ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଖ୍ୟାତ ଅଭିନେତା ମନୋଜ କୁମାରଙ୍କ ପରଲୋକ ଘଟିଛି। ଶୁକ୍ରବାର ସକାଳେ ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି।
ମନୋଜ କୁମାରଙ୍କ ଦେହାନ୍ତରେ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ତଥା କଳାକାରମାନେ ଶୋକ ପ୍ରକାଶ କରିଛନ୍ତି। ଅନେକ ଲୋକ ତାଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ହରିକ୍ରିଷନ୍ ଗିରି ଗୋସ୍ୱାମୀ ଓରଫ ମନୋଜ କୁମାର ୧୯୩୭ ମସିହା ଜୁଲାଇ ୨୪ ତାରିଖରେ ଅବୋଟାବାଦରେ (ଏବେ ପାକିସ୍ତାନରେ) ଜନ୍ମଗ୍ରହଣ କରିଥିଲେ। ୧୯୪୬ ମସିହାରେ ଭାରତ ସ୍ଵାଧୀନ ହେବା ପରେ ତାଙ୍କ ପରିବାର ଦିଲ୍ଲୀ ଚାଲି ଆସିଥିଲେ। ପିଲାଦିନୁ ତାଙ୍କର ଅଭିନୟ ପ୍ରତି ବେଶ୍ ରୁଚି ରହିଥିଲା। ସେ ହିନ୍ଦୀ ସିନେମା ଜଗତରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।
ମନୋଜ କୁମାରଙ୍କ ଅଧିକାଂଶ ସିନେମାରେ ଦେଶପ୍ରେମ ଭାବନା ପ୍ରତିଧ୍ୱନିତ ହେଉଥିଲା। ପ୍ରଶଂସକଙ୍କ ଗହଣରେ ସେ ‘ଭାରତ କୁମାର’ ନାମରେ ମଧ୍ୟ ଲୋକପ୍ରିୟ ଥିଲେ। ତାଙ୍କର ପୂରବ୍ ଔର୍ ପଶ୍ଚିମ, ଶହୀଦ୍, ହିମାଲୟକି ଗୋଦ୍ ମେ, ଗୁମନାମ୍, ଉପକାର, ରୋଟି କପଡ଼ା ଔର୍ ମକାନ୍ ଓ କ୍ରାନ୍ତି ଭଳି ସିନେମା ବହୁତ ଲୋକପ୍ରିୟ ହୋଇଥିଲା।
ଭାରତୀୟ ସିନେମାକୁ ଅବଦାନ ଲାଗି ମନୋଜ କୁମାର ୧୯୯୨ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ୨୦୧୫ରେ ମସିହାରେ ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେ ନିଜ କ୍ୟାରିୟରରେ ଗୋଟିଏ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ବିଭିନ୍ନ ବର୍ଗରେ ୭ଟି ଫିଲ୍ମ ଫେୟାର ପୁରସ୍କାର ମଧ୍ୟ ହାସଲ କରିଥିଲେ।
Tags: #ManojKumar #Actor #Bollywood #Cinema #India


















