ଶ୍ରଦ୍ଧାଳୁ ଏଠାରେ ବୁଡ଼ ପକାଇଛନ୍ତି।

ପ୍ରୟାଗରାଜ ସହର ନିକଟରେ ହିଁ ପବିତ୍ର ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ମିଳନ ଘଟିଛି। ସେଥିପାଇଁ ଏହି ସ୍ଥାନକୁ ସଙ୍ଗମ ବୋଲି ମଧ୍ୟ କୁହାଯାଏ। କିମ୍ବଦନ୍ତି ଅନୁସାରେ ପ୍ରଥମ ସାହି ସ୍ନାନ ସ୍ୱର୍ଗର ଦ୍ୱାର ସ୍ୱରୂପ ହୋଇଥାଏ। ଏଥିପାଇଁ ପ୍ରତିବର୍ଷ ଦେଶ ବିଦେଶର ବିଭିନ୍ନ ପ୍ରାନ୍ତରୁ କୋଟି କୋଟି ଶ୍ରଦ୍ଧାଳୁ ଏହି ବିଶ୍ୱ ପ୍ରସିଦ୍ଧ ମେଳାରେ ଯୋଗଦେଇଥାନ୍ତି।

ଧାର୍ମିକ, ଆଧ୍ୟତ୍ମିକ ତଥା ସାଂସ୍କୃତିକ ମେଳା କୁହାଯାଉଥିବା କୁମ୍ଭମେଳା ଆଗାମୀ ୪୫ ଦିନ ଧରି ଚାଲିବ।

ସେଥିପାଇଁ ଶ୍ରଦ୍ଧାଳୁଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଗଙ୍ଗା ନଦୀ କୂଳରେ ୩୨୦୦ଏକରର ଏକ ଛୋଟ ତମ୍ବୁ ସହର ଭଳି ନିର୍ମାଣ କରାଯାଇଛି। ସେଠାରେ ଟେଣ୍ଟର ମୂଲ୍ୟ ଗୋଟେ ରାତି ପ୍ରତି ୨୧୦୦ଟଙ୍କାରୁ ଆରମ୍ଭ କରି ୨୦ ହଜାର ପର୍ଯ୍ୟନ୍ତ ରହିଛି।

କୁମ୍ଭମେଳାକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ପ୍ରୟାଗରାଜକୁ ୫ଟି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ମେଳାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ୧ ଲକ୍ଷ ୨୨ ହଜାର ଶୌଚାଳୟ ନିର୍ମାଣ କରାଯାଇଛି।

ଅନ୍ୟପଟେ କୁମ୍ଭମେଳାରେ ହେବାକୁ ଥିବା ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟାବସ୍ଥା ଗ୍ରହଣ କରାଯାଇଛି। ସାମ୍ଭାବ୍ୟ ଦଳାଚକଟା ଉପରେ ନିୟନ୍ତ୍ରଣ କରିବା ପାଇଁ ୩୦ ହଜାର ପୋଲିସ ନିୟୋଜିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here