ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି
ଖାତାରେ ପାଠ ଲେଖିବା ବଦଳରେ କରୁଥିଲେ ଚିତ୍ର। ବ୍ୟାଗ୍ରେ ବହି ରଖିବା ବଦଳରେ ବାହାରୁଥିଲା ପୁଳା ପୁଳା ଚିରାକାଗଜ। ପିଲାବେଳର ଏହି ଅଭ୍ୟାସ ହିଁ ତନ୍ମୟୀ ପାଢ଼ୀଙ୍କୁ ଆଜି କରିପାରିଛି ଚିତ୍ରକର। ବାଲେଶ୍ୱର ଆର୍ଟ ଏଣ୍ଡ କ୍ରାଫ୍ଟ କଲେଜରେ ଯୁକ୍ତ ଦୁଇର ଦ୍ୱିତୀୟ ବର୍ଷର ଛାତ୍ରୀ ତନ୍ମୟୀ ତାଙ୍କ ଚିତ୍ର ଦୁନିଆକୁ ନେଇ ଆଗକୁ ବଢ଼ିବାକୁ ଦେଖୁଛନ୍ତି ସୁନେଲି ସ୍ୱପ୍ନ।
‘‘ପିଲାବେଳେ ଚତ୍ର ଆଙ୍କୁଥିଲି। ଖାତାରେ ପାଠ ଲେଖିବା ବଦଳରେ ସେସବୁ ଭର୍ତ୍ତି ହେଉଥିଲା ମୋ ହାତ ଅଙ୍କା ଚିତ୍ରରେ। ଏଥିପାଇଁ ବାପାଙ୍କଠାରୁ ଗାଳି ମଧ୍ୟ ଶୁଣିଛି। ହେଲେ ନବମ ଶ୍ରେଣୀରେ ପାଠ ପଢ଼ିବା ବେଳେ ଦିନେ ପେନସିଲ୍ରେ ବାପାଙ୍କର ଚିତ୍ର ଆଙ୍କିଥିଲି। ବାପା ନିଜେ ସେ ଚିତ୍ରକୁ ଦେଖି ପସନ୍ଦ କରିଥିଲେ ବୋଧେ। ନହେଲେ ପୂର୍ବରୁ ଚିତ୍ର କରୁଥିବାରୁ ଗାଳି ଦେଉଥିବା ବାପା ପୁଣି ପ୍ରଶଂସା କଲେ କେମିତି’’, ଏହା କହିଛନ୍ତି ତନ୍ମୟୀ ପାଢ଼ୀ।
ତନ୍ମୟୀଙ୍କ ଜନ୍ମ ୨୦୦୦ ମସିହା ଅକ୍ଟୋବର ୧ ରେ। ନବରଙ୍ଗପୁରର ଗାନ୍ଧିନଗରଠାରେ ଜନ୍ମଗ୍ରହଣ କରିଥିବା ତନ୍ମୟୀ ବର୍ଷେ ହେଲା ବାଲେଶ୍ୱର ସହରରେ ବାପା ମାଆଙ୍କ ସହ ରହୁଛନ୍ତି। ବାପା ତାରିଣୀ ପାଢ଼ୀ ସାମ୍ବାଦିକ ଭାବେ କାର୍ଯ୍ୟରତ। ମାଆ ସବିତା ପାଢ଼ୀ ଓ ଅଷ୍ଟମରେ ପାଠ ପଢ଼ୁଥିବା ସାନଭଉଣୀ ସୁଶ୍ରୀ ତୃପ୍ତିମୟୀଙ୍କ ସହିତ ରହୁଥିବା ତନ୍ମୟୀ ଏବେ ବାଲେଶ୍ୱର ଆର୍ଟ ଏଣ୍ଡ କ୍ରାଫ୍ଟ କଲେଜରେ ଯୁକ୍ତ ଦୁଇର ଦ୍ୱିତୀୟ ବର୍ଷର ଛାତ୍ରୀ। ସେ ଭୋକେସନାଲ ଆର୍ଟରେ ଶିକ୍ଷାଗ୍ରହଣ କରୁଛନ୍ତି। ମାଟ୍ରିକ ପର୍ଯ୍ୟନ୍ତ ସେ ନିଜ ଜନ୍ମମାଟି ନବରଙ୍ଗପୁରରେ ପଢ଼ିଛନ୍ତି। ଏବେ ବାଲେଶ୍ୱର ଆସିବା ପରେ ସେ ଚତ୍ରକଳାରେ ପାଠ ପଢ଼ା ଆରମ୍ଭ କରିଛନ୍ତି।
ପିଲାଟି ଦିନରୁ କଳା ପ୍ରତି ରହିଥିଲା ରୁଚି
ତନ୍ମୟୀ ଯେତେବେଳେ ଷଷ୍ଠ-ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିଲେ, ସେତେବେଳୁ ତାଙ୍କ ଭିତରେ କଳା ପ୍ରତିଭାଟି ଉଙ୍କି ମାରିସାରିଥିଲା। ସେତେବେଳେ ତାଙ୍କ ବହି ବ୍ୟାଗରୁ ବାହାରୁଥିଲା ପୁଳା ପୁଳା ଖବରକାଗଜର କଟିଂ ଏବଂ ନିଜ ଖାତାରେ ଆଙ୍କିଥିବା ଚିତ୍ରସବୁ। ଚିରାକାକଜ ଓ ଚିତ୍ରରେ ତାଙ୍କ ପଢ଼ା ବ୍ୟାଗ୍ ଭର୍ତ୍ତି ରହୁଥିଲା। ଏସବୁ ଦେଖି ବାପା ତାଙ୍କର ବିରକ୍ତ ହେଉଥିଲେ। ପାଠପଢ଼ାରେ ମନ ନଦେଇ ସେ ଆଜେବାଜେ କାମରେ ମନ ଦେଉଥିବାରୁ ଗାଳି ମଧ୍ୟ ଶୁଣୁଥିଲେ।
ବାପାଙ୍କର ଚିତ୍ରଟେ ଆଙ୍କି ତନ୍ମୟୀ କିନ୍ତୁ ବାପାଙ୍କ ମନ କିଣିଥିଲେ। ସେଇ ଚିତ୍ର ଦେଖି ବାପାଙ୍କ ମନରେ ଧାରଣା ଆସିଥିଲା ଯେ, ଝିଅ ତନ୍ମୟୀଙ୍କ ଭିତରେ ଏକ ଅଲଗା ପ୍ରତିଭା ଲୁଚି ରହିଛି। ବାପା ସ୍ଥିର କଲେ ତନ୍ମୟୀଙ୍କୁ ସାଧାରଣ ପାଠ ନ ପଢ଼େଇ ଚିତ୍ରକଳାରେ ଉଚ୍ଚତର ଶିକ୍ଷା ଦେବେ। ଏହା ସ୍ଥିର କରି ମାଟ୍ରିକ ପରେ ଝିଅକୁ ସେ ଭର୍ତ୍ତି କଲେ ବାଲେଶ୍ୱର ଆର୍ଟ କଲେଜରେ।
ତନ୍ମୟୀଙ୍କର ଏକ ନିଆରା କଳାଗୁଣ ରହିଛି। ସେ ପୁରୁଣା ଖବର କାଗଜରୁ ତିଆରି କରନ୍ତି ଘର ସଜେଇବାର ଆଧୁନିକ ଆସବାବ। ଅଦରକାରୀ ଜିନିଷରୁ ଘରର ଦରକାରୀ ଜିନିଷ ତିଆରି କରି ଏକ ଅପୂର୍ବ ଦକ୍ଷତା ହାସଲ କରିଛନ୍ତି ତନ୍ମୟୀ। ନିଜ ଆଖିରେ ନଦେଖିଲେ କେହି ଏହାକୁ ବିଶ୍ବାସ କରିପାରିବେ ନାହିଁ। ପୁରୁଣା ଖବରକାଗଜ, କାର୍ଟୁନ୍ ବାକ୍ସରୁ ସେ ସୃଷ୍ଟି କରନ୍ତି ତାଙ୍କ ବର୍ଣ୍ଣାଢ଼୍ୟ ପୃଥିବୀ। ସୁନ୍ଦର ସୁନ୍ଦର ପେନଷ୍ଟାଣ୍ଡ, ଫଟୋ ଫ୍ରେମ୍, ଫରୁଆ, ଫୁଲଦାନି, କଇଁଛ, ୱାଲ୍ ହେଙ୍ଗିଙ୍ଗ୍ ଆଦି ପୁରୁଣା ଖବରକାଗଜରୁ ତିଆରି ହୋଇପାରିବ, ଏକଥା ବିଶ୍ୱାସ କରିହୁଏନା। ତନ୍ମୟୀଙ୍କ ସହ ଭେଟ ହେବା ପରେ, ତାଙ୍କ ହସ୍ତକଳାର ନିପୁଣତାକୁ ଦେଖିବା ପରେ ଜଣେ ନିଶ୍ଚୟ ଅବାକ୍ ହେବ। ଏହାସହ ତାଙ୍କ କ୍ରାଫ୍ଟକୁ ନେଇ ପ୍ରଶଂସା ନକରି ରହିପାରିବ ନାହିଁ।
ତନ୍ମୟୀ କହନ୍ତି, “ଏସବୁ ତିଆରି ପାଇଁ ବେଶୀ କିଛି ଖର୍ଚ୍ଚ ହୁଏ ନାହିଁ। ଏସବୁକୁ ଭଲ ଭାବେ ମାର୍କେଟିଂ କରିପାରିଲେ ଜଣେ ଘରେ ବସି ବଳକା ସମୟରେ ବେଶ୍ କିଛି ରୋଜଗାର କରିପାରିବ। ହେଲେ ଏହାର ପ୍ରଚାର ପ୍ରସାର ନଥିବାରୁ ଲୋକମାନେ ଜାଣିନାହାନ୍ତି।”
ପୁରୁଣା ଖବରକାଗଜକୁ କେମିତି ଦରକାରୀ କରନ୍ତି ତନ୍ମୟୀ?
ବାପା ଓ ମାଆଙ୍କଠାରୁ ପ୍ରେରଣା ପାଇ ଅଧିକରୁ ଅଧିକ ଏ ଦିଗରେ ମନୋନିବେଶ କରୁଛନ୍ତି ତନ୍ମୟୀ। ପୁରୁଣା ଖବରକାଗଜକୁ କାଟି ତାକୁ ମୋଡ଼ିବାକୁ ପଡେ ପତଳା ରଶି ଆକାରରେ। ତାପରେ ସେସବୁକୁ ଥାକ ଥାକ ଯୋଡ଼ି କିମ୍ବା ଗୁଡେଇ ଗୁଡେଇ ନିର୍ଦ୍ଦିଷ୍ଟ ଆକାର ଆଣିବାକୁ ପଡେ। ମୁଖ୍ୟ ଉପାଦାନ ହେଉଛି ପୁରୁଣା କାଗଜ ଆଉ କାର୍ଟୁନ୍ ବାକ୍ସର ମୋଟା କାଗଜ। ଏହା ବ୍ୟତୀତ କିଣିବାକୁ ପଡେ ଯୋଡ଼େଇବା ପାଇଁ ଅଠା, ରଙ୍ଗେଇବା ପାଇଁ ରଙ୍ଗ, କିଛି ଫୁଲଦାନି ଆଦି କରିବା ପାଇଁ ରଙ୍ଗୀନ ଡେକୋରେଟିଭ୍ କାଗଜ। ଏସବୁ ବହୁତ କମ୍ ପଇସାରେ ମିଳିଯାଏ। ଏହି ସାମଗ୍ରୀକୁ ମିଶାଇ ଗୋଟିଏ ଫୁଲଦାନି କରିସାରିବା ପରେ ତାକୁ ପଚାଶ କି ଶହେ ଟଙ୍କାରେ ବିକ୍ରି କରିହେବ।
ସଙ୍ଗୀତ ପ୍ରତି ବି ରୁଚି ରଖିଛନ୍ତି ତନ୍ମୟୀ
ଭଲ ଚିତ୍ର କରିବା ସହ ତନ୍ମୟୀ ଭଲ ଗୀତ ମଧ୍ୟ ଗାଇ ପାରନ୍ତି। ଏବେ ସେ ଓଡ଼ିଶୀ ଓ ହିନ୍ଦୁସ୍ତାନୀ ସଙ୍ଗୀତ ଶିଖୁଛନ୍ତି ସୁଶ୍ରୀ ବେଲାସେନଙ୍କଠାରୁ। ବିଭିନ୍ନ ସଙ୍ଗୀତ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇ ସେ ପୁରସ୍କୃତ ହୋଇଛନ୍ତି। ‘ସ୍ମୃତିର ଅକ୍ଷୟ’ ପକ୍ଷରୁ ଆୟୋଜିତ ସଙ୍ଗୀତ କାର୍ଯ୍ୟକ୍ରମରେ ଫାଇନାଲ ରାଉଣ୍ଡକୁ ଯାଇଥିବା ତନ୍ମୟୀ ସମ୍ବାଦ ସାରେଗାମାରେ ମଧ୍ୟ ଭାଗ ନେଇଛନ୍ତି। ପିଲାଟି ଦିନରୁ ଗୀତ ଗୁଣୁଗୁଣୋଉଥିବା ଓ ଚିତ୍ର ଆଙ୍କୁଥିବା ତନ୍ମୟୀ ବଡ଼ ହୋଇ ଜଣେ କଳା ଶିକ୍ଷକ ହେବାକୁ ଇଚ୍ଛା ରଖିଛନ୍ତି। ଏହାଛଡ଼ା ନିଜର ଏହି ପ୍ରତିଭାର ବିକାଶ ପାଇଁ ସେ ନିଜେ ଏକ ସ୍କୁଲ୍ ଖୋଲିବାର ସ୍ୱପ୍ନ ଦେଖନ୍ତି।
good story.