ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି
ବାପା ଭଲ ତବଲା ବଜାଉଥିଲେ। ବଂଶୀବାଦନ ବି ଜାଣିଥିଲେ। ଏଣୁ ସଙ୍ଗୀତର ଏକ ପରିବେଶରେ ବଢ଼ିଥିବା ଦେବଶ୍ରୀ ମହାନ୍ତି ବାପାଙ୍କ କଳାକୁ ଆପଣାଇ ନେଇଛନ୍ତି। ସଙ୍ଗୀତରେ ପାହାଚ ପରେ ପାହାଚ ଅତିକ୍ରମ କରିଥିବା ଦେବଶ୍ରୀ ସଙ୍ଗୀତ ସହ ସାରା ଜୀବନ ରହିବାକୁ ସଙ୍କଳ୍ପ ନେଇଛନ୍ତି।
“ଆଜିର ଦିନରେ ସଙ୍ଗୀତକୁ ଏକମାତ୍ର ମାଧ୍ୟମ କରି ଜୀବନ-ଜୀବିକା ନିର୍ଭର କରିବା ହୁଏତ ସମ୍ଭବପର ହୋଇନପାରେ। କିନ୍ତୁ ସଙ୍ଗୀତକୁ ନେଇ ତଥାପି ମୁଁ ସ୍ୱପ୍ନ ଦେଖେ। ରିଏଲଟି ସୋ’ରୁ ଅନେକ କଣ୍ଠଶିଳ୍ପୀ ଯଦିଓ ବାହାରିପାରୁଛନ୍ତି, କିନ୍ତୁ ସେଠୁ ଉତ୍ତୀର୍ଣ୍ଣ ହେବା ଭାରି କଷ୍ଟ। ମୁଁ ବି ୩/୪ଟି ରିଏଲିଟି ସୋ’ରେ ଅଂଶଗ୍ରହଣ କରିଛି। କିନ୍ତୁ ମୋର ମତ ଭିନ୍ନ। ସୁପରିଚିତ ଗାୟକମାନେ କେହି ବି ରିଏଲିଟି ଶୋ’ରୁ ଆସିନାହାନ୍ତି। ସାଧନା ଥିଲେ ଜଣେ ଆପେ ଆପେ ପରିଚୟ ପାଇବ, ଏ ବିଶ୍ୱାସ ମୋର ଅଛି”, କହିଛନ୍ତି ଗାୟିକା ଦେବଶ୍ରୀ ମହାନ୍ତି।
ବାଲେଶ୍ୱର ସହରର ମାନସିଂବଜାରସ୍ଥିତ ମାକଲପୁରରେ ବାପା ଓ ମାଆଙ୍କ ସହ ରହୁଛନ୍ତି ଦେବଶ୍ରୀ। ସେ ଏଇ ବର୍ଷ ଫକୀରମୋହନ କଲେଜରେ ଏମଏସଡବ୍ଲ୍ୟୁରେ ପିଜି କରୁଛନ୍ତି। ବାପା କରୁଣାକର ମହାନ୍ତି ବାୟୁସେନାରୁ ଅବସର ଗ୍ରହଣ କରିଥିବା ବେଳେ ମାଆ ସୁଶାନ୍ତି ମହାନ୍ତି ଏକ ଖବର କାଗଜରେ ଚାକିରି କରନ୍ତି। ବଡ଼ଭାଇ ଦେବୀଦତ୍ତ ବେଙ୍ଗାଳୁରରେ ଚାକିରି କରୁଛନ୍ତି।
ଦେବଶ୍ରୀଙ୍କ ଜନ୍ମ ଗୁଜୁରାଟର ଜାମନଗରରେ ୧୯୯୬ ମସିହା ଜୁଲାଇ ୧୦ ତାରିଖରେ। ବାପାଙ୍କ ଏୟାରଫୋର୍ସ ଚାକିରି ଯୋଗୁଁ ଜାମନଗର ପୋଷ୍ଟିଂ ବେଳେ ଦେବଶ୍ରୀ ଜନ୍ମ ନିଅନ୍ତି। ପିଲ ଦିନରୁ ତାଙ୍କର ସଙ୍ଗୀତ ପ୍ରତି ଦୁର୍ବଳତା ରହିଛି।
“ମମିପାପାଙ୍କ ସଙ୍ଗୀତ ପ୍ରତି ପ୍ରବଳ ଆଗ୍ରହ ମୁଁ ଦେଖିଛି ପିଲାଟି ଦିନୁ। ଏମିତିରେ ବାପା ଭଲ ତବଲା ବଜାଉଥିଲେ। ବଂଶୀବାଦନ ବି ଜାଣିଥିଲେ। ଏଣୁ ଘରେ ସଙ୍ଗୀତର ଏକ ପରିବେଶ ବୋଧହୁଏ ମୋ ଭିତରେ ଗୀତ ଗାଇବା ପ୍ରତି ଆଗ୍ରହଟିଏ ସୃଷ୍ଟି କରିଥିଲା। ୬ ବର୍ଷ ବୟସ ବେଳେ ମୁଁ ଗୁରୁ ଶ୍ରୀ ନାରାୟଣ ଦାସଙ୍କଠାରୁ ଆରମ୍ଭ କଲି ଓଡ଼ିଶୀ ସଙ୍ଗୀତ ଶିକ୍ଷା”, କହିଛନ୍ତି ଦେବଶ୍ରୀ।
ସଙ୍ଗୀତ ଶିକ୍ଷା ଆରମ୍ଭ ବେଳେ ସେ ତାଙ୍କ ଗାଁ ଜୟଦେବ କସବାରେ ରହୁଥିଲେ। ୨୦୦୬ଠାରୁ ଦେବଶ୍ରୀ ବାଲେଶ୍ୱରରେ ରହିବା ଆରମ୍ଭ କରିଥିଲେ। ୨୦୦୯ରେ ସେ ଟାଉନ ହାଇସ୍କୁଲରେ ନାଁ ଲେଖାଇଥିଲେ।
ସ୍କୁଲରେ ହେଉଥିବା ବିଭିନ୍ନ ସଙ୍ଗୀତ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କାର ପାଇଲେ ଦେବଶ୍ରୀ। ଧୀରେ ଧୀରେ ସଙ୍ଗୀତ ପ୍ରତି ଆଗ୍ରହ ବଢ଼ିଲା। ଶିଶୁ ମହୋତ୍ସବ, ସାଧାରଣତନ୍ତ୍ର ଦିବସ ସମାରୋହ ପ୍ରଭୃତିରେ ହେଉଥିବା କାର୍ଯ୍ୟକ୍ରମରେ ଦେବଶ୍ରୀ ଗୀତ ଗାଇ ନିଜ ଦକ୍ଷତାର ପରିଚୟ ଦେଲେ। ନିଜ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଲା। ତା’ ପରେ ଫକୀରମୋହନ କଲେଜକୁ ଯୁକ୍ତ ୨ ବିଜ୍ଞାନ ପଢ଼ିବା ପାଇଁ ଆସିଲେ ସେ। କଲେଜ ସମୟରେ ସେ ଜାଣିଲେ ଯେ, ସଙ୍ଗୀତକୁ ନେଇ ଅନେକ ସୁଯୋଗ ଅଛି। ଯେହେତୁ ସେ ବିଜ୍ଞାନ ଛାତ୍ରୀ ଥିଲେ, ଗୋଟେ ଭୟ ଥିଲା ରେଜଲ୍ଟ ଖରାପ ହେବାର। କିନ୍ତୁ ଏ ଭୟ ତାଙ୍କୁ ରୋକିପାରିନଥିଲା। ଦେବଶ୍ରୀ ପାଠ ସହ ସଙ୍ଗୀତର ଦୁନିଆରେ ନିଜକୁ ହଜାଇ ଦେଇଥିଲେ।
ଯୁବ ଉତ୍ସବ, ଜସୱା, ସ୍ମୃତିରେ ଅକ୍ଷୟ, ଆମେ ଶିଳ୍ପୀ, ରେଡିଓ ଚକୋଲେଟ୍ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିଲା ବାଲେଶ୍ୱରରେ। ଏସବୁଥିରେ ଦେବଶ୍ରୀ ଭାଗ ନେଇ ପୁରସ୍କାର ପାଇଥିଲେ।
“ସେ ସମୟରେ ମୋତେ ଲାଗିଲା ସଙ୍ଗୀତ ପାଇଁ ମୋତେ ଆଉ ଟିକେ ସମୟ ଦେବା ଉଚିତ୍। ତେଣୁ ଯୁକ୍ତ ୨ ପରେ ଆଉ ସାଇନ୍ସ ପଢ଼ିଲି ନାହିଁ। କାରଣ ସଙ୍ଗୀତ ପାଇଁ ମୋତେ ଅଧିକ ସମୟ ଯେମିତି ହେଲେ ଦେବାକୁ ଥିଲା,” କୁହନ୍ତି ଦେବଶ୍ରୀ।
ସଙ୍ଗୀତ ସହିତ ଏକ ଅଖଣ୍ଡ ସମ୍ପର୍କ ସ୍ଥାପନ କରିସାରିଥିବା ଦେବଶ୍ରୀ କ୍ରମଶଃ ସଙ୍ଗୀତ-ମନସ୍କା ହେଲେ ବେଶୀ ବେଶୀ। ଗୁରୁ ନାରାୟଣ ସାର୍ ଘରକୁ ଆସି ସଙ୍ଗୀତର ଶିକ୍ଷା ଦେଉଥିଲେ। ୨ ବର୍ଷର ପ୍ରାଥମିକ ପରେ ୩ ବର୍ଷର ସଙ୍ଗୀତ ଭୂଷଣ ଏବଂ ୨ ବର୍ଷର ବିଶାରଦ ଶିକ୍ଷା ସମାପ୍ତ କରି ସାରିଥିବା ଦେବଶ୍ରୀ ୨୦୧୪ରେ ପ୍ରଥମ କରି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଦ୍ଯାପନୀ ଉତ୍ସବ ଗୀତ ଗାଇଥିଲେ। ତା’ପରେ “ଆମେ ଶିଳ୍ପୀ’ ପକ୍ଷରୁ ଭିକାରୀ ବଳଙ୍କ ସ୍ମୃତି ଉତ୍ସବରେ ମଧ୍ୟ ଗାଇଲେ ସେ। ଏହା ପରେ ଆଉ ଅଟକି ନାହାନ୍ତି ଏଇ ୨୧ ବର୍ଷିଆ ଗାୟିକା ଜଣକ।
ସ୍କୁଲ ସମୟରୁ ନିଜ ଭିତରେ ଏକ ଲିଡରଶିପ୍ ଗୁଣ ଥିଲା ଦେବଶ୍ରୀଙ୍କର। କଲେଜ ନିର୍ବାଚନରେ ତେଣୁ ଭାଗ ନେଇ ସେ ଜିତିଥିଲେ। “ଏବେ ସମାଜରେ ଅବହେଳିତ ଲୋକଙ୍କ ପାଇଁ କାମ କରିବାର ଇଚ୍ଛା ଅଛି। ମୀରା ପରିଡାଙ୍କ ଭଳି ହେବାକୁ ଚାହିଁବି। ତେବେ ସଙ୍ଗୀତ ମୋ ସହ ରହିବ ସାରାଜୀବନ” କହନ୍ତି ଗୀତ ଓ ସଙ୍ଗୀତର ପାୱାର ବ୍ୟାଙ୍କ୍ ଦେବଶ୍ରୀ ମହାନ୍ତି।