ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଷୀ ଆତ୍ମହତ୍ୟାର ଗଡ଼ ପାଲଟି ଯାଇଛି ବରଗଡ଼। ଜଣକ ପରେ ଜଣେ ଚାଷୀ ହାରୁଛନ୍ତି ଜୀବନ। ଗତ ଦୁଇ ମାସ ହେଲା ବରଗଡ଼ ଜିଲ୍ଲାରେ ଚାଷୀ ଆତ୍ମହତ୍ୟାର ତାଲିକା ଲମ୍ବି ଚାଲିଛି। ରାଜ୍ୟ ସରକାର ମରୁଡ଼ି ଓ ଚକଡ଼ା ପୋକ ପ୍ୟାକେଜ ଘୋଷଣା କରିଥିଲେ ମଧ୍ୟ ଆତ୍ମହତ୍ୟାରେ ଲାଗି ପାରୁନି ବ୍ରେକ୍।
ଓଡ଼ିଶାର ଭାତ ହାଣ୍ଡିର ଆଖ୍ୟା ପାଇଛି ବରଗଡ଼। ଏହି ଜିଲ୍ଲାର ଅଧିକାଂଶ ଚାଷୀ ଚାଷ ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଥାନ୍ତି। ହେଲେ ଗତ କିଛି ବର୍ଷ ହେଲା ଭାତହାଣ୍ଡିରେ ଚଡ଼କ ପଡ଼ିଛି। ମରୁଡ଼ି, ଚକଡ଼ା ପୋକ ଏବଂ ଅଦିନିଆ ବର୍ଷା ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଉଛି। ଫଳରେ ଜଣକ ପରେ ଜଣେ ଚାଷୀ ଜୀବନ ହାରୁଛନ୍ତି।
୨୦୧୭ ଅକ୍ଟୋବର ୨୬ ତାରିଖରୁ ବରଗଡ଼ ଜିଲ୍ଲାରେ ଆରମ୍ଭ ହୋଇଥିବା ଚାଷୀ ଆତ୍ମହତ୍ୟା ଏପର୍ଯ୍ୟନ୍ତ ଥମିବାର ନାଁ ଧରୁନି। ଅକ୍ଟୋବର ୨୬ରୁ ଡିସେମ୍ବର ୧୪ ତାରିଖ ଭିତରେ ୧୧ ଜଣ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ୧୫ ତାରିଖରେ ଆଉ ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି।
ଶୁକ୍ରବାର ଆତ୍ମହତ୍ୟା କରିଥିବା ଚାଷୀ ଜଣକ ହେଲେ ଉମେଶ ଜଗଦଳା। ଘର ତାଙ୍କର ଅତାବିରା ବ୍ଲକର ଭାଲୁପାଲି ଗାଁରେ।
ଉମେଶ ୪ ଏକର ଜମି ଭାଗକୁ ଆଣି ଧାନ ଚାଷ କରିଥିଲେ। ହେଲେ ଚକଡ଼ା ପୋକ ଫସଲ ଉଜାଡ଼ିଦେଲା। ଆଖି ଆଗରେ ଫସଲ ନଷ୍ଟ ହେବାର ଦୁଃଖ ସହି ପାରିଲେନି ଉମେଶ। ଶେଷରେ କୀଟନାଶକ ପିଇ ଦେଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ଉମେଶଙ୍କ ଆତ୍ମହତ୍ୟା ପରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇଥିଲେ। ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ। ହେଲେ ଚିରା ଚରିତ ଢଙ୍ଗରେ ତଦନ୍ତ ପରେ କ୍ଷତିପୂରଣ ମିଳିବ ବୋଲି ପ୍ରଶାସନ କହିଛି।
କେବଳ ଉମେଶ ନୁହନ୍ତି, ତାଙ୍କ ପରି ୧୧ ଜଣ ଚାଷୀ ଗତ ଦୁଇ ମାସରେ ଆତ୍ମହତ୍ୟା କଲେଣି। ହେଲେ ସରକାର ଚାଷୀ ଆତ୍ମହତ୍ୟାକୁ ସ୍ବୀକାର କରୁ ନାହାନ୍ତି। କେବଳ ଇନ୍ଦ୍ର ନୁହନ୍ତି, ଚାଷୀ ଜଗଦ୍ଦୀଶ ବୁଡେକ୍, ଅକ୍ଷୟ ଧରାଇ, ବୃନ୍ଦାବନ ସାହୁ, ପି ନବୀନ କୁମାର, ଭକ୍ତ ଭୁଏ, ପ୍ରଦୀପ ଖମାରୀ, ଦେବାନନ୍ଦ ରଣା, ଉମାକାନ୍ତ ସାହୁ, ଅର୍ଜୁନ ସତନାମି, ଦୈତାରୀ ରଣାଙ୍କ ଭଳି ଚାଷୀ ଜୀବନ ହାରିଛନ୍ତି।








ଚାଷୀ ଆତ୍ମହତ୍ୟାର ଗଡ଼ ପାଲଟି ଯାଇଛି ବରଗଡ଼। ଜଣକ ପରେ ଜଣେ ଚାଷୀ ହାରୁଛନ୍ତି ଜୀବନ। ଗତ ଦୁଇ ମାସ ହେଲା ବରଗଡ଼ ଜିଲ୍ଲାରେ ଚାଷୀ ଆତ୍ମହତ୍ୟାର ତାଲିକା ଲମ୍ବି ଚାଲିଛି। ରାଜ୍ୟ ସରକାର ମରୁଡ଼ି ଓ ଚକଡ଼ା ପୋକ ପ୍ୟାକେଜ ଘୋଷଣା କରିଥିଲେ ମଧ୍ୟ ଆତ୍ମହତ୍ୟାରେ ଲାଗି ପାରୁନି ବ୍ରେକ୍।







