ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୋକ ଲାଗିବା ପରେ ଏବେ ଲଘୁଚାପ ବର୍ଷା ଚାଷୀ ପାଇଁ କାଳ ହୋଇଛି। ପାଚିଲା ଧାନ ବର୍ଷା ପାଣିରେ ବୁଡ଼ି ରହିଛି। କ୍ଷୟକ୍ଷତି ଆକଳନ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଚାଷୀ ସରକାରଙ୍କ ଉପରେ ଭରସା ନକରି ଜୀବନ ହାରୁଛନ୍ତି।

ଫସଲହାନି ପାଇଁ ରାଜ୍ୟ ସରକାର ପ୍ୟାକେଜ ଘୋଷଣା କରିଛନ୍ତି। ହେଲେ ଏହି ପ୍ୟାକେଜ ଚାଷୀଙ୍କ ମହଲରେ ଗ୍ରହଣୀୟ ହୋଇପାରି ନଥିବା ଜଣାପଡ଼ିଛି। ଯେଉଁଥିପାଇଁ ଚାଷୀ ଆତ୍ମହତ୍ୟା ବଢ଼ି ଚାଲିଛି। ବରଗଡ଼ ପରେ ଗଞ୍ଜାମ ଜିଲ୍ଲାକୁ ଚାଷୀ ଆତ୍ମହତ୍ୟା ଡେଇଁଛି।

୧୫ ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଆଉ ଜଣେ ଚାଷୀ ଜୀବନ ହାରିବା ଚର୍ଚ୍ଚାର ବିଷୟ ପାଲଟିଛି। ମୃତ ଚାଷୀ ଜଣକ ହେଲେ ଗଞ୍ଜାମ ଜିଲ୍ଲା ବଉଳଝୋଲି ଗାଁର ରାଜେନ୍ଦ୍ର ଭୂୟାଁ।

ରାଜେନ୍ଦ୍ର ଭୂୟାଁ ହେଉଛନ୍ତି ଜଣେ ଭାଗଚାଷୀ। ଚାଷ ପାଇଁ ତାଙ୍କୁ କୌଣସି ବ୍ୟାଙ୍କ ଋଣ ନଦେବାରୁ ସେ ଗାଁ ମହାଜନଙ୍କଠାରୁ ଟଙ୍କା ଆଣିଥିଲେ। ହେଲେ ଲଘୁଚାପ ବର୍ଷା ସବୁ ବିଗାଡ଼ିଦେଲା। ଲଗାଣ ବର୍ଷାରେ ଫସଲ ନଷ୍ଟ ହେବାରୁ ରାଜେନ୍ଦ୍ର କୀଟନଶକ ପିଇ ଦେଇଥିବା ପରିବାରବର୍ଗ କହିଛନ୍ତି।

ରାଜେନ୍ଦ୍ରଙ୍କ ପରିବାରବର୍ଗ କହିଛନ୍ତି, “ଶୁକ୍ରବାର ରାତିରେ ରାଜେନ୍ଦ୍ର ଘରେ ଶୋଇଥିଲେ। ହେଲେ ସକାଳୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହ ନିକଟରୁ କୀଟନାଶକ ରହିଥିବା ଦେଖିବାକୁ ମିଳିଛି।”

ଖବରପାଇ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି। ତେବେ ଆତ୍ମହତ୍ୟାର କାରଣ କ’ଣ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଫିସର କହିଛନ୍ତି।

ନଭେମ୍ବର ୩ରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ଚାଷୀ ଆତ୍ମହତ୍ୟା କରିଥିଲେ। ମୃତ ଚାଷୀ ଜଣକ ହେଲେ ଅଳୟ ଜେନା। ତାଙ୍କ ଅଢ଼େଇ ଏକର ଫସଲରେ ପୋକ ଲାଗିଯିବାରୁ ଅଳୟ ବିଷ ପିଇ ଦେଇଥିବା ଅଭିଯୋଗ ହୋଇଥିଲା।

Comment