ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଗୋପାଳପୁରଠାରୁ ୧୫୦ କି ମି ଦୂରରେ ଅବପାତ
  • ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗ ଦେଇ ଗତି କରୁଛି ଅବପାତ
  • ୧୨ ତାରିଖ ପରେ କମିପାରେ ବର୍ଷା
  • ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ
  • ହ୍ରାସ ପାଇଛି ସର୍ବୋଚ୍ଚ ତାପମାତ୍ରା

ଅବପାତର ରୂପ ନେଇଛି ଲଘୁଚାପ। ଗୋପଳପୁର ବନ୍ଦରଠାରୁ ୧୫୦ କି ମି ଦୂରରେ ରହିଛି ଅବପାତ। ଘଣ୍ଟାକୁ ୨୦ କି ମି ବେଗରେ ଏହା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ବର୍ଷା। ଓଡ଼ିଶା ପ୍ରତି ବର୍ଷା ବିପଦ ଟଳିଥିଲେ ମଧ୍ୟ ଶନିବାର ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ଦକ୍ଷିଣ ଓଡ଼ିଶାର କୋରାପୁଟ, ଗଜପତି, ଗଞ୍ଜାମ, କଳାହାଣ୍ଡି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି।

୧୧ ତାରିଖ ଯାଏଁ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି। ୧୨ ତାରିଖ ପରେ ବର୍ଷା କମିପାରେ। ତେବେ ୧୦ ତାରିଖ ଯାଏଁ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିପାରେ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଅବପାତ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ମୁହାଁ ହୋଇଥିଲେ ମଧ୍ୟ ଘଣ୍ଟାକୁ ୪୫ରୁ ୫୫ କି ମି ବେଗରେ ପବନ ବହିବାର ଆଶଙ୍କା ରହିଛି। ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।

ଲଘୁଚାପ ପ୍ରଭାବ ଯୋଗୁ ରାଜ୍ୟରେ ଆକାଶ ମେଘୁଆ ରହିଛି। ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଛି। ଶୁକ୍ରବାର କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୧.୩ ଡିଗ୍ରୀ ରହିଥିବା ବେଳେ ସୁନ୍ଦରଗଡ଼ରେ ୧୧.୫, ଫୁଲବାଣୀରେ ୧୨ ଏବଂ ଭୁବନେଶ୍ବରରରେ ୧୯.୨ ଡିଗ୍ରୀ ରେକର୍ଡ କରାଯାଇଛି।

Comment