ଓଡ଼ିଶାଲାଇଭ୍ ବ୍ୟୁରୋ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ୩ ମାସ ଧରି ବନ୍ଦ ରହିବା ପରେ ମଙ୍ଗଳବାରଠାରୁ ଖୋଲିଛି ଭିତରକନିକା। ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭରେ ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଥିଲା।

ମଙ୍ଗଳବାରଠାରୁ ପର୍ଯ୍ୟଟକମାନେ ଡାଙ୍ଗମାଳ, ଖୋଳା ଏବଂ ଗୁପ୍ତି ପ୍ରବେଶ ପଥ ଦେଇ ଭିତରକନିକା ମଧ୍ୟକୁ ଯାଇପାରିବେ। ପର୍ଯ୍ୟଟକଙ୍କ ବୁଲିବା ପାଇଁ ବନବିଭାଗ ପକ୍ଷରୁ ୧୪ଟି ସରକାରୀ ଓ ୬୪ଟି ଘରୋଇ ବୋଟ ପ୍ରସ୍ତୁତ ରଖାଯାଇଛି।

ପର୍ଯ୍ୟଟକମାନଙ୍କ ପାଇଁ ଭିତରକନିକା ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ପରିଚୟ ପତ୍ର ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି। ଭିତରକନିକା ଗେଟ ପାଖରେ ୬ଟି ବ୍ୟାଟେରି ଚଳିତ ଗାଡ଼ିର ବ୍ୟବସ୍ଥା ହୋଇଛି। ପର୍ଯ୍ୟଟକମାନେ ବୋଟ ଯାଏଁ ଯିବାପାଇଁ ଏହାର ସୁବିଧା ନେଇପାରିବେ।

ଚଳିତବର୍ଷ କୁମ୍ଭୀରମାନଙ୍କ ପ୍ରଜନନ ପାଇଁ ମେ’ ମାସ ୧ ତାରିଖରୁ ଜୁଲାଇ ୩୧ ତାରିଖ ଯାଏଁ ଭିତରକନିକାକୁ ବନ୍ଦ ରଖାଯାଇଥିଲା। ଏହି ୩ ମାସ ହେଉଛି ବଉଳା କୁମ୍ଭୀରମାନଙ୍କ ପ୍ରଜଜନ ଓ ଅଣ୍ଡା ଦେବାର ସମୟ। ଏହି ସମୟରେ କୁମ୍ଭୀରମାନେ ସ୍ଥଳଭାଗରେ ଜୁଆର ଅସୁନଥିବା ସ୍ଥାନକୁ ଉଠି ବସା ବାନ୍ଧି ଅଣ୍ତା ଦେଇଥାନ୍ତି।

ଅନ୍ୟପଟେ କୁମ୍ଭୀରମାନେ ପ୍ରଜନନ ଋତୁରେ ଅଧିକ ହିଂସ୍ର ହୋଇଥାନ୍ତି। ସେମାନଙ୍କୁ ବାଧାଦେଲେ ଆକ୍ରମଣ କରିବାକୁ ପଛାନ୍ତି ନାହିଁ। ଏଥିଲାଗି ପ୍ରତିବର୍ଷ ମେ’ ପହିଲାରୁ ୩ ମାସ ପାଇଁ ଭିତରକନିକାରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥାଏ।

Tags: #BhitarKanikaNationalPark #Crocodile #Tourists #Kendrapada

Comment