ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ। ଏଥିରେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି। 

ପହଲଗାମର ବୈସରନ ଘାଟିରେ ମଙ୍ଗଳବାର ଅନେକ ପର୍ଯ୍ୟଟକ ଏକତ୍ରିତ ହୋଇଥିଲେ। ଅପରାହ୍ଣ ୩ଟା ସମୟରେ କେହି କିଛି ବୁଝିବା ପୂର୍ବରୁ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କ ଉପରେ ଗୁଳିମାଡ଼ କରିବା ଆରମ୍ଭ କରି ଦେଇଥିଲେ। ଗୁରୁତର ଆହତ ହୋଇଥିବା ପର୍ଯ୍ୟଟକମାନେ ରାଜସ୍ଥାନରୁ ଏହି ଅଞ୍ଚଳକୁ ବୁଲିବାକୁ ଆସିଥିଲେ। 

ଏହି ଆକ୍ରମଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଇବି ଓ ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ଏହି ଆକ୍ରମଣ ପଛରେ ପାକିସ୍ତାନୀ ଆତଙ୍କବାଦୀଙ୍କ ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ଗ୍ରୀଷ୍ମ ଛୁଟି ଆରମ୍ଭ ହେବା ସହ ଏହି ଅଞ୍ଚଳରେ ଧୀରେ ଧୀରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଏଭଳି ସମୟରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଭୟର ପରିସ୍ଥିତି ସୃଷ୍ଟି କରିଛି।

Tags: #TerroristAttack #Pahalgam #Tourists #JammuKashmir #India

Comment