ଓଡ଼ିଶାଲାଇଭ୍‍ ବ୍ୟୁରୋ

ସହାୟତା ବଦଳରେ ମିଳିଛି ପ୍ରତାରଣା

ଆମେରିକା ଆଖିରେ ପାକିସ୍ତାନର ମିଛ ଓ ପ୍ରତାରଣା ଧରାପଡ଼ିଯାଇଛି। ପାକିସ୍ତାନକୁ ଆମେରିକା ଅନୁଦାନ ବନ୍ଦ କରିବ ବୋଲି ନେଇଛି କଠୋର ନିଷ୍ପତ୍ତି।

ଆତଙ୍କବାଦ ମୁକାବିଲାରେ ପାକିସ୍ତାନ ସହଯୋଗ କରୁନଥିବାରୁ କଡା ଭାଷାରେ ସମାଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇସଲାମବାଦକୁ ଦିଆଯାଉଥିବା ବାର୍ଷିକ ୨୫ କୋଟି ଡଲାରର ସହାୟତା ବନ୍ଦ କରିଦିଆଯିବ ବୋଲି ସେ ଧମକ ଦେଇଛନ୍ତି।

ଗତ ୧୫ ବର୍ଷରେ ଆମେରିକା ପାକିସ୍ତାନକୁ ୩୩୦୦ କୋଟି ଡଲାରର ସହାୟତା ଦେଇଛି। ଏହା ବଦଳରେ ପାକିସ୍ତାନ ଆମେରିକାକୁ ମିଛ ପ୍ରତିଶ୍ରୁତି ଓ ପ୍ରତାରଣା କରିଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି। ପାକିସ୍ତାନର ଏଭଳି ଆଚରଣକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ରାଷ୍ଟ୍ରପତି ଟ୍ରମ୍ପ ସ୍ପଷ୍ଟ କରିଦେଇଛନ୍ତି।

ନୂଆବର୍ଷରେ ଟୁଇଟ୍ କରି ଟ୍ରମ୍ପ କହିଛନ୍ତି ଯେ ଆମେରିକାର ନେତାମାନଙ୍କୁ ପାକିସ୍ତାନ ମୂର୍ଖ ବୋଲି ଭାବୁଛି। ଏହି କାରଣରୁ ୧୫ ବର୍ଷ ଧରି ପାକିସ୍ତାନ ଆମେରିକାବାସୀଙ୍କୁ ଠକି ଚାଲିଛି। ଏହି ସମୟ ମଧ୍ୟରେ ପାକିସ୍ତାନକୁ ସହାୟତା ଆମେରିକାର ବୋକାମୀ ବ୍ୟତୀତ ଅନ୍ୟ କିଛି ନୁହେଁ। ଆମେରିକା ଯେଉଁ ଆତଙ୍କବାଦୀଙ୍କୁ ଆଫଗାନିସ୍ତାନରେ ଖୋଜୁଛି ପାକିସ୍ତାନ ସେମାନଙ୍କୁ ଆଶ୍ରୟ ଦେଉଛି। ଫଳରେ ଆତଙ୍କବାଦ ମୁକାବିଲା ଫଳପ୍ରଦ ହେଉନାହିଁ।

ମିଛ ଓ ଛଳନା ପାଇଁ ପାକିସ୍ତାନକୁ ପରିଣାମ ଭୋଗିବାକୁ ପଡ଼ିବ ବୋଲି ରାଷ୍ଟ୍ରପତି ଟ୍ରମ୍ପଙ୍କ ଜାତୀୟ ସୁରକ୍ଷା କାଉନସିଲର ମୁଖପାତ୍ର କହିଛନ୍ତି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଖ୍ୱାଜା ଆସିଫ୍ କହିଛନ୍ତି କିଏ ସତ କହୁଛି ଶୀଘ୍ର ଜଣାପଡ଼ିବ। ବିଶ୍ୱ ସମୁଦାୟ ଆଗରେ ପାକିସ୍ତାନ ସମ୍ପୂର୍ଣ୍ଣ ତଥ୍ୟ ରଖିବ।

Comment