ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ମାସିକ ଋତୁସ୍ରାବ ସ୍ଵାସ୍ଥ୍ୟ ଏବଂ ସ୍ଵଚ୍ଛତା ଆଲାଏନ୍ସ (ଓଏମଏଚଏଚ୍ ଆଲାଏନ୍ସ) ପକ୍ଷରୁ ଭୁବନେଶ୍ଵରରେ ବିଶ୍ଵ ମାସିକ ଋତୁସ୍ରାବ ସ୍ଵାସ୍ଥ୍ୟ ଦିବସ-୨୦୨୬ ପାଳିତ ହୋଇଛି। ସ୍ୱେଚ୍ଛାସେବୀ ସଂସ୍ଥା ‘ଆଇନା’ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଋତୁସ୍ରାବ ସ୍ଵାସ୍ଥ୍ୟକୁ ଏକ ମୌଳିକ ଅଧିକାର ଭାବରେ ଗ୍ରହଣ କରିବା ନେଇ ଆଲୋଚନା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସରକାର, ଶିକ୍ଷାବିତ୍, ନାଗରିକ ସମାଜ, ଆଇନ, ନାଗରିକ ସମାଜ ଏବଂ ଯୁବ ମଞ୍ଚର ପ୍ରତିନିଧିମାନେ ଯୋଗ ଦେଇଥିଲେ। ମାସିକ ଋତୁସ୍ରାବ ସ୍ଵାସ୍ଥ୍ୟକୁ ଏକ ଅଧିକାର ଏବଂ ମର୍ଯ୍ୟାଦା ପ୍ରସଙ୍ଗ ଭାବରେ ଆଗକୁ ବଢ଼ାଇବା ପାଇଁ ସାମୂହିକ କାର୍ଯ୍ୟକୁ ସୁଦୃଢ଼ କରିବା ନେଇ ସମସ୍ତେ ଶପଥ ନେଇଥିଲେ।
‘ଆଇନା’ର ସମ୍ପାଦିକା ତଥା ଓଏମଏଚଏଚ୍ ଆଲାଏନ୍ସର ସଂଯୋଜକ ସ୍ନେହା ମିଶ୍ର ନିଜର ସ୍ଵାଗତ ଭାଷଣରେ ମାସିକ ଋତୁସ୍ରାବ ସ୍ଵାସ୍ଥ୍ୟକୁ ନେଇ ମର୍ଯ୍ୟାଦା ଓ ସମାନତା ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ଜିନ୍ଦଲ ଗ୍ଲୋବାଲ୍ ଲ’ ସ୍କୁଲର ପ୍ରଫେସର ଡକ୍ଟର ସୌମ୍ୟ ଉମା, ମହିଳାଙ୍କ ଅଧିକାର ଦୃଷ୍ଟିକୋଣରୁ ଋତୁସ୍ରାବ ସ୍ଵାସ୍ଥ୍ୟ ଓ ସମ୍ମାନ ସୁନିଶ୍ଚିତ କରିବାରେ ଆଇନଗତ ସ୍ଵୀକୃତି ଏବଂ ସଂସ୍ଥାଗତ ଦାୟିତ୍ଵ ଉପରେ ଗୁରୁତ୍ଵାରୋପ କରିଥିଲେ।
ଆଇଆଇଟି ଭୁବନେଶ୍ଵରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମାଲକର ନିଜ ବକ୍ତବ୍ୟରେ ସ୍ଥାୟୀ ଋତୁସ୍ରାବ ସ୍ଵାସ୍ଥ୍ୟ ସମାଧାନ ସୃଷ୍ଟି କରିବାରେ ନବସୃଜନର ଭୂମିକା ଉପରେ ଗୁରୁତ୍ଵାରୋପ କରିଥିଲେ। ୟୁନିସେଫ୍ ଓଡ଼ିଶା କାର୍ଯ୍ୟାଳୟର ମୁଖ୍ୟ ପ୍ରଶାନ୍ତ କୁମାର ଦାଶ ସବୁ ଅଂଶୀଦାରଙ୍କ ଦୃଢ଼ ସହଭାଗିତାର ଆବଶ୍ୟକତା ଉପରେ ଗୁରୁତ୍ଵ ଦେଇ ମାସିକ ଋତୁସ୍ରାବ ସ୍ଵାସ୍ଥ୍ୟ ପାଇଁ ୟୁନିସେଫର ନିରନ୍ତର ପ୍ରତିବଦ୍ଧତାକୁ ଦୋହରାଇଥିଲେ।
ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନର ଅଧ୍ୟକ୍ଷା ବବିତା ପାତ୍ର, ଶିଶୁ ଏବଂ କିଶୋରମାନଙ୍କ ଅଧିକାର, ସୁସ୍ଥତା ଏବଂ ମର୍ଯ୍ୟାଦା ରକ୍ଷା କରିବାରେ ଋତୁସ୍ରାବ ସ୍ଵାସ୍ଥ୍ୟର ଆବଶ୍ୟକତା ବିଷୟରେ କହିଥିଲେ। ସେହିପରି ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଏସ୍. ସାଇନି ଋତୁସ୍ରାବ ସମୟରେ ମହିଳାଙ୍କ ପାଇଁ ନିରାପଦ ପରିବେଶର ଗୁରୁତ୍ଵ ଉପରେ ବକ୍ତବ୍ୟ ରଖିଥିଲେ ଏବଂ ଏହାକୁ ସୁନିଶ୍ଚିତ କରିବାରେ ଅନୁଷ୍ଠାନ ଏବଂ ସମ୍ପ୍ରଦାୟର ଭୂମିକା ଉପରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନେକ ପ୍ୟାନେଲ୍ ଆଲୋଚନା ହୋଇଥିଲା ଯେଉଁଠାରେ ଯୁବପିଢ଼ି ‘ପରିବର୍ତ୍ତନ ଏବଂ ‘ମାସିକ ଧର୍ମ ଏକ ମୌଳିକ ଅଧିକାର’ ଉପରେ ଆଲୋଚନା କରିଥିଲେ। ଏହା ବ୍ୟତୀତ ଶିକ୍ଷାବିତ୍ ଏବଂ ନୀତି ନିର୍ଦ୍ଧାରକମାନେ ମାସିକ ଧର୍ମ-ଅନୁକୂଳ ଭିତ୍ତିଭୂମି ଏବଂ ସେବା ସୃଷ୍ଟି କରିବା ପାଇଁ ସାମୂହିକ ଦାୟିତ୍ଵ ଉପରେ ଗୁରୁତ୍ୱାରୋପ କରିଥିଲେ।
କାର୍ଯ୍ୟକ୍ରମରେ ୟୁନିସେଫର ୱାଶ୍-ସିସିଇଏସ୍ ବିଶେଷଜ୍ଞ ସିପ୍ରା ସକ୍ସେନା ଧନ୍ୟବାଦ ପ୍ରସ୍ତାବରେ ସମସ୍ତ ବିଶିଷ୍ଟ ବ୍ୟକ୍ତି, ସହଯୋଗୀ ସଦସ୍ୟ ଏବଂ ଅଂଶୀଦାରଙ୍କ ଅବଦାନକୁ ପ୍ରଶଂସା କରିଥିଲେ। ବିଶ୍ଵ ଋତୁସ୍ରାବ ସ୍ଵଚ୍ଛତା ଦିବସ ଥିମ୍ ଅଧୀନରେ ପାଳିତ ଏହି କାର୍ଯ୍ୟକ୍ରମ ସଚେତନତାଠାରୁ ଆଗକୁ ବଢ଼ି ପଦ୍ଧତିଗତ ପରିବର୍ତ୍ତନ ଆଡ଼କୁ ଯିବାର ଜରୁରୀ ଆବଶ୍ୟକତାକୁ ଦୃଢ଼ କରିଥିଲା।
Tags: #MHDay2026 #OMHHAlliance #PeriodsFriendlyWorld #MenstrualHealthandHygiene #Odisha

















