ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘନଉଛି ଲଘୁଚାପ। ଅବପାତର ରୂପ ନେଇ ଓଡ଼ିଶା ମୁହାଁ ହୋଇଛି ଲଘୁଚାପ। ଏହାର ପ୍ରଭାବରେ ୮ ତାରିଖରୁ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଘନୀଭୂତ ହେଉଛି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ଘନୀଭୂତ ହୋଇ ଏହା ଉତ୍ତରପ-ପଶ୍ଚିମ ଦିଗକୁ ଗତି କରୁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଅବପାତର ରୂପ ନେବ। ଗୋପାଳପୁରଠାରୁ ପ୍ରାୟ ୮୪୦ କି ମି ଦୂରରେ ଲଘୁଚାପ କେନ୍ଦ୍ରୀଭୂତ ହୋଇଛି।

୯ ତାରିଖ ସକାଳେ ଏହା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ବର୍ଷା ହେବ।

ଲଘୁଚାପ ପ୍ରଭାବରେ ଗୁରୁବାର ସକାଳୁ ଆକାଶ ମେଘୁଆ ରହିଥିଲା। ତେବେ ୮ ତାରିଖ ରାତିରୁ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କୋରାପୁଟ, ମାଲକାନଗିରି, ଗଜପତି, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼ ଆଦି ଜିଲ୍ଲାରେ ବର୍ଷା ହୋଇପାରେ। ସେହିପରି ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ବର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ଯୋଗୁ ୪୫ରୁ ୫୫ କି ମି ବେଗରେ ପବନ ବହିବ। ୧୦ ତାରିଖ ପର୍ଯ୍ୟନ୍ତ ବର୍ଷା ଛାଡ଼ିବାର ସମ୍ଭାବନା ନଥିବା ପାଣିପାଗ ବିଭାଗ କହିଛି। ୧୧ ତାରିଖରେ ଅବପାତ ଦୁର୍ବଳ ହେବା ସହ କେତେକ ସ୍ଥାନରେ ବର୍ଷା ହୋଇପାରେ।

ଲଘୁଚାପ ଯୋଗୁ ଅଶାନ୍ତ ହୋଇଯାଇଛି ସମୁଦ୍ର। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ବାରଣ କରାଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ୨୯ର ଜିଲ୍ଲାର ଜିଲ୍ଲାପାଳ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ଅଧିକାଂଶ ଚାଷୀ ଫସଲ ଅମଳ କରି ନପାରି ଚିନ୍ତାରେ ପଡ଼ିଛନ୍ତି।

LEAVE A REPLY

Please enter your comment!
Please enter your name here