ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାହୁଲ ଗାନ୍ଧି ଅଧ୍ୟକ୍ଷ ହେବା ପରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଉପରେ ଏବେ ସମସ୍ତଙ୍କ ନଜର।ସୋନିଆ ଅବସର ଗ୍ରହଣ କରିବା ପରେ ପ୍ରିୟଙ୍କା ଉତ୍ତରପ୍ରଦେଶର ରାଏବରେଲିରୁ ନିର୍ବାଚନ ଲଢ଼ିବା ନେଇ କଂଗ୍ରେସ ମହଲରେ ଚର୍ଚ୍ଚା ହେଉଛି।

ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ହେବା ପରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ନେଇ ପୁଣି କଂଗ୍ରେସ ଶିବିରରେ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ପ୍ରିୟଙ୍କା ଖୁବଶୀଘ୍ର ରାଜନୀତିରେ  ପ୍ରବେଶ କରିବେ। ସୋନିଆଙ୍କ ନିର୍ବାଚନମଣ୍ଡଳୀ ରାଏବରେଲିରୁ ୨୦୧୯ରେ ପ୍ରିୟଙ୍କା ନିର୍ବାଚନ ଲଢ଼ିବେ।

ରାହୁଲ ଅଧ୍ୟକ୍ଷ ହେବା ପରେ ସୋନିଆ ରାଜନୀତିରୁ ଅବସର ନେବେ ବୋଲି ସଙ୍କେତ ଦେଇଛନ୍ତି। ସୋନିଆଙ୍କ ପରେ ପ୍ରିୟଙ୍କା ଏହି ଆସନରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଜୋର୍‍ ଧରିଛି। ସୋନିଆଙ୍କ ପରେ ପ୍ରିୟଙ୍କା ଏହି ଆସନରୁ ଲଢ଼ନ୍ତୁ ବୋଲି କଂଗ୍ରେସର କିଛି ବରିଷ୍ଠ  ନେତା ଚାହୁଁଛନ୍ତି।

ପ୍ରିୟଙ୍କା ଗାନ୍ଧି ଭଦ୍ରା ୨୦୧୯ ନସିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। କହିଛନ୍ତି, ସୋନିଆ ପୁଣିଥରେ ରାଏବରେଲିରୁ ନିର୍ବାଚନ ଲଢ଼ିବେ। ହେଲେ ସୋନିଆଙ୍କ ସ୍ୱାସ୍ଥ୍ୟ ଖରାପ ରହୁଥିବାରୁ ସେ ନିର୍ବାଚନରୁ ଅବସର ନେବା ନେଇ ସଙ୍କେତ ଦେଇଛନ୍ତି। ଏଣୁ ସୋନିଆଙ୍କ ଜାଗାରେ ହିଁ ପ୍ରିୟଙ୍କା ଲଢ଼ିବା ନେଇ ଆଲୋଚନା ହେଉଛି।

ଉତ୍ତର ପ୍ରଦେଶର ରାଏବରେଲି ହେଉଛି କଂଗ୍ରେସର ପାରମ୍ପରିକ ଆସନ । ୧୯୫୭ରେ ଫିରୋଜ ଗାନ୍ଧି ଏହି ଆସନରୁ ପ୍ରଥମେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ି ସାଂସଦ ହୋଇଥିଲେ। ଫିରୋଜଙ୍କ ପରେ ଆଇରନ୍‍ ଲେଡି ଇନ୍ଦିରା ଗାନ୍ଧି ଏହି ଅସନରୁ ନିର୍ବାଚିତ ହୋଇଥିଲେ । ୧୯୭୧ ଓ ୧୯୮୦ରେ ଇନ୍ଦିରା ଗାନ୍ଧି ରାଏବରେଲିରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ଇନ୍ଦିରାଙ୍କ ପରେ ଏହି ଆସନକୁ ପୁଣି ଗାନ୍ଧି ପରିବାର କବ୍‌ଜା କରିଥିଲା। ସୋନିଆ ଗାନ୍ଧି ୨୦୦୪ରୁ ନିର୍ବାଚନ ଲଢ଼ିଥିଲେ। ୨୦୦୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସୋନିଆ ଏହି ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ହେଲେ ସୋନିଆ ଗତ ଦୁଇ ବର୍ଷ ହେଲା ଅସୁସ୍ଥ ରହୁଛନ୍ତି। ଏପରିକି ନିର୍ବାଚନ ପ୍ରଚାରରେ ମଧ୍ୟ ସେ ସାମିଲ ହୋଇପାରୁ ନାହାନ୍ତି। ଫଳରେ କଂଗ୍ରେସ ସଭାପତି ଆସନରେ ରାହୁଲଙ୍କୁ ବସାଇଛନ୍ତି ସୋନିଆ।

୨୦୧୯ ନିର୍ବାଚନ ମଧ୍ୟ ସେ ଲଢ଼ିବା ନେଇ ଆଶଙ୍କା ଦେଖାଦେଇଛି। ଗାନ୍ଧି ପରିବାର ହାତରେ ରାଏବରେଲି ଆସନ ଦୀର୍ଘଦିନ ରହିଥିବାରୁ ସୋନିଆଙ୍କ ପରେ ଗାନ୍ଧି ପରିବାରର ସଦସ୍ୟ ଏଠାରୁ ପ୍ରତିନିଧିତ୍ୱ କରନ୍ତୁ ବୋଲି ରାଏବରେଲିର କିଛି କଂଗ୍ରେସ ନେତା ଚାହୁଁଛନ୍ତି। ରାହୁଲ ଉତ୍ତର ପ୍ରଦେଶର ଆମେଥିରୁ ନିର୍ବାଚନ ଲଢ଼ୁଛନ୍ତି। କାରଣ ଆମେଥି ହେଉଛି ତାଙ୍କ ବାପା ରାଜୀବ ଗାନ୍ଧିଙ୍କ ଆସନ। ଏଣୁ ରାହୁଲ କୌଣସି ପ୍ରକାରେ ଆମେଥି ଛାଡ଼ିବାର ପ୍ରଶ୍ନ ଉଠୁନି। ଫଳରେ ସୋନିଆଙ୍କ ସ୍ଥାନରେ ପ୍ରିୟଙ୍କା ହିଁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଜୋର୍ ଧରିଛି।

ପ୍ରିୟଙ୍କା ଗାନ୍ଧି ଜେସସ୍‌ ଏଣ୍ଡ ମେରୀ କଲେଜରେ ସାଇକୋଲୋଜିରେ ଗ୍ରାଜୁଏସନ ଶେଷ କରିଛନ୍ତି। ଭାଇ ରାହୁଲଙ୍କ ପରି ପ୍ରିୟଙ୍କା ଏପର୍ଯ୍ୟନ୍ତ ସକ୍ରିୟ ରାଜନୀତିକୁ ଆସି ନାହାନ୍ତି। ହେଲେ ବିଭିନ୍ନ ନିର୍ବାଚନରେ ପ୍ରିୟଙ୍କା ଆମେଥି ଏବଂ ରାଏବରେଲିରେ ପ୍ରଚାର କରୁଥିବାର ଦେଖିବାକୁ ମିଳିଛି। ସେ ଯେଉଁଠି ପ୍ରଚାର କରନ୍ତି ସେଠି ଜନସମୁଦ୍ର ପାଲଟି ଯାଏ। ୨୦୦୪ ନିର୍ବାଚନରେ ସୋନିଆ ଗାନ୍ଧିଙ୍କ ପ୍ରଚାର ମ୍ୟାନେଜର ଥିଲେ ପ୍ରିୟଙ୍କା।

୨୦୦୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ପ୍ରିୟଙ୍କା ୧୦ଟି ନିର୍ବାଚନମଣ୍ଡଳୀରେ ପ୍ରଚାର ଦାୟିତ୍ବ ତୁଲାଇଥିଲେ। ଖାଲି ସେତିକି ନୁହେଁ, ୨୦୧୪ ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାଜିତ ହେବା ପରେ ରାହୁଲଙ୍କ ନେତୃତ୍ବକୁ ନେଇ ଝଡ଼ ଉଠିଥିଲା। ରାହୁଲ ହଟାଓ, ପ୍ରିୟଙ୍କା ଲାଓ ନାରା ଦେଇଥିଲେ ବହୁ କଂଗ୍ରେସ କର୍ମୀ। ଏବେ ଯେତେବେଳେ ସୋନିଆଙ୍କ ରାଜନୀତିରୁ ଅବସର କଥା ଉଠୁଛି ସେତେବେଳେ ପ୍ରିୟଙ୍କାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here