ବିଘ୍ନେଶ୍ୱର ସାହୁ
ଏକ ଧାର୍ମିକ ଓ କଳାତ୍ମକ ପରମ୍ପରାର ନିଦର୍ଶନ ହେଉଛି ପ୍ରହ୍ଲାଦ ନାଟକ। ଗୀତିନାଟ୍ୟ ପରି ଏହି ନାଟକର ସଂଳାପ ଖୁବ୍ କାବ୍ୟିକ। ପଖଉଜ ଓ ମୁଖବୀଣାର ସଙ୍ଗୀତରେ ରସାଣିତ ପ୍ରହ୍ଲାଦ ନାଟକର ବିଭିନ୍ନ ନାମକରଣ ରହିଛି। ଯଥା ପ୍ରହ୍ଲାଦ ନାଟକ, ରଜାନାଟ, ନୃସିଂହ ଅବତାର, ହିରଣ୍ୟାସୁର ବଧ, ସ୍ତମ୍ଭାବତାର, ନୃସିଂହ ଭେଟ ଆଦି।
ଦକ୍ଷିଣ ଓଡ଼ିଶା ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଖୁବ୍ ପ୍ରସିଦ୍ଧି ଅର୍ଜନ କରିଥିବା ଏହି ନାଟକର ଜନ୍ମବୃତ୍ତାନ୍ତ ଆଜକୁ ପ୍ରାୟ ଦେଢ଼ଶହ ବର୍ଷ ତଳର। ୧୭୯୮ ମସିହାରେ ଜନ୍ମିତ ପାରଳାଖେମୁଣ୍ଡି (ଅଧୁନା ଗଜପତି ଜିଲ୍ଲା)ର ବିଶିଷ୍ଟ ସଙ୍ଗୀତଜ୍ଞ ଓ ନାଟ୍ୟକାର ଗୌରହରି ପରିଚ୍ଛା ବିଭିନ୍ନ ରାଜ ଦରବାର ଓ ଜମିଦାରଙ୍କ ପୃଷ୍ଠପୋଷକତା ପାଇ ପ୍ରାୟ ୧୮୭୦ ମସିହା ବେଳକୁ ନିଜ ଜୀବନର ସତୁରୀ ବର୍ଷ ବୟସରେ ପ୍ରହ୍ଲାଦ ନାଟକ ଲେଖିଥିବା ବିଭିନ୍ନ ଗ୍ରନ୍ଥରୁ ଜଣାଯାଇଛି।
କିନ୍ତୁ ସେତେବେଳକୁ ଗୌରହରି ପରିଚ୍ଛା ଜଳନ୍ତର ରାଜା ରାମକୃଷ୍ଣ ଛୋଟରାୟଙ୍କ ଦରବାରରେ ପଣ୍ଡିତ ଥିବା ଏବଂ ଯଶ ଓ ଅର୍ଥ ସମ୍ମାନ ପାଇବା ଆଶାରେ ରାଜାଙ୍କ ନାମରେ ଭଣତି ବା ଅଙ୍କିତ କରିଥିଲେ। ଅର୍ଥାତ୍ ପରବର୍ତ୍ତୀ ସମୟରେ ଜଳନ୍ତର ରାଜା ରାମକୃଷ୍ଣ ଛୋଟରାୟ ହିଁ ପ୍ରହ୍ଲାଦ ନାଟକ ବା ରଜା ନାଟକର ପ୍ରଣେତା ବୋଲି ଜନମାନସରେ ବିଦିତ ହେଲେ। ଜଳନ୍ତର ରାଜା ଗୌରହରିଙ୍କ ଏ କାର୍ଯ୍ୟରେ ଅତ୍ୟନ୍ତ ପ୍ରୀତ ହୋଇ ତାଙ୍କୁ ‘ସଙ୍ଗୀତ ଭୂଷଣ’ ଉପାଧିରେ ଭୂଷିତ କରିଥିଲେ। ଏହାର ମୂଳପୋଥି ମାଡ୍ରାସସ୍ଥିତ ପ୍ରାଚ୍ୟ ପୋଥି ଗ୍ରନ୍ଥାଗାରରୁ ୧୯୩୮ ମସିହାରେ ପୁନଃ ଆବିଷ୍କାର କରାଯାଇଥିଲା।
ଓଡ଼ିଶାର (ଗଞ୍ଜାମ) ପ୍ରହ୍ଲାଦ ନାଟକ ଏବଂ ଉତ୍ତର ଭାରତର ରାମଲୀଳା, କେରଳର କୃଷ୍ଣ ନାଟ୍ୟମ୍, ମୁଡ଼ିଏଟୁ, କର୍ଣ୍ଣାଟକର କୃଷ୍ଣ ପାରିଜାତ, ସାଜ୍ଞବାଲ୍ୟ, ଗୋଆର ଦଶାବତାର ଆଦି ନାଟକ ପ୍ରାୟତଃ ଏହି ଏକକକ ବିଷୟକୁ ନେଇ ଲୋକନାଟକମାନ ପ୍ରଚଳିତ ରହିଛି। ସେଥିମଧ୍ୟରୁ ଗଞ୍ଜାମର ପ୍ରହ୍ଲାଦ ନାଟକ ଏବଂ ବ୍ରଜଧାମର ଅଭିନୀତ ହେଉଥିବା ନୃସିଂହ ଲୀଳା ମଧ୍ୟରେ ଏକ ତୁଳନାତ୍ମକ ବିଶ୍ଲେଷଣ ଅନୁଧ୍ୟାନ କରିବା ।
ବିଷୟ ବସ୍ତୁ ଏକା ପ୍ରକାରର ଥିଲେ ହେଁ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଭାବରେ କଥାବସ୍ତୁକୁ ଉପସ୍ଥାପିତ କରାଯାଇଥାଏ। ଗଞ୍ଜାମରେ ପ୍ରଚଳିତ କଥାବସ୍ତୁ ଜଳନ୍ତର ରାଜାଙ୍କ ଭଣତି ବିଷୟରୁ ଆନିତ ହୋଇଥିବା ବେଳେ ବ୍ରଜଧାମରେ କେବଳ ସାଧାରଣ ପୁରାଣକୁ ନେଇ ନୃସିଂହ ଲୀଳାର କଳ୍ପନା କରାଯାଇଛି। ଜଳନ୍ତର ରାଜାଙ୍କ ଭଣତିରେ ରହିଛି-
ମହାମୁନି କଶ୍ୟପ ଏବଂ ଦେବୀ ଦୀତିଙ୍କ କୋଳରେ ଜନ୍ମ ନେଇଥିଲେ ଦୁଇ ଭାଇ ହିରଣାକ୍ଷ ଓ ହିରଣ୍ୟକଶିପୁ। ହିରଣାକ୍ଷକୁ ବିଷ୍ଣୁ ବରାହ ଅବତାରରେ ବଧ କରିଥିବା ଯୋଗୁଁ ହିରଣ୍ୟକଶିପୁ ବିଷ୍ଣୁଙ୍କୁ ଶତ୍ରୁ ଏବଂ ମହାଦେବ ଶିବଙ୍କୁ ପ୍ରଭୁ ଭାବେ ମାନ୍ୟ କଲା। ଅହଂକାର ପ୍ରମତ୍ତ ହିରଣ୍ୟକଶିପୁକୁ ବିଷ୍ଣୁ ତିକ୍ତତାରୁ ଦୂରେଇବା ପାଇଁ ପ୍ରହ୍ଲାଦ ପ୍ରାର୍ଥନା କଲେ। ଆଦର୍ଶଗତ ବୈଷମ୍ୟରୁ ଘନୀଭୂତ ହୁଏ ହିରଣ୍ୟକଶିପୁର ଅହଙ୍କାର ଓ ମତାନ୍ଧତା। ଫଳତଃ ହିରଣ୍ୟକଶିପୁ ପ୍ରହ୍ଲାଦକୁ ଦଣ୍ଡବିଧାନର ବ୍ୟବସ୍ଥାସ୍ୱରୂପ ହାତୀ, ସାପୁଆକେଳା ଏବଂ ଅନ୍ୟାନ୍ୟ ଉପାୟରେ ପ୍ରହ୍ଲାଦକୁ ମାରିବାର ବନ୍ଦୋବସ୍ତ କରି ବିଫଳ ହେବା ପରେ ପରିଶେଷରେ ନାରାୟଣଙ୍କ ସ୍ଥିତି ସମ୍ପର୍କରେ ପୁଚ୍ଛା କରନ୍ତେ, ପ୍ରହ୍ଲାଦ ଏକ ସ୍ତମ୍ଭକୁ ଦେଖାନ୍ତି।
ହିରଣ୍ୟକଶିପୁ ଅଟ୍ଟହାସ୍ୟରେ ସେହି ସ୍ତମ୍ଭକୁ ଗଦାରେ ପ୍ରହାର କରନ୍ତେ, ସ୍ତମ୍ଭରୁ ଆବିର୍ଭୂତ ହୁଅନ୍ତି ଭଗବାନ ନୃସିଂହ । ଅଧାମଣିଷ-ଅଧା ସିଂହବେଶ, ଭୟଙ୍କର ମୁଖବ୍ୟାଦାନ, ତୀକ୍ଷ୍ଣ ନଖ- ହିରଣ୍ୟକଶିପୁ ଚମକି ପଡେ଼। ବିଷ୍ଣୁଙ୍କ ଦୁର୍ଲଭ ଦର୍ଶନକୁ ପ୍ରହ୍ଲାଦ ସୁଲଭ୍ୟ କରିଥିବା ଏବଂ ନିଜ ମୃତ୍ୟୁଆସନ୍ନ ଜାଣି ବିଷ୍ଣୁଙ୍କ ସ୍ତୁତିଗାନ ପରେ ପ୍ରହ୍ଲାଦକୁ ଆଶୀର୍ବାଦ କରି ରାଜନୀତି ଶିକ୍ଷା ଦିଅନ୍ତି। ଶିକ୍ଷା ଶେଷରେ ନିଜ ଜଙ୍ଘ ଉପରେ ହିରଣ୍ୟକୁ ନଖରେ ବିଦାରଣ କରନ୍ତି।
ଏହି ସମୟକୁ ଦର୍ଶକ ଅତି ନୀରବ ଓ ଗଦଗଦ୍ ହୋଇ ଦେଖୁଥାନ୍ତି। ଆଖିରୁ ଦୁଇଧାର ହୋଇ ଲୁହ ବୋହି ଯାଉଥାଏ। ଏପରିକି ଗାୟକମାନେ ଆଳାପ କରିବାରେ ବି ବାଷ୍ପରୁଦ୍ଧ ହୋଇପଡ଼ନ୍ତି। ଗଞ୍ଜାମରେ ଅଭିନୀତ ହେଉଥିବା ରଜାନାଟର ଏହା ବିଶେଷତ୍ୱ। କଳାକାର, ଗାୟକ ଓ ବାୟକଙ୍କ ଆଳାପ ଓ ମୁଖବୀଣା ଧ୍ୱନିର ମୂର୍ଚ୍ଛନା ନାଟକକୁ ଅତି ଜୀବନ୍ତ କରିଥାଏ। ପରମ୍ପରାଗତ କର୍ଣ୍ଣାଟକୀ ଓ ହିନ୍ଦୁସ୍ଥାନୀ ଶୈଳୀର ସଙ୍ଗୀତଶ୍ରୀ, ଖମାଜ, ଶଙ୍କରାଭରଣ, କାମୋଦୀ, ସାବେରୀ, ଭୈରବୀ, ମାଳବ ରାଗର ବହୁଳତା ଦେଖାଯାଏ। ବାଦ୍ୟଯନ୍ତ୍ରରେ ମୁଖବୀଣାର ପ୍ରାଧାନ୍ୟ ଥିବା ବେଳେ ହାରମୋନିୟମ, ମାଦଳ ବା ପଖାଉଜ, ଗିନି ଆଦିର ବାଜଣା ନାଟକକୁ ଆହୁରି ରସାଣିତ କରିଥାଏ।
ଅର୍ଥବ୍ୟୟ ଓ ସାଧନା ଦୃଷ୍ଟିରୁ ନାଟକର ଧାରାକୁ ବଳବତ୍ତର ରଖିବା କଷ୍ଟସାଧ୍ୟ ହୋଇପଡ଼ୁଛି। ଗଞ୍ଜାମରେ ଅଭିନୀତ ହେଉଥିବା ନାଟକଗୁଡ଼ିକରେ ପ୍ରମ୍ପଟିଂ ( ସ୍ମାରକ) ହେବାର ସୁଯୋଗ ନଥିବା କାରଣରୁ କଳାକାରମାନେ ସମସ୍ତ ବିଷୟକୁ ଖୁବ ନିଷ୍ଠାର ସହ ମୁଖସ୍ଥ କରିବାକୁ ବାଧ୍ୟ ହୋଇଥାନ୍ତି। ବର୍ଷ ବର୍ଷ ଧରି ଆଖଡ଼ା ଘରେ ଅଭ୍ୟାସ କରିବା ପରେ ହିଁ ମୁକ୍ତାକାଶ ମଞ୍ଚକୁ ଆସି ଅଭିନୟ ଦକ୍ଷତା ଦେଖାଇଥାନ୍ତି।
ଗଞ୍ଜାମରେ ପ୍ରାୟତଃ ରଜାନାଟ ବର୍ଷାଦିନକୁ ବାଦ୍ ଦେଲେ ବର୍ଷର ଅନ୍ୟଦିନରେ ଅଭିନୀତ ହୋଇଥାଏ; ବିଶେଷ କରି ବାଦି ନାଟକ ଭାବରେ। ସାଧାରଣତଃ ବାଦି ନାଟକ ଭାବେ ପରିବେଷିତ ହେଉଥିବାର ନଜିର ରହିଛି ଯାହାକି ପ୍ରତିଯୋଗୀ ମନୋଭାବର ଏକ ଦୃଷ୍ଟାନ୍ତ। ତାଳ, ରାଗ, ଛନ୍ଦ, ସାହିତ୍ୟ ସମ୍ବନ୍ଧୀୟ ଜ୍ଞାନ ଆଦି ବିଷୟରେ ବାଦବିବାଦ ହୋଇଥାଏ। ସେହିପରି ଗୋଟିଏ ଗୋଷ୍ଠୀ ଅପର ଗୋଷ୍ଠୀକୁ ନିନ୍ଦିତ କରିବା ପାଇଁ ମଞ୍ଚସଜ୍ଜା, ବେଶଭୂଷା, ଅଭିନୟ ଶୈଳୀ, ଆଳାପ, ସ୍ୱର, ସଙ୍ଗୀତର ମାନ ଇତ୍ୟାଦି ପ୍ରତି ସିଧାସଳଖ ଆକ୍ଷେପ କରିଥାନ୍ତି। ବେଳେବେଳେ ହବୁ ବିଦ୍ୟା (କାଳ୍ପନିକ ଚରିତ୍ର)ର ପ୍ରୟୋଗ କରାଯାଇ ହାସ୍ୟରସର ଉଦ୍ରେକ ହୋଇଥାଏ।
ଏହି ନାଟକରେ ନୃସିଂହମୁଖାକୁ ଅଲୌକିକତା ଓ ଧର୍ମର ଦ୍ୱାହି ଦେଇ ଭୟ, ଭକ୍ତିର ମିଶ୍ରିତ ଉପାଖ୍ୟାନକୁ ଅବତାରଣା କରାଯାଏ। ନୃସିଂହମୁଖାକୁ ବର୍ଷତମାମ ଆଖଡ଼ା ଘରେ ରଖାଯାଇ ପୂଜା କରାଯାଏ। ନାଟକ ଅବସରରେ ନୃସିଂହମୁଖା ଧାରଣ କରିବାକୁ ଉଦ୍ଦିଷ୍ଟ କଳାକାରକୁ ଅତି ନିଷ୍ଠା ଭାବେ କିଛି ଦିନ ଚଳିବାକୁ ପଡେ଼। ସ୍ତମ୍ଭ ଭାଙ୍ଗିବା ଦୃଶ୍ୟର କିଛି ସମୟ ପୂର୍ବରୁ ନୃସିଂହମୁଖାକୁ କପଡ଼ାରେ ଗୁଡେ଼ଇ ସ୍ତମ୍ଭ ଭିତରକୁ ଅଣାଇ ପୂଜାବିଧି କରାଯାଏ। ଏହି ଦୃଶ୍ୟବେଳେ ଲୋକଙ୍କ ମନରେ ଭୟଭାବର ଉଦ୍ରେକ ହୋଇସାରିଥାଏ। ସମ୍ବେଦନଶୀଳ, ବିଦଗ୍ଧ ଶ୍ରୋତା ଓ ଦର୍ଶକଙ୍କ ପାଇଁ ହିଁ ନାଟକ ବଞ୍ଚୁଛି।
ରଜାନାଟ ଓଡ଼ିଶାର ଦକ୍ଷିଣ ଭାଗରେ ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଶ୍ରୀବୃଦ୍ଧି ହୋଇପାରିଛି। ନାଟକର ପ୍ରଦର୍ଶନ ସମୟ ସୀମା ୧୨ ଘଣ୍ଟାରୁ ସାତରାତି ପର୍ଯ୍ୟନ୍ତ ଅଭିନୟ ହୋଇପାରେ। ନାଟକ ପ୍ରାରମ୍ଭରେ ଏକ ମୁକ୍ତାକାଶ ରଙ୍ଗମଞ୍ଚ ଚୟନ କରାଯାଇ ସାତଟି କାଠପଟାରେ ମଞ୍ଚ ନିର୍ମାଣ କରାଯାଇଥାଏ। ଯାହାକି ହିରଣ୍ୟକଶିପୁର ସିଂହାସନ ବିବେଚିତ ହୁଏ। ମଞ୍ଚଟି ପାବଚ୍ଛାକାର ବା ସୋପାନାକାରରେ ତିଆରି ହୋଇଥାଏ। ମଞ୍ଚ ବା ସିଂହାସନ ସମ୍ମୁଖ ସ୍ଥଳରେ ହିଁ ଅଭିନୟ ହୁଏ।
ପ୍ରଥମେ ନଟ ବା ଗାୟକମାନେ ଆସି ମଣ୍ଡଳ ପୂଜା କରିବା ପରେ ନାଟକଟି ନିର୍ବିଘ୍ନରେ ସମ୍ପାଦିତ ହେବା ପାଇଁ ବିଘ୍ନବିନାଶକ ଶ୍ରୀ ଗଣେଶଙ୍କ ବନ୍ଦନା ଗାନ କରାଯାଏ। ନାଟକରେ ଯେ କୌଣସି ଗୀତର ରାଗ ମୁଖବୀଣାରୁ ଆରମ୍ଭ ହୁଏ। ଅତଏବ ମୁଖବୀଣା ହିଁ ନାଟକର ପ୍ରମୁଖ ଓ ବିଶେଷ ବାଦ୍ୟଯନ୍ତ୍ର। ଶ୍ରୀଗଣେଶ ମୁଖାଧାରୀ କଳାକାର ଆସି କିଛି ସମୟ ନାଚି ତଥାସ୍ତୁ ପୂର୍ବକ ବର ପ୍ରଦାନ କରିଥାନ୍ତି। ପରେ ପରେ ରାଜା ହିରଣ୍ୟକଶିପୁ ନିଜ ପାତ୍ରମନ୍ତ୍ରୀଙ୍କ ସହ ମଞ୍ଚକୁ ଆରୋହଣ କରିବାକୁ ଯେଉଁପରି ପଟୁଆରରେ ଆସନ୍ତି, ତାହା ଖୁବ ଉପଭୋଗ୍ୟ ହୋଇଥାଏ। କିଛି ଘଣ୍ଟାର ଅଭିନୟ ପରେ ପ୍ରହ୍ଲାଦ ଆସି ‘ଚିନ୍ତନ ହୃଦୟ କରି, ଶ୍ରୀ ହରି.. ମୁଖରେ ନାମ ଉଚ୍ଚାରି’ ଭକ୍ତିରସର ନୈବେଦ୍ୟ ପୂର୍ବକ ମଞ୍ଚକୁ ପ୍ରବେଶ କରନ୍ତି।
ନାଟକରେ କଳାକାରଙ୍କର ବେଶପୋଷାକ ସବୁ ମୋଗଲକାଳୀନ ବେଶ ସହ ସାମଞ୍ଜସ୍ୟ ରଖେ। ଦକ୍ଷିଣର କଥାକଳୀ ଅଥବା କୁଡ଼ିଆଟମ୍ର ପ୍ରଭାବ ବେଶ ଅନୁଭୂତ ହୁଏ। ରଜା ଓ ପ୍ରହ୍ଲାଦର ମୁକୁଟ ଦୁଇ ଓ ଦେଢ଼ଫୁଟ ଉଚ୍ଚତା ବିଶିଷ୍ଟ ହୋଇଥାଏ। ଦ୍ୱାରୀ ଓ ରଜା ଉଭୟେ ଖଡ୍ଗ ଏବଂ ଗଦାର ବ୍ୟବହାର କରୁଥିବା ବେଳେ ରଜା ଶ୍ମଶ୍ରୁଳଧାରୀ ଏବଂ ମୁହଁରେ ରକ୍ତିମ ବର୍ଣ୍ଣର ରଙ୍ଗ ମାଖିଥାନ୍ତି। କାରଣ ରଜାଙ୍କ ଅଭିନୟରେ ଭୟ ଏବଂ ରାଗୀ ସ୍ୱଭାବ ଫୁଟିବାକୁ ଏହା ପ୍ରଯୁଜ୍ୟ। ଗଞ୍ଜାମରେ ନାଟକର ଶେଷ ଦୃଶ୍ୟରେ ଏକ ସ୍ତମ୍ଭ ଉପରକୁ ରଜା ଗଦା ଫିଙ୍ଗିଥାଏ।
ଓଡ଼ିଶା ବିଶେଷ କରି ଗଞ୍ଜାମରେ ଶତାଧିକ ରଜାନାଟ ଦଳ ରହି ପରମ୍ପରାକୁ ବଜାୟ ରଖିଛନ୍ତି। ଏପରିକି ରଜାନାଟକର ଜନ୍ମସ୍ଥାନ କୁହାଯାଉଥିବା ଜଳନ୍ତରଗଡ଼ ଏବଂ ତା’ର ଆଖପାଖ ଗାଁ ସବୁରେ ଅଦ୍ୟାବଧି ପୁରୁଖା କଳାକାର ଏବଂ ନାଟକ ଦଳମାନ ରହି ଜୀବନ ଜୀବିକା ସହ ସଂଗ୍ରାମ କରି ସୁଦ୍ଧା ଦେଢ଼ଶହ ବର୍ଷର କଳା, ସଙ୍ଗୀତର ଅନନ୍ୟ ପରମ୍ପରାକୁ ବଞ୍ଚାଇ ରଖିବାରେ ଏବେ ସୁଦ୍ଧା ସଫଳ ପ୍ରୟାସୀ।
ବ୍ରଜଧାମର ନୃସିଂହ ନୃତ୍ୟ :
ବ୍ରଜର ଅନନ୍ୟ ନୃତ୍ୟ ପରମ୍ପରା ନୃସିଂହଲୀଳା କେବଳ ନୃସିଂହ ଚତୁର୍ଦ୍ଦଶୀ ରାତିରେ ମଥୁରା ଓ ବୃନ୍ଦାବନର କେତୋଟି ଇଲାକାରେ ଆୟୋଜିତ ହୁଏ। ଏହି ଲୀଳା ନୃତ୍ୟପ୍ରଧାନ ବିଦ୍ୟା ଯେଉଁଥିରେ କୌଣସି ନାଟକ ସମ୍ପର୍କିତ ବିଦ୍ୟା ନାହିଁ। ଯେଉଁ ଅଞ୍ଚଳରେ ବା ପ୍ରଭାବଗୋଷ୍ଠୀ ଅଞ୍ଚଳରେ ନୃସିଂହ ନୃତ୍ୟ ହୁଏ, ସେହି ସାହି ବା ଇଲାକାର ଗଳିକୁ ମଞ୍ଚ ଭାବେ ବ୍ୟବହାର କରାଯାଏ। ଗଳିର ଦୁଇମୁଣ୍ଡରେ ରାସ୍ତା ବନ୍ଦ କରି ଦିଆଯାଏ। ଦୁଇପଟର ଦୂରତାର ସୀମା ପ୍ରାୟ ଦେଢ଼ ଫର୍ଲଙ୍ଗ। ଏହି ଦୂରତା ମଧ୍ୟରେ ବିଭିନ୍ନ ବେଶଭୂଷାରେ ସୁସଜ୍ଜିତ ହୋଇ କଳାକାରମାନେ ନୃତ୍ୟ କରିବା ସହ ଚକ୍କର କାଟନ୍ତି। ଏହି ନୃତ୍ୟରତ କଳାକାରଙ୍କ ସହ ଏକ ସାମୂହିକ ବାଦ୍ୟକାରମାନେ ନୃତ୍ୟରତ କଳାକାରଙ୍କ ପଛରେ ବାଜା ବଜାଇ ଯା’ଆସ କରନ୍ତି।
ବ୍ରଜଧାମର ନୃସିଂହ ନୃତ୍ୟରେ ଲବଣାସୁର, ଶତ୍ରୁଘ୍ନ, ହିରଣ୍ୟକଶିପୁ ଏବଂ ବରାହ, ବ୍ରହ୍ମା, ମହାଦେବ ଆଦି ଦେବତା ଗଳିର ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ କ୍ରମରେ ଆସି ନୃତ୍ୟ କରିବା ପରେ ପ୍ରସ୍ଥାନ ହୋଇଯାନ୍ତି। ମଝିରେ ମଝିରେ ସ୍ୱଳ୍ପ ସମୟର ବିରାମ ନେଇ ସାରା ରାତି ଏହି ଲୀଳା ଚାଲେ। ଭୋର ସମୟରେ (ସୂର୍ଯ୍ୟୋଦୟ ପୂର୍ବରୁ) ଅସ୍ତବ୍ୟସ୍ତ ବେଶ ବିନ୍ୟାସରେ ବିକଟ ମୁହଁଧାରୀ ରାକ୍ଷସର ସୁଆଙ୍ଗ ନୃତ୍ୟ ଆରମ୍ଭ ହୁଏ। ଏହାପରେ ହିରଣ୍ୟକଶିପୁର ବୀର ନୃତ୍ୟ ପରେ ହଳଦିଆ ବସ୍ତ୍ର ପିନ୍ଧି ବାଳକ ପ୍ରହ୍ଲାଦ ନିଜର ସାଥୀମାନଙ୍କ ସହ ମଣ୍ଡପକୁ ଆସି ନୃତ୍ୟ କରିବା ଆରମ୍ଭ କରେ। ଏତିକି ସରୁ ସରୁ ସୂର୍ଯ୍ୟୋଦୟ ହୋଇଯାଏ।
ସକାଳ ଆଠଟା ବେଳେ କାଗଜ ବା ସୋଲରେ ନିର୍ମିତ ଏକ ବଡ଼ ପୋଲା ଖମ୍ବ ଠିଆ କରାଯାଇଥାଏ। ସେହି ଖମ୍ବ ଉପରକୁ ହିରଣ୍ୟକଶିପୁ ତରବାରୀ ଫିଙ୍ଗିଥାଏ। ତରବାରୀ ଖମ୍ବରେ ବାଜିବା ମାତ୍ରେ ଖମ୍ବକୁ ଚିରି ସେଥିମଧ୍ୟରୁ ନୃସିଂହ ଭଗବାନ ଭୟଙ୍କର ମୁଦ୍ରାରେ ନୃତ୍ୟ କରି କରି ମଣ୍ଡପ ମଧ୍ୟକୁ ଆସନ୍ତି। ଏହି ନୃସିଂହ ବେଶଭୂଷା ଏବଂ ନିଜ ନୃତ୍ୟ ମୁଦ୍ରାରୁ ତାହା ରୌଦ୍ରରସ ବୋଲି ପ୍ରମାଣିତ ହୁଏ। ନାଚି ନାଚି ମଣ୍ଡପର ଦୁଇ ଦୂରତାଯାକ ପୂର୍ଣ୍ଣ କରନ୍ତି। ନୃତ୍ୟ ସରିବା ପରେ ଶ୍ରୀ ନୃସିଂହ ହିରଣ୍ୟକଶିପୁକୁ ଧରି ପକାଇ ତାକୁ ନିଜ ଜଙ୍ଘ ଉପରେ ଶୁଆଇ ଦେଇ ତାର ପେଟ ଚିରିବା ଅଭିନୟ କରିଥାଏ। ଏହାପରେ ନୃସିଂହଙ୍କ କୋଳରେ ବସିଲାପରେ ନୃସିଂହ ଲୀଳା ସମାପ୍ତ ବୋଲି ଧରାଯାଏ ।
ମଥୁରା ବୃନ୍ଦାବନରେ ଏହି ନୃସିଂହ ଲୀଳା ଅତି ପ୍ରାଚୀନ କାଳରୁ ଆରମ୍ଭ। ପୁରାଣରେ ମଥୁରାମଣ୍ଡଳକୁ ବାର୍ହା ମଣ୍ଡଳ କୁହାଯାଉଥିଲା। ଅତଏବ ବରାହ ଓ ହିରଣ୍ୟକଶିପୁ ନୃତ୍ୟ ଖୋଦ୍ ଏହି ଲୀଳାର ପ୍ରାଚୀନତାକୁ ସାବ୍ୟସ୍ତ କରେ। ଇତିହାସରୁ ଜଣାଯାଇଛି କି ମଥୁରା ନଗରୀ ମଧୁ ନାମକ ଜଣେ ଧର୍ମପରାୟଣ ରାଜାଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା।
କିନ୍ତୁ ରାଜା ମଧୁଙ୍କର ଅତ୍ୟାଚାରୀ ପୁତ୍ର ଲବଣକୁ ଶ୍ରୀରାମଙ୍କର ଅନୁଜ ଶତ୍ରୁଘ୍ନ ବଧ କରି ଏହି ନଗରୀର ପୁନଃସ୍ଥାପନ କଲେ। ଏପରି କ୍ଷେତ୍ରରେ ଯେବେ ନୃସିଂହ ଲୀଳାରେ ଲବଣ ଓ ଶତ୍ରୁଘ୍ନ ଜଣକ ପରେ ଜଣେ ନୃତ୍ୟାବିଭନୟ କରନ୍ତି। ଏହି ଲୀଳାର ପ୍ରାଚୀନତା ସ୍ୱୟଂସିଦ୍ଧ ହୋଇଯାଏ। ଗଞ୍ଜାମର ରଜାନାଟ ପରି ବ୍ରଜଧାମ ନୃସିଂହ ଲୀଳାର ମଧ୍ୟ ଦକ୍ଷିଣର କଥାକଳୀ ନୃତ୍ୟ ଶୈଳୀ ସହ ସାମଞ୍ଜସ୍ୟ ରହିଛି। ଏହି ନୃତ୍ୟର ପଦ ସଞ୍ଚାଳନ ତଥା ନୃତ୍ୟ ସାଥେ ସାଥେ ବାଜୁଥିବା ବଡ଼ ବଡ଼ ଝାଞ୍ଜ (ଗିନିର ବଡ ଆକାର)ର ଦୁନ୍ଦୁଭି ଏବଂ ଭଗବାନ ନୃସିଂହ ଲୀଳାର ମୁଖା କଥାକଳୀର ମୁଖାଠାରୁ ଅଧିକ ବଡ଼ ଓ ଭୟଙ୍କର ହୋଇଥାଏ। ଏହି ମୁଖା ଧାରଣ କରିବା ପାଇଁ ଉଦ୍ଧିଷ୍ଟ କଳାକାରର ମୁହଁ ଚାରିପଟେ କପଡ଼ାର କିଛି ଘେର ବାନ୍ଧି ଦିଆଯାଏ। ଫଳରେ ନୃସିଂହ ମୁଖା ପିନ୍ଧିବାକୁ ଅତି ସହଜ ହୋଇଥାଏ। ମୁଖାଟି ଏତେ ଓଜନିଆ ଯେ ନୃତ୍ୟ ସମୟରେ ନୃସିଂହ ଅବତାରକୁ ଆୟତ୍ତ କରିବାକୁ ଦୁଇଜଣ ବ୍ୟକ୍ତି ନୃସିଂହମୁଖା ଧାରଣ କରିଥିବା କଳାକାରର ଅଣ୍ଟାକୁ ଭିଡ଼ି ତାକୁ ନଚାନ୍ତି ଏବଂ କିଛିଜଣ ମଧ୍ୟ ହାତରେ ହାତପଙ୍ଖା (ବିଛଣା) ଧରି କଳାକାର ଜଣକର ମୁହଁକୁ ବିଞ୍ଚି ଚାଲିଥାନ୍ତି। ଯାହାଫଳରେ କି କଳାକାରଜଣକ ବାୟୁ ଅଭାବରେ ବ୍ୟତିବ୍ୟସ୍ତ ହୋଇନଥାନ୍ତି। ନୃସିଂହ ସ୍ୱରୂପ ଓ ନୃତ୍ୟ ଏତେ ଭୟଙ୍କର ଥାଏ ଯେ ଛୋଟଛୋଟ ପିଲାମାନେ ଡରି କରି ଦୌଡ଼ନ୍ତି ଅଥବା ଆଖି ମିଟି ମିଟି କରୁଥାନ୍ତି।
ଏହି ନୃସିଂହ ଲୀଳା ଏକ ଧାର୍ମିକ ଅନୁଷ୍ଠାନ ରୂପେ ମାନ୍ୟତା ପାଏ। ଶ୍ରୀ ନୃସିଂହ ଲୀଳାରେ ଧାରଣ କରାଯାଉଥିବା ନୃସିଂହଙ୍କ ମୁଖା ଇଲାକାର କୌଣସି ମନ୍ଦିର କିମ୍ବା ଏକ ପବିତ୍ର ସ୍ଥାନରେ ବର୍ଷ ତମାମ ରଖାଯାଇ ମୂର୍ତ୍ତି ପରି ପୂଜା କରାଯାଇଥାଏ। ଭୋଗରାଗ ମଧ୍ୟ ହୁଏ। ନୃସିଂହ ଲୀଳା ପୂର୍ବରୁ ଏଇ ମୁଖାର ଏକ ବିଶେଷ ପୂଜା କରାଯାଇ ହାଲୁଆ ଭୋଗ କରି ସମ୍ପୃକ୍ତ ଇଲାକାରେ ବାଣ୍ଟି ଦିଆଯାଏ। ପ୍ରସାଦ ପାଇ ଅଞ୍ଚଳର ସମସ୍ତେ ଜାଣିପାରନ୍ତି ଯେ ନୃସିଂହ ଲୀଳା ଅଭିନୀତ ହେବାକୁ ଯାଉଛି। ପରେ ପରେ ବ୍ୟାପକ ଭାବେ ଲୀଳା ମଞ୍ଚସ୍ଥ ପାଇଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଯାଏ। ଏହି ପ୍ରକାରେ ବ୍ରଜଧାମରେ ନୃସିଂହ ଲୀଳା ବା ନୃତ୍ୟ ଏକ ଶିଷ୍ଟ ପରମ୍ପରାରେ ଚାଲିଆସୁଛି।
ଦୁଇ ଅଞ୍ଚଳ ମଧ୍ୟରେ ଅନେକ ଫରକ ରହିଥିଲେ ହେଁ ଏ ପ୍ରକାର ଅନନ୍ୟ ଲୋକନାଟକ କିନ୍ତୁ ମାନସିକ ଭାବେ ବ୍ରଜଧାମ ଏବଂ ଓଡ଼ିଶାକୁ ଏକ କରିପାରିଛି। ପରମ୍ପରାରୁ ଚଳି ଆସୁଥିବା ଏହି ଲୋକନାଟକ ସବୁର ଉନ୍ନତି ପାଇଁ ସମ୍ପୃକ୍ତ ରାଜ୍ୟର ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ପ୍ରୟାସୀ ରହିବା ଉଚିତ।
(ବିଘ୍ନେଶ୍ୱର ଜଣେ ବରିଷ୍ଠ ସାମ୍ବାଦିକ ଓ ଲେଖକ। ବିଶେଷକରି ଓଡ଼ିଶାର ଲୁପ୍ତପ୍ରାୟ କଳା ପରମ୍ପରା ଉପରେ ଗବେଷଣା କରି ସେ ବିଭିନ୍ନ ସମୟୋପଯୋଗୀ ଲେଖା ଉପସ୍ଥାପନ କରିଆସୁଛନ୍ତି।)
Excellent.