ଓଡ଼ିଶାଲାଇଭ୍ ବ୍ୟୁରୋ

କିଛିଦିନ ପୂର୍ବରୁ ସିନେମା ହଲରେ ଜାତୀୟସଙ୍ଗୀତ ଗାନ ବାଧ୍ୟତାମୂଳକ ନୁହେଁ ବୋଲି ସୁପ୍ରିମକୋର୍ଟ ଏକ ଶୁଣାଣିରେ ଆଦେଶ ଦେଇଥିଲେ। କୋର୍ଟର ଏହି ଫଇସଲାକୁ ଅନେକ ବଲିଉଡ କଳାକାର ସ୍ବାଗତ କରିଥିଲେ। ଏହି ରେସରେ ସାମିଲ ହୋଇଛନ୍ତି ଫିଲ୍ମ ନିର୍ମାତା ମହେଶ ଭଟ୍ଟ।
ମହେଶ୍ ଏହା ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସୁପ୍ରିମକୋର୍ଟ ଦେଇଥିବା ଆଦେଶକୁ ସ୍ଵାଗତ କରିଛନ୍ତି ସେ । ତା’ ସହ ଏହା ମଧ୍ୟ କହିଦେଇଛନ୍ତି, ଯଦି ସନ୍ନି ଲିଓନିଙ୍କ ଫିଲ୍ମ ହଲରେ ଚାଲେ ତେବେ ତା’ପୂର୍ବରୁ ଜାତୀୟସଙ୍ଗୀତ ପରିବେଷଣ କରାଯିବା ଉଚିତ୍ ନୁହେଁ।
ଜାତୀୟସଙ୍ଗୀତ ପ୍ରତି ସମ୍ମାନ ଦର୍ଶାଇବା ପାଇଁ କୋର୍ଟଙ୍କ ଏହାଠାରୁ ଭଲ ଫଇସଲା ଆଉ କ’ଣ ବା ହୋଇପାରେ ବୋଲି ଭଟ୍ଟ କହିଛନ୍ତି। ସମସ୍ତଙ୍କୁ ପବିତ୍ର ଜାତୀୟ ସଙ୍ଗୀତର ଯତ୍ନ ନେବା ଉଚିତ୍। କେବଳ ସ୍କୁଲ କିମ୍ବା ଶୈକ୍ଷିକ ଅନୁଷ୍ଠାନରେ ଜାତୀୟସଙ୍ଗୀତ ବାଜିବା ଉଚିତ୍। ଯାହାଦ୍ଵାରା ରାଷ୍ଟ୍ରଗାନର ଗରିମା ବଜାୟ ରହିବ। କୌଣସି ଚିତ୍ତବିନୋଦନ କ୍ଷେତ୍ରରେ ଏହାକୁ ପ୍ଲେ କରିବା ଜାତୀୟ ସଙ୍ଗୀତ ପ୍ରତି ଘୋର ଅପମାନ ବୋଲି ମହେଶ ଭଟ୍ଟ କହିଛନ୍ତି।


















