ଓଡ଼ିଶାଲାଇଭ୍ ବ୍ୟୁରୋ

  • ଓଡ଼ିଶାର ଲୁଣା ଜଙ୍ଗଲର ପରିସୀମା ୧୬.୬ ପ୍ରତିଶତ ବୃଦ୍ଧି
  • ଭିତରକନିକାରେ ସର୍ବାଧିକ ୨୧୨ ବର୍ଗ କିଲୋମିଟରରୁ ଅଧିକ ଲୁଣା ଜଙ୍ଗଲ
  • ଲୁଣା ଜଙ୍ଗଲର ସ୍ଥାୟୀ ପୁନରୁଦ୍ଧାର ଓ ସଂରକ୍ଷଣ ପାଇଁ ଅଭିନବ ପଦକ୍ଷେପ
  • ଗୋଷ୍ଠୀ ସହଭାଗିତା ଏବଂ କାମ୍ପା ପାଣ୍ଠି ସହାୟତାରେ ବିଶେଷ କାର୍ଯ୍ୟକ୍ରମ

(କେନ୍ଦ୍ରାପଡ଼ା/ଭୁବନେଶ୍ୱର): ଲୁଣା ବା ହେନ୍ତାଳ ଜଙ୍ଗଲ ସଂରକ୍ଷଣ ଓ ପୁନରୁଦ୍ଧାର କ୍ଷେତ୍ରରେ ଓଡ଼ିଶା ଆଜି ଭାରତର ଅନ୍ୟତମ ସଫଳ ମଡେଲ୍ ପାଲଟିଛି। ପରିବେଶ ସନ୍ତୁଳନ ରକ୍ଷା କରିବା ସହ ସ୍ଥାନୀୟ ଲୋକଙ୍କ ଜୀବିକା ସଶକ୍ତ ଏବଂ ଜଳବାୟୁ ପରିବର୍ତ୍ତନ ମୁକାବିଲା କ୍ଷେତ୍ରରେ ଏହି ଅଭିନବ ପଦକ୍ଷେପ ବିଶେଷ ଆଦୃତ ହୋଇପାରିଛି।

ରାଜ୍ୟର ପାଞ୍ଚଟି ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ତ୍ତମାନ ପ୍ରାୟ ୨୫୯.୦୬ ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ଲୁଣା ଜଙ୍ଗଲ ରହିଛି। ତା’ ଭିତରେ କେବଳ କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନରେ ୨୧୨ ବର୍ଗ କିଲୋମିଟରରୁ ଅଧିକ ଲୁଣା ଜଙ୍ଗଲ ରହିଛି। ଏହା ଭାରତର ଦ୍ୱିତୀୟ ସର୍ବବୃହତ୍ ଲୁଣା ଜଙ୍ଗଲ ଭାବେ ପରିଚୟ ପାଇଛି।

ଅଭିନବ ବୈଜ୍ଞାନିକ ପଦ୍ଧତି, ନୀତିଗତ ସମନ୍ୱୟ ଏବଂ ଗୋଷ୍ଠୀ ସହଭାଗିତାରେ ଓଡ଼ିଶା ଉପକୂଳରେ ବ୍ୟାପକ ଲୁଣା ଜଙ୍ଗଲ ସୃଷ୍ଟି କରାଯାଉଛି। ଫଳରେ ଜଳବାୟୁ ପରିବର୍ତ୍ତନ ଭଳି ଆହ୍ୱାନ ଯୋଗୁଁ ସୃଷ୍ଟି ହେଉଥିବା ବିଭିନ୍ନ ପ୍ରାକୃତିକ ଦୁର୍ବିପାକର ପ୍ରତିରୋଧ କରିବାରେ ଏହି ଲୁଣା ଜଙ୍ଗଲ ଉପକୂଳ ଅଞ୍ଚଳରେ ଏକ ଶକ୍ତିଶାଳୀ ସୁରକ୍ଷା ପ୍ରାଚୀର ହୋଇ ଛିଡ଼ା ହେଉଛି। ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ମାର୍ଗଦର୍ଶନରେ କ୍ଷତିପୂରକ ବନୀକରଣ ପାଣ୍ଠି ପରିଚାଳନା କର୍ତ୍ତୃପକ୍ଷ (କାମ୍ପା) ସହାୟତାରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉଛି।

ଭିତରକନିକା ଜାତୀୟ ଉଦ୍ୟାନ ଅଞ୍ଚଳରେ ଲୁଣା ଜଙ୍ଗଲ ଅଭିବୃଦ୍ଧି ଦିଗରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଏହା ଅଧୀନରେ ନାସନାଲ ସେଣ୍ଟର ଫର୍ ସଷ୍ଟେନେବଲ କୋଷ୍ଟାଲ ମ୍ୟାନେଜମେଣ୍ଟ (ଏନସିଏସସିଏମ) ପକ୍ଷରୁ ସ୍ଥାପିତ ‘ଡାଟା ବୁଏଜ’ ମାଧ୍ୟମରେ ପରିବେଶଗତ ଚାପ ଓ ପ୍ରଦୂଷଣର ମାତ୍ରା ଅନୁଧ୍ୟାନ କରାଯାଉଛି। ଏହି ସମୟପୋଯୋଗୀ ପଦକ୍ଷେପ ଯୋଗୁଁ ଲୁଣା ଜଙ୍ଗଲର ସ୍ଥାୟୀ ପୁନରୁଦ୍ଧାର ଓ ସଂରକ୍ଷଣ ବ୍ୟବସ୍ଥା ଅଧିକ ପ୍ରଭାବୀ ହୋଇପାରୁଛି।

“ଲୁଣା ଜଙ୍ଗଲର ପରିମାଣ ବୃଦ୍ଧି ଓ ଏହାର ସୁରକ୍ଷା ପାଇଁ କାମ୍ପା ପାଣ୍ଠି ସହାୟତାରେ ପଦକ୍ଷେପ ନିଆଯାଇ କେବଳ ଚାରାରୋପଣ ନୁହେଁ, ଲୁଣା ଜଙ୍ଗଲର ସାମଗ୍ରିକ ପରିସଂସ୍ଥାର ପୁନରୁଦ୍ଧାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ବିଶେଷକରି, ସମୁଦ୍ରର ଜୁଆର ପାଣି ଯେପରି ଲୁଣା ଜଙ୍ଗଲ ଭିତରକୁ ଯାଇପାରିବ, ସେଥିପାଇଁ ପୋତି ହୋଇଯାଇଥିବା ନାଳଗୁଡ଼ିକୁ ଅଧିକ ଗଭୀର କରି ଖୋଳାଯାଉଛି। ଏହା ସହିତ ଜଙ୍ଗଲ ସୁରକ୍ଷା ପାଇଁ କିଛି ନିର୍ଦ୍ଦିଷ୍ଟ ଜାଗାରେ ତାରବାଡ଼ ଘେର ମଧ୍ୟ ଦିଆଯାଉଛି,’’ କହିଛନ୍ତି ରାଜନଗର ଲୁଣା ଜଙ୍ଗଲ ବନଖଣ୍ଡ (ବନ୍ୟପ୍ରାଣୀ) ଅଧିକାରୀ ବରଦରାଜ ଗାଓଁକର।

ସମୁଦ୍ରର ଉଚ୍ଚ ଜୁଆର ଯୋଗୁଁ ଅବକ୍ଷୟ ହେଉଥିବା ଅଞ୍ଚଳର ପୁନରୁଦ୍ଧାର ପାଇଁ ‘ଫିସ୍ ବୋନ୍ ଚ୍ୟାନେଲ’ ବା ‘ମାଛ କଣ୍ଟା ଆକୃତି’ର ଲୁଣା ଜଙ୍ଗଲ ସୃଷ୍ଟି ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଭିତରକନିକା ଜାତୀୟ ଉଦ୍ୟାନରେ ଏହି ଅଭିନବ କୌଶଳର ପ୍ରୟୋଗ ଦ୍ୱାରା ମାତ୍ର ୪ ବର୍ଷ ମଧ୍ୟରେ ପ୍ରାୟ ୧୦୦ ହେକ୍ଟର ଲୁଣା ଜଙ୍ଗଲକୁ ସଫଳତାର ସହ ପୁନରୁଦ୍ଧାର କରାଯାଇଛି।

ଓଡ଼ିଶାର କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ସମୁଦ୍ର କୂଳରେ ବିସ୍ତାରିତ ହୋଇ ରହିଛି ପ୍ରାକୃତିକ ଲୁଣା ଜଙ୍ଗଲ। ଭାରତୀୟ ବନ ସର୍ବେକ୍ଷଣର ତଥ୍ୟ ଅନୁଯାୟୀ, ଗତ ଚାରି ବର୍ଷ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଲୁଣା ଜଙ୍ଗଲ ପରିସୀମା ପ୍ରାୟ ୯.୪୩ ବର୍ଗ କିଲୋମିଟର ବୃଦ୍ଧି ପାଇଛି। ଜବରଦଖଲ ହୋଇଥିବା ସରକାରୀ ଜମି ଏବଂ ପୂର୍ବରୁ ମାଛ ଚାଷ ଭାବେ ବ୍ୟବହୃତ ହେଉଥିବା ଅଞ୍ଚଳରେ ଚାରାରୋପଣ କରି ଏହାକୁ ପୁନରୁଦ୍ଧାର କରାଯାଇଛି।

“ପୂର୍ବରୁ ଜୁଆର ସମୟରେ ବନ୍ୟା ପାଣି ଗାଁ ପାଖକୁ ମାଡ଼ି ଆସୁଥିଲା। ରାସ୍ତା ଘାଟ ଧୋଇ ହୋଇଯିବା ସହ ଘରେ ପାଣି ପଶି ଯାଉଥିଲା। ଜୁଆର ପାଣିରେ କୁମ୍ଭୀର ମଧ୍ୟ ଭାସି ଆସୁଥିଲେ। ଫଳରେ ଆମେ ଭୟରେ ଜୀବନ କାଟୁଥିଲୁ। ଏବେ ଲୁଣା ଜଙ୍ଗଲ ସୃଷ୍ଟି ହେବା ଫଳରେ ସ୍ଥିତିରେ ବହୁତ ସୁଧାର ଆସିଛି। ଆମ ଭିତରେ ଏହା ନୂଆ ଆଶା ସଞ୍ଚାର କରିଛି,’’ କହିଛନ୍ତି ରାଜନଗର ବନଖଣ୍ଡ ଅନ୍ତର୍ଗତ କନକନଗର ଗ୍ରାମର ବାସିନ୍ଦା ଉମାରାଣୀ ଗିରି।

ଓଡ଼ିଶାରେ ଲୁଣା ଜଙ୍ଗଲ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଗୋଷ୍ଠୀ ସହଭାଗିତାକୁ ସବୁବେଳେ ଗୁରୁତ୍ୱ ଦିଆଯାଉଛି। ‘କାମ୍ପା’ ପାଣ୍ଠି ସହାୟତାରେ ସ୍ଥାନୀୟ ଲୋକମାନେ ନର୍ସରି ପ୍ରସ୍ତୁତିଠାରୁ ଆରମ୍ଭ କରି ଚାରାରୋପଣ ଏବଂ ଜଙ୍ଗଲ ସୁରକ୍ଷା କାର୍ଯ୍ୟରେ ସିଧାସଳଖ ସାମିଲ ହେଉଛନ୍ତି। ଏହାଦ୍ୱାରା ପ୍ରକୃତିର ସୁରକ୍ଷା ହେବା ସହ ସ୍ଥାନୀୟ ଲୋକଙ୍କ ପାଇଁ ଜୀବିକା ସୃଷ୍ଟି ହେଉଛି।

“ସ୍ଥାନୀୟ ଲୋକଙ୍କ ସହଭାଗିତା ହିଁ ଏହି ସଫଳତା ପଛର ମୁଖ୍ୟ କାରଣ। ଏଠାର ଲୋକେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସିଧାସଳଖ ଜଡ଼ିତ ହୋଇ ଏହାର ସୁରକ୍ଷା ଦାୟିତ୍ୱ ନେଉଛନ୍ତି। ଏହାଦ୍ୱାରା ପ୍ରକୃତିର ସୁରକ୍ଷା ହେବା ସହ ମାଛ ଚାଷ ଏବଂ ଅନ୍ୟାନ୍ୟ କାର୍ଯ୍ୟ ମାଧ୍ୟମରେ ଲୋକଙ୍କ ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ଆସିପାରୁଛି,” କହିଛନ୍ତି ରାଜନଗର ଲୁଣା ଜଙ୍ଗଲ ବନଖଣ୍ଡ ଅଧିକାରୀ।

ଓଡ଼ିଶା ଭଳି ଏକ ବାତ୍ୟା ପ୍ରବଣ ରାଜ୍ୟ ପାଇଁ ଲୁଣା ଜଙ୍ଗଲ ଏକ ଜୈବ କବଚ ବା ବାୟୋ-ସିଲ୍ଡ ଭାବେ କାର୍ଯ୍ୟ କରୁଛି। ଏହାର ଘଞ୍ଚ ଚେର ସମୁଦ୍ର ଜୁଆରର ବେଗକୁ ରୋକିବା ସହ ବାତ୍ୟା ସମୟରେ ପବନର ଗତିକୁ ପ୍ରତିହତ କରିଥାଏ। ଏଥିସହ ଅନ୍ୟ ଜଙ୍ଗଲ ତୁଳନାରେ ଲୁଣା ଜଙ୍ଗଲ ଅଧିକ ପରିମାଣର ଅଙ୍ଗାରକାମ୍ଳ ଶୋଷଣ କରି ପରିବେଶକୁ ସନ୍ତୁଳିତ ରଖିବା ସହ ମୃତ୍ତିକା କ୍ଷୟ ନିୟନ୍ତ୍ରଣ ଓ ଜୈବ ବିବିଧତା ସଂରକ୍ଷଣରେ ବିଶେଷ ସହାୟକ ହେଉଛି।

ବନଖଣ୍ଡ ଅଧିକାରୀଙ୍କ କହିବା ଅନୁଯାୟୀ, କାମ୍ପା ପାଣ୍ଠି ସହାୟତାରେ ଭିତରକନିକା ଅଞ୍ଚଳରେ ବନ୍ୟପ୍ରାଣୀ ପରିଚାଳନା ଓ ପରିବେଶର ସାମଗ୍ରିକ ବିକାଶ ପାଇଁ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ ଦ୍ୱାରା ଗତ ଦଶ ବର୍ଷ ମଧ୍ୟରେ ଓଡ଼ିଶାର ଲୁଣା ଜଙ୍ଗଲର ପରିସୀମା ୧୬.୬ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୧ ମସିହାରେ ଏହା ୨୨୨ ବର୍ଗ କିଲୋମିଟର ଥିବାବେଳେ ୨୦୨୩ ସୁଦ୍ଧା ଏହା ୨୫୯.୦୬ ବର୍ଗ କିଲୋମିଟରରେ ପହଞ୍ଚିଛି।

Tags: #MangroveConservation #FishboneChannel #BhitarkanikaNationalPark #NCSCM #CAMPA #Odisha

Comment