(ଓଡ଼ିଶାଲାଇଭ୍ ବ୍ୟୁରୋ)
ଗ୍ରେଡପେ ବଢ଼ାଇବା ଦାବିରେ ପ୍ରାଥମିକ ଶିକ୍ଷକ ଏବଂ ଶିକ୍ଷା ସହାୟକ ସଂଘ ଆଜି ଭୁବନେଶ୍ୱରରେ ଦେଇଛନ୍ତି ରଣହୁଙ୍କାର। ହେଲେ ଗଣଶିକ୍ଷା ମନ୍ତ୍ରୀ ଏଥିରେ ଅସନ୍ତୋଷ ପ୍ରକାଶ କରି କାର୍ଯ୍ୟାନୁଷ୍ଠାନର ଧମକ ଦେଇଛନ୍ତି।
ଭୁବନେଶ୍ୱର ଲୋୟର ପିଏମ୍ଜିରେ ଆଜି ଗର୍ଜିଛନ୍ତି ଶିକ୍ଷକ। ସର୍ବନିମ୍ନ ଗ୍ରେଡ୍ ପେ ୨୮୦୦ ଟଙ୍କା କରିବା ଦାବିରେ ଦୁଇଟି ଶିକ୍ଷକ ସଙ୍ଗଠନ ଦେଇଛନ୍ତି ରଣହୁଙ୍କାର। ଅନୁରୂପ ଦାବିକୁ ନେଇ ଶିକ୍ଷକ ରାଜଧାନୀରେ ଏକାଠି ହେବେ ବୋଲି ପୂର୍ବରୁ ସୂଚନା ଦେଇଥିଲେ। ଆନ୍ଦୋଳନରେ ସାମିଲ୍ ନହେବା ପାଇଁ ଗଣଶିକ୍ଷା ବିଭାଗ ଶିକ୍ଷକମାନଙ୍କୁ ତାଗିଦ୍ କରିଥିଲା। ହେଲେ ଶିକ୍ଷକ ତାଗିଦ୍କୁ ନମାନି ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ପ୍ରାଥମିକ ଶିକ୍ଷକ ସଂଘ ଏବଂ ଓଡ଼ିଶା ଶିକ୍ଷା ସହାୟକ ସଂଘର ଶତାଧିକ ଶିକ୍ଷକ ମାଷ୍ଟରକ୍ୟାଣ୍ଟିନ୍ରେ ହୋଇଥିଲେ ଏକାଠି। ପରେ ବିଶାଳ ଶୋଭାଯାତ୍ରାରେ ବିଧାନସଭା ଅଭିମୁଖେ ଯାଇଥିଲେ। ହେଲେ ପୋଲିସ ବାଧା ଦେବାରୁ ଶିକ୍ଷକମାନେ ପିଏମ୍ଜିରେ ସଭା କରି ରାଜ୍ୟ ସରକାରଙ୍କ ଶିକ୍ଷା ନୀତିକୁ ସମାଲୋଚନା କରିଥିଲେ।
ଗଣଶିକ୍ଷା ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ର କହିଛନ୍ତି, “ସ୍ୱତନ୍ତ୍ର କମିଟି ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଦାବି ଅନୁଧ୍ୟାନ କରୁଛନ୍ତି। ହଲେ ଶିକ୍ଷକ ଆନ୍ଦୋଳନ କରିବା ଠିକ୍ ନୁହେଁ। ଆନ୍ଦୋଳନରେ ସାମିଲ୍ ହେବା ପୂର୍ବରୁ ସେମାନେ ଛୁଟି ନେଇଛନ୍ତି କି ତାହା ତର୍ଜମା କରାଯିବ। ଯଦି ଛୁଟି ନେଇ ନଥିବେ ତାହାଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
ଶିକ୍ଷକଙ୍କ ସର୍ବନିମ୍ନ ଗ୍ରେଡ ପେ ୨୨୦୦ ଟଙ୍କା ରହିଛି। ଏହାକୁ ବଢ଼ାଇ ୨୮୦୦ ଟଙ୍କା କରିବାକୁ ଶିକ୍ଷକ ଦାବି କରିଛନ୍ତି।