ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁରୁବାର ଦିନ ତମାମ୍ ବିଧାନସଭାରେ ମହାନଦୀ ପ୍ରସଙ୍ଗକୁ ନେଇ ତାତି ଦେଖିବାକୁ ମିଳିଥିଲା। ଶେଷରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଡାକିଥିଲେ ସର୍ବଦଳୀୟ ବୈଠକ। ମହାନଦୀ ଲଢ଼େଇ ପାଇଁ ଗୃହ କମିଟି ଗଠନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏଥିରେ ଏକମତ ହୋଇଛନ୍ତି ବିରୋଧୀ।
ମହାନଦୀକୁ ନେଇ ଗୁରୁବାର ଦିନ ତମାମ୍ ବିଧାନସଭାରେ ହଙ୍ଗାମା ହେଲା। ବିଜେଡି-ବିଜେପି-କଂଗ୍ରେସ ଗୃହ ହୁଲସ୍ତୁଲ୍ କଲେ। ଶେଷରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଡାକିଲେ ସର୍ବଦଳୀୟ ବୈଠକ। ଅପରାହ୍ନ ୫ଟାରେ ବିଧାନସଭାରେ ବାଚସ୍ପତି ଶ୍ରୀ ଅମାତଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ। ମତଭେଦ ଭୁଲି ସବୁ ଦଳର ନେତା ଏକାଠି ବସି ମହାନଦୀ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି।
ବୈଠକରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ, ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ଉପମୁଖ୍ୟ ସଚେତକ ରୋହିତ ପୂଜାରୀ, ବିଜେପି ବିଧାୟକ ନୀତେଶ ଗଙ୍ଗଦେବ। ପ୍ରାୟ ୧ ଘଣ୍ଟା ଧରି ହେଲା ଆଲୋଚନା। ଓଡ଼ିଶାର ଜୀବନରେଖା ମହାନଦୀର ସୁରକ୍ଷା ପାଇଁ କ’ଣ ବ୍ୟବସ୍ଥା କରାଯିବ ସେନେଇ ସମସ୍ତେ ଦେଲେ ମତାମତ।
ଶେଷରେ ଓଡ଼ିଶାର ଦାବିକୁ ଠିକ୍ ଭାବେ ଉପସ୍ଥାପନ କରିବା ପାଇଁ ସର୍ବଦଳୀୟ ଗୃହ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବରେ ସମସ୍ତେ ଏକମତ ହୋଇଛନ୍ତି।
ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ମହାନଦୀର ସୁରକ୍ଷା ପାଇଁ ଗୃହ କମିଟି ଗଠନ କରାଯିବ। ସବୁ ଦଳର ନେତାଙ୍କୁ ଏଥିରେ ସାମିଲ୍ କରାଯିବ। ଏହି ଗୃହ କମିଟି ନିରପେକ୍ଷ ଭାବେ କାମ କରିବ।”
ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରସ୍ତାବରେ ବିରୋଧୀ ଦଳ ଏକମତ ହୋଇଛନ୍ତି। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ଡିସେମ୍ବର ୧୧ ତାରିଖରେ ସୁପ୍ରିମକୋର୍ଟରେ ମହାନଦୀ ପ୍ରସଙ୍ଗରେ ଶୁଣାଣି କରାଯିବ। ୧୧ ତାରିଖ ପରେ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକିବେ। ଏହି ବୈଠକରେ ସବୁ ଦଳର ନେତା ଉପସ୍ଥିତ ରହି ସେମାନଙ୍କ ମତାମତ ଦେବେ। ମତାମତ ଗ୍ରହଣ କରିବା ପରେ ମହାନଦୀ ପ୍ରସଙ୍ଗରେ ଗୃହ କମିଟି ଯାହା ନିଷ୍ପତ୍ତି ନେବ ସେହି ଅନୁସାରେ ପଦକ୍ଷେପ ନିଆଯିବ।”
ମହାନଦୀ ଟ୍ରିବ୍ୟୁନାଲ ଗଠନ ପାଇଁ ବିଜେଡି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲା। କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ ହୋଇପାରିବ ନାହିଁ ବୋଲି ବୁଧବାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ୍ ହୋଇଛି। ଗୁରୁବାର ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ମହାନଦୀ ପ୍ରସଙ୍ଗକୁ ଅସ୍ତ୍ର କରିଥିଲା ବିରୋଧୀ କଂଗ୍ରେସ। କେନ୍ଦ୍ର ବିରୋଧରେ ନାରାବାଜି କରି କଂଗ୍ରେସ ସଭ୍ୟ ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ। ଓଡ଼ିଶାବାସୀ ପ୍ରତି କେନ୍ଦ୍ରର ଆନ୍ତରିକତା ନାହିଁ ବୋଲି କହିଥିଲେ। ଖାଲି ସେତିକି ନୁହେଁ, ଟ୍ରିବ୍ୟୁନାଲ ଗଠନ ପାଇଁ ଆବଶ୍ୟକ ତଥ୍ୟ ବିଜେଡି ଦେଇପାରି ନଥିବାରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲା କଂଗ୍ରେସ।








ଗୁରୁବାର ଦିନ ତମାମ୍ ବିଧାନସଭାରେ ମହାନଦୀ ପ୍ରସଙ୍ଗକୁ ନେଇ ତାତି ଦେଖିବାକୁ ମିଳିଥିଲା। ଶେଷରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଡାକିଥିଲେ ସର୍ବଦଳୀୟ ବୈଠକ। ମହାନଦୀ ଲଢ଼େଇ ପାଇଁ ଗୃହ କମିଟି ଗଠନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏଥିରେ ଏକମତ ହୋଇଛନ୍ତି ବିରୋଧୀ।






