ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଶିକ୍ଷକ ସଂଘର ସ୍ମାରକପତ୍ର

(ବ୍ରହ୍ମପୁର): ଓଡ଼ିଶାରେ ବିଶ୍ଵସ୍ତରୀୟ ଶିକ୍ଷାନୁଷ୍ଠାନ ଗଠନ ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ‘ଭିଜନ ଡକ୍ୟୁମେଣ୍ଟ -୨୦୩୬’ ପ୍ରସ୍ତୁତ ହୋଇଛି। ଏଥିରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରିବା ପାଇଁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଶିକ୍ଷକ ସଂଘ (ବୁଟା) ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦିଆଯିବା ସହ ସମସ୍ତ ଲୋକ ପ୍ରତିନିଧିଙ୍କୁ ଅବଗତ କରିବା ପାଇଁ ବୁଟାର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି।

‘ଭିଜନ ଡକ୍ୟୁମେଣ୍ଟ -୨୦୩୬’ରେ ଉତ୍କଳ ବିଶ୍ଵବିଦ୍ୟାଳୟ, ସମ୍ବଲପୁର ବିଶ୍ଵବିଦ୍ୟାଳୟ ଓ ରେଭେନ୍ସା ବିଶ୍ଵବିଦ୍ୟାଳୟକୁ ବିଶ୍ଵସ୍ତରୀୟ ଶିକ୍ଷାନୁଷ୍ଠାନ ଭାବେ ଗଢ଼ିବା ପାଇଁ ପ୍ରସ୍ତାବ ରହିଥିବାବେଳେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ କିନ୍ତୁ ଏଥିରୁ ବାଦ ଦିଆଯାଇଛି। ଏହାକୁ ନେଇ ବୁଟା ପକ୍ଷରୁ ଗଭୀର ଚିନ୍ତା ପ୍ରକାଶ କରାଯାଇଛି।

ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ଗତ କିଛି ବର୍ଷ ଧରି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଶିକ୍ଷା, ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଲାଭ କରିଛି। ବିଶ୍ଵବିଦ୍ୟାଳୟ ସମ୍ପ୍ରତି ନାକ୍ ମୂଲ୍ୟାଙ୍କନରେ ‘ଏ’ ଗ୍ରେଡ୍ ହାସଲ କରିଥିବାବେଳେ ଏନ.ଆଇ.ଆର.ଏଫ ତାଲିକାରେ ରାଜ୍ୟର ସରକାରୀ ବିଶ୍ଵବିଦ୍ୟାଳୟମାନଙ୍କ ମଧ୍ୟରେ ୫୧–୧୦୦ ସ୍ଥାନରେ ରହି ରହିଛି। ଗତ ପାଞ୍ଚ ବର୍ଷରେ ବିଶ୍ଵବିଦ୍ୟାଳୟର ଗବେଷକମାନେ ବିଭିନ୍ନ ସରକାରୀ, ବେସରକାରୀ ତଥା ଅନ୍ତର୍ଜାତୀୟ ସୂତ୍ରରୁ ୨୩.୩୧ କୋଟି ଟଙ୍କାର ଗବେଷଣା ଅନୁଦାନ ଆଣିଛନ୍ତି। ଗତ ଦୁଇବର୍ଷ ମଧ୍ୟରେ ପ୍ରାୟ ୪୦୦୦ ଗବେଷଣା ପ୍ରବନ୍ଧ, ପୁସ୍ତକ ଅଧ୍ୟାୟ ଓ ପେଟେଣ୍ଟ ଏବଂ ୨୩ ହଜାରରୁ ଅଧିକ ସାଇଟେସନ୍ ବିଶ୍ଵବିଦ୍ୟାଳୟର ଗବେଷଣା ଦକ୍ଷତାକୁ ପ୍ରତିପାଦିତ କରୁଛି।

‘ବୁଟା’ ପକ୍ଷରୁ ଦକ୍ଷିଣ ଓଡ଼ିଶାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଭୂମିକାକୁ ମଧ୍ୟ ସ୍ମାରକପତ୍ରରେ ଗୁରୁତ୍ଵର ସହ ଉପସ୍ଥାପନ କରାଯାଇଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଦୀର୍ଘଦିନ ଧରି ଦକ୍ଷିଣ ଓଡ଼ିଶାର ବ୍ୟାପକ ଛାତ୍ରସମୁଦାୟକୁ, ବିଶେଷକରି ଆଦିବାସୀ, ଗ୍ରାମୀଣ ଏବଂ ଆର୍ଥିକ ଭାବେ ପଛୁଆ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସୁଯୋଗ ଯୋଗାଇ ଆସୁଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ଏପରି ଏକ ପ୍ରମୂଖ ନୀତିଗତ ପରିକଳ୍ପନାରୁ ବାଦ ଦିଆଗଲେ, ଦକ୍ଷିଣ ଓଡ଼ିଶାର ସମଗ୍ର ଶିକ୍ଷାଗତ ଆକାଂକ୍ଷାକୁ ଅଣଦେଖା କରିବା ଭଳି ହେବ ବୋଲି କୁହାଯାଉଛି।

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଶିକ୍ଷକ ସଂଘ ସ୍ପଷ୍ଟକରିଛି ବିଶ୍ଵବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଯୋଜନାରେ ସାମିଲ କରିବା କେବଳ ଶିକ୍ଷକ ସମାଜର ଦାବି ନୁହେଁ ବରଂ ଏହା ଦକ୍ଷିଣ ଓଡ଼ିଶାର ଲୋକମାନଙ୍କର ନ୍ୟାୟସଙ୍ଗତ ଓ ସ୍ଵାଭାବିକ ଦାବି।

ଗବେଷଣା, ଶିକ୍ଷକ ପ୍ରଶିକ୍ଷଣ, ସାମୁଦ୍ରିକ ଅଧ୍ୟୟନ, ଜଳବାୟୁ ପରିବର୍ତ୍ତନ ସଂପର୍କିତ ଅନୁସନ୍ଧାନ ଓ ବ୍ଲୁ ଇକୋନୋମି ଭଳି ପ୍ରମୁଖ କ୍ଷେତ୍ରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କ୍ଷମତା ରହିଛି। ଏହାକୁ ଦୃଷ୍ଟିରେ ବିଶ୍ଵବିଦ୍ୟାଳୟକୁ ଭିଜନ ଡକ୍ୟୁମେଣ୍ଟ-୨୦୩୬ରେ ସାମିଲ କରିବା ବାକୁ ସଂଘ ଦାବି ଜଣାଇଛି।

Tags: #BerhampurUniversity #OdishaVisionDocument2036 #HigherEducation #Odisha

Comment