ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ ଅନ୍ୟ ଏକ ମଞ୍ଚରେ ଅଭିନୟ କରି ବିବାଦୀୟ ହୋଇପଡ଼ିଛନ୍ତି। ଚଳିତବର୍ଷ କିଏ ହେବେ କଂସ ସେଥିପାଇଁ ମଙ୍ଗଳବାର ହେବ ଅଡିସନ୍।

ପାଖେଇ ଆସୁଛି ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଡିସେମ୍ବର ୨୩ରୁ ବରଗଡ଼ରେ ଚାଲିବ କଂସ ରାଜୁତି। ହେଲେ ଚଳିତବର୍ଷ ଧନୁଯାତ୍ରାରେ କିଏ କଂସ ଭୂମିକାରେ ଅଭିନୟ କରିବେ ତାହା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇପାରି ନାହିଁ। କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ ଅନ୍ୟ ଏକ ମଞ୍ଚରେ ଅଭିନୟ କରି ବିବାଦୀୟ ହୋଇ ପଡ଼ିଛନ୍ତି। ଏଣୁ ତାଙ୍କ ସ୍ଥାନରେ ଜଣେ ନୂଆ ମୁହଁଙ୍କୁ କଂସ ଭୂମିକାରେ ଦେଖିବାକୁ ମିଳିବ। ଏଥିପାଇଁ ଆରମ୍ଭ ହୋଇଛି ଅଡିସନ।

୨୩ରୁ ୧୧ ଦିନ ଧରି ଚାଲିବ ଧନୁଯାତ୍ରା। ଚାଲିବ କଂସ ରାଜୁତି। ମୁକ୍ତ ମଞ୍ଚରେ କଂସଙ୍କ ଅଭିନୟକୁ ଦର୍ଶକ ଉପଭୋଗ କରିବେ। ତେବେ କଂସ କିଏ ହେବ ତାକୁନେଇ ଲାଗି ରହିଛି କଳ୍ପନାଜଳ୍ପନା। ହେଲେ କଂସ ପାଇଁ ବରଗଡ଼ର କିଛି ସଚେତନ ନାଗରିକ ଆରମ୍ଭ କରିଛନ୍ତି ଅଭିଯାନ। ଭୋଟ ମାଧ୍ୟମରେ କଂସ ବାଛିବାକୁ ଜନସାଧାରଣଙ୍କୁ ସୁଯୋଗ ମିଳିଛି। ଏହି କ୍ରମରେ ୨୩ ବର୍ଷ ଧରି କଂସ ଭୂମିକାରେ ଅଭିନୟ କରିଥିବା ଗୋପାଳ ସାହୁଙ୍କୁ ସର୍ବାଧିକ ୮୮୯ଟି ଭୋଟ ମିଳିଛି। ସେହିପରି ୮ ବର୍ଷ ଧରି ଅଭିନୟ କରୁଥିବା ହୃଷିକେଶ ଭୋଇଙ୍କୁ ୧୦୫ ଖଣ୍ଡ ଭୋଟ ମିଳିଛି। କଂସ ଭୂମିକାରେ ଅଭିନୟ କରିବା ପାଇଁ ମୋଟ ୨୦ ଜଣ ଆଶାୟୀ ଅଛନ୍ତି।

କଂସ ବାଛିବା ପାଇଁ ମଙ୍ଗଳବାର ବସୁଛି ଧନୁଯାତ୍ରା କମିଟି ବୈଠକ। ବୈଠକ ପରେ ଅଡିସନ୍ ହେବ। ଆଉ ଧନୁଯାତ୍ରା ପାଇଁ ବଛା ହେବେ କଂସ। କମିଟି ସଦସ୍ୟ ଏବଂ ଜନସାଧାରଣଙ୍କ ଉପସ୍ଥିତିରେ ଆଶାୟୀମାନେ ନିଜ ପ୍ରତିଭା ପ୍ରଦର୍ଶନ କରିବେ। ଏପଟେ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ପାଇଁ ରବିବାର ଶୁଭସ୍ତମ୍ଭ ସ୍ଥାପନ ହୋଇଛି।

LEAVE A REPLY

Please enter your comment!
Please enter your name here