ଓଡ଼ିଶାଲାଇଭ୍ ବ୍ୟୁରୋ

  • ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପକୁ ନେଇ ହୋ-ହଲ୍ଲା
  • ବିଧାନସଭାରେ ବିବୃତି ଦେଲେ ମୁଖ୍ୟମନ୍ତ୍ରୀ
  • ଅସନ୍ତୁଷ୍ଟ ହୋଇ କକ୍ଷ ତ୍ୟାଗ କଲେ ବିଜେପି ସଭ୍ୟ
  • ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଦେଲେ ଧାରଣା
  • ବିରୋଧୀଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ
  • ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି କହି ସମାଲୋଚନା କଲେ
  • ଉଭୟ ବିଜେପି-ବିଜେଡିକୁ ଟାର୍ଗେଟ କଲା କଂଗ୍ରେସ

ଚାଷ ଓ ଚାଷୀଙ୍କ ସମସ୍ୟାକୁ ନେଇ ୪ ଦିନ ହେଲା ହୁଲସ୍ତୁଲ ହେଉଥିବା ବିଧାନସଭାର ଶିତକାଳୀନ ଅଧିବେଶନରେ ମଙ୍ଗଳବାର ଗଙ୍ଗାଧର ମେହେର ସେଚ ପ୍ରକଳ୍ପ ପ୍ରସଙ୍ଗ ଉଠାଇଥିଲେ ବିଜେପି ସଭ୍ୟ। ଏହି ପ୍ରସଙ୍ଗ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ବିବୃତି ଦେଇଥିଲେ। ହେଲେ ଏଥିରେ ଅସନ୍ତୁଷ୍ଟ ହୋଇ ବିଜେପି ସଭ୍ୟ ହୋ-ହଲ୍ଲା କରିଥିଲେ। ଫଳରେ ଗୃହ କାର୍ଯ୍ୟରେ ବାଧା ଉପୁଜିଥିଲା।

ମୁଖ୍ୟମନ୍ତ୍ରୀଙ୍କ ବିବୃତିରେ ଅସନ୍ତୋଷ ପ୍ରକାଶ କରି ବିଜେପି ସଭ୍ୟ କକ୍ଷ ତ୍ୟାଗ କରିଥିଲେ। ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ।

ବିଜେପି ସଭ୍ୟଙ୍କ ଏଭଳି ଆଚରଣକୁ ମୁଖ୍ୟମନ୍ତ୍ରୀ ସିଧାଳସଳଖ ସମାଲୋଚନା କରିଥିଲେ। ଗଣମାଧ୍ୟମ ଆଗରେ କହିଥିଲେ, “କୁମ୍ଭୀର କାନ୍ଦଣା ନକାନ୍ଦି ବ୍ରାହ୍ମଣୀ ବ୍ରିଜ ନିର୍ମାଣ କର” ବୋଲି କହିଥିଲେ।

ସୋମବାର ଉଭୟ ବିଜେପି ଏବଂ କଂଗ୍ରେସ ସଭ୍ୟ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଏବଂ ମହିଳା ସୁରକ୍ଷାକୁ ନେଇ ଗୃହରେ ହୋ-ହଲ୍ଲା କରିଥିଲେ। ଗଙ୍ଗାଧର ଜଳସେଚନ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଟଙ୍କାଟିଏ ବରାଦ କରି ନାହାନ୍ତି କାହିଁକି ବୋଲି ବିରୋଧୀ ପ୍ରଶ୍ନ କରିଥିଲେ। ଏନେଇ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖନ୍ତୁ ବୋଲି ବିରୋଧୀ ଦାବି କରିଥିଲେ।

ମଙ୍ଗଳବାର ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣୀ ମୁଖ୍ୟମନ୍ତ୍ରୀ ସେଚ ପ୍ରକଳ୍ପ ଉପରେ ବିବୃତି ଦେଇଥିଲେ। କହିଥିଲେ ବିରୋଧୀ ଯେଉଁ ଅଭିଯୋଗ ଆଣୁଛନ୍ତି ସେଥିରେ କିଛି ସତ୍ୟତା ନାହିଁ।

ମୁଖ୍ୟମନ୍ତ୍ରୀ କହିଥିଲେ, “ବରଗଡ଼ ଜିଲ୍ଲାର ଜଳସେଚନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଘୋଷଣା କରିଥିଲେ। ୨୦୧୭-୧୮ ବଜେଟରେ ଅନ୍ୟ ୫୮ ପାଇପ୍ ଲାଇନ୍ ପ୍ରକଳ୍ପ ସହ ଗଙ୍ଗାଧର ମେହେର ସେଚ ପ୍ରକଳ୍ପ ପାଇଁ ଟଙ୍କା ବ୍ୟୟବରାଦ କରାଯିବ।”

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଏହି ପ୍ରକଳ୍ପ ପାଇଁ କାମ ଆରମ୍ଭ ହୋଇଛି। ଇଞ୍ଜିନିୟରମାନେ ପ୍ରକଳ୍ପସ୍ଥଳ ଅନୁଧ୍ୟାନ କରି ଫେରିଛନ୍ତି। ଏହି ପ୍ରକଳ୍ପ ପାଇଁ ୧୨୪୬.୫୬ କୋଟି ବ୍ୟୟବରାଦ ହୋଇଛି। ବିଜେପୁର, ସୋହେଲା ଏବଂ ବରପାଲ୍ଲି ବ୍ଲକକୁ ସଳସେଚନ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।

ହେଲେ ଅତିରିକ୍ତ ବଜେଟରେ ଏହି ପ୍ରକଳ୍ପ ପାଇଁ ଟଙ୍କାଟିଏ ବ୍ୟୟବରାଦ ହୋଇ ନଥିବାରୁ ବିଜେପି ସରକାରଙ୍କୁ ଘେରିଥିଲା। ସରକାର ବିଜେପୁରବାସୀଙ୍କ ସହ ଚଳନା କରିଥିବା ଅଭିଯୋଗ କରିଥିଲା।

ମୁଖ୍ୟମନ୍ତ୍ରୀଙ୍କ କୁମ୍ଭୀର କାନ୍ଦଣା ମନ୍ତବ୍ୟ ଉପରେ ଜବାବ ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି। କହିଛନ୍ତି, “କଂଗ୍ରେସ କେବେ କୁମ୍ଭୀର କାନ୍ଦଣା କାନ୍ଦେନି। କଂଗ୍ରେସ ସବୁବେଳେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛି। ହେଲେ କୁମ୍ଭୀର କାନ୍ଦଣା କାନ୍ଦିବା ହେଉଛି ବିଜେପି ଏବଂ ବିଜେଡିର ପୁରୁଣା ଅଭ୍ୟାସ।”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ବରଗଡ଼ ଜିଲ୍ଲାର ଚାଷୀଙ୍କୁ ଜଳ ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଗଙ୍ଗାଧର ମେହେରଙ୍କ ନାଁରେ ଜଳସେଚନ ପ୍ରକଳ୍ପ ଘୋଷଣା କରିଥିଲେ। ମାତ୍ର ନିକଟରେ ଉପସ୍ଥାପିତ ହୋଇଥିବା ଅତିରିକ୍ତ ବଜେଟରେ ଟଙ୍କାଟିଏ ଏହି ପ୍ରକଳ୍ପକୁ ଦିଆଯାଇ ନାହିଁ। ଏହା ଗଙ୍ଗାଧର ମେହେରଙ୍କ ପ୍ରତି ଅପମାନ ଛଡ଼ା ଆଉ କିଛି ନୁହେଁ।”

Comment