ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ଷ ଆରମ୍ଭରୁ ଡିଜିପିଓଙ୍କ କଠୋର ପଦକ୍ଷେପ
ନୂଆବର୍ଷ ଆରମ୍ଭରୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଦୁର୍ଘଟଣାକୁ ମିଛ ଦର୍ଶାଇ ଜାଲ୍ କାଗଜପତ୍ର ବଳରେ ମୋଟା ଅଙ୍କର ବୀମା ଟଙ୍କା ହାତଉଥିବା ଅଧିକାରୀ ଏବଂ ଗାଡ଼ି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ଡିଜି କହିଛନ୍ତି।
ଜାଲ୍ କାଗଜପତ୍ର ପ୍ରସ୍ତୁତିରେ ସହଯୋଗ କରୁଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ଦଫା ୪୨୦ରେ ମାମଲା ରୁଜୁ କରିବାକୁ ଡିଜି ଡାକ୍ତର ଶର୍ମା କହିଛନ୍ତି। କେବଳ ପୋଲିସ ଅଧିକାରୀ ନୁହନ୍ତି, ଜାଲ୍ କାଗଜପତ୍ର ପ୍ରସ୍ତୁତିରେ ସହଯୋଗ କରୁଥିବା ଅନ୍ୟ ବିଭାଗର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଡିଜି କହିଛନ୍ତି ରାଜ୍ୟର ସମସ୍ତ ଏସ୍ପି ଓ କମିଶନରେଟ୍ ପୋଲିସ୍କୁ ମଧ୍ୟ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି।
ଜାଲ୍ ପ୍ରମାଣପତ୍ର ପ୍ରସ୍ତୁତକରି ସରକାରୀ ଓ ଘରୋଇ ବୀମା ପ୍ରଦାନକାରୀ ସଂସ୍ଥା ନିକଟରୁ ଗାଡ଼ି ମାଲିକମାନେ ଦୁର୍ଘଟଣାଜନିତ ବୀମା ଟଙ୍କା ନେଉଛନ୍ତି। ୨୦୧୭ରେ ଏଭଳି ୧୦୦ରୁ ଅଧିକ ଅଭିଯୋଗ ପୋଲିସ୍ ଡିଜିଙ୍କ ନିକଟରେ ଦାଖଲ ହୋଇଥିଲା।
୨୦୧୬ରେ କଟକ ଜିଲ୍ଲା ମାହାଙ୍ଗା ଥାନାରେ ଦୁଇଟି ମିଛ ଦୁର୍ଘଟଣା ଜନିତ ମାମଲା ରୁଜୁ ହୋଇଥିବା ସମ୍ପର୍କରେ ସାଲେପୁର ଏସ୍ଡିପିଓ ଏତଲା ଦେଇଥିଲେ। ଘଟଣାର ତଦନ୍ତଭାର ରାଜ୍ୟ କ୍ରାଇମବ୍ରାଞ୍ଚ ହାତକୁ ନେଇଥିଲା। ୨୦୧୭ ଜାନୁଆରୀରେ ରାକେଟ୍ର ପର୍ଦ୍ଦାଫାଶ କରିଥିଲା କ୍ରାଇମବ୍ରାଞ୍ଚ। ମାହାଙ୍ଗା ଥାନା ପୋଲିସ ଅଧିକାରୀଙ୍କ ସମେତ ଆଇନଜୀବୀ, ଡାକ୍ତରଙ୍କ ସଂପୃକ୍ତି ପ୍ରମାଣ ମିଳିବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା। ଏହାପରେ ଅଧିକ ଖୋଳତାଡ଼ କରାଯାଇଥିଲା।
ଏହି ଘଟଣାର ଖୋଳତାଡ ପରେ ଖୋଲିଥିଲା ରହସ୍ୟର ଗୁମର। କଟକ, ଯାଜପୁର, କେନ୍ଦୁଝର ଓ ରାଜ୍ୟର ବିଭିନ୍ନ ଜିଲ୍ଳାରେ ଏଭଳି କାରନାମା ଜଣାପଡ଼ିବା ପରେ ପୋଲିସ୍ ଡିଜି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଡିଜି ଶ୍ରୀ ଶର୍ମା କହିଛନ୍ତି ଗୋଟିଏ ଦୁର୍ଘଟଣା ହେଲେ ଅନ୍ୟ କାହାକୁ ଆହତ ଦେଖାଇ ଦିଆଯାଉଛି। ଡାକ୍ତର ମିଛ ଇଞ୍ଜୁରୀ ରିପୋର୍ଟ ଦେଉଛନ୍ତି। ଆଇଆଇସି ଟଙ୍କା ନେଇ ମାମଲା ରୁଜୁ କରୁଛି। ଆଇନଜୀବୀ କୋର୍ଟରେ ବୀମା ଟଙ୍କା ପାଇଁ ଦାବି କରୁଛନ୍ତି। ଆର୍ଟିଓ ଅଫିସରୁ ମଧ୍ୟ ପ୍ରମାଣପତ୍ର ଯୋଗାଇ ଦିଆଯାଉଛି। ସମସ୍ତେ କିଛି କିଛି ଟଙ୍କା ନେଇ ଏଭଳି ଅସାଧୁ କାର୍ଯ୍ୟ କରୁଛନ୍ତି। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଉଛି ବୋଲି ସେ କହିଛନ୍ତି।

















