ଓଡ଼ିଶାଲାଇଭ୍ ବ୍ୟୁରୋ

୩ ମାସ ଯାଏଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ଆସନ୍ତା ମେ’ ୧ ତାରିଖରୁ ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲାଗିବ। ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ପାଖେଇ ଆସୁଥିବାରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବନ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ଏହି ୩ ମାସ ହେଉଛି ବଉଳା କୁମ୍ଭୀରମାନଙ୍କ ପ୍ରଜଜନ ଓ ଅଣ୍ଡା ଦେବାର ସମୟ। ଏହି ସମୟରେ କୁମ୍ଭୀରମାନେ ସ୍ଥଳରେ ଉଠି ବସା ବାନ୍ଧି ଅଣ୍ତା ଦେଇଥାନ୍ତି। ସେମାନେ ନଦୀ କୂଳଠୁ ଦୂରରେ ଜୁଆର ଛୁଇଁପାରୁନଥିବା ସୁରକ୍ଷିତ ସ୍ଥାନ ଦେଖି ଅଣ୍ତା ଦିଅନ୍ତି। ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏବେ ଅଭୟାରଣ୍ୟକୁ ବନ୍ଦ କରାଯିବ।

ଅନ୍ୟପଟେ କୁମ୍ଭୀରମାନେ ପ୍ରଜନନ ଋତୁରେ ଅଧିକ ହିଂସ୍ର ହୋଇଥାନ୍ତି। ସେମାନଙ୍କୁ ବାଧାଦେଲେ ଆକ୍ରମଣ କରିବାକୁ ପଛାନ୍ତି ନାହିଁ। ଏଥିଲାଗି ମଧ୍ୟ ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି ହେବ।

କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ବଉଳା କୁମ୍ଭୀରଙ୍କ ପାଇଁ ପ୍ରସିଦ୍ଧ। ଅନେକ ପର୍ଯ୍ୟଟକ କୁମ୍ଭୀରଙ୍କୁ ଦେଖିବା ପାଇଁ ଏଠାକୁ ଆସିଥାନ୍ତି। ତେବେ ପ୍ରତିବର୍ଷ କୁମ୍ଭୀରଙ୍କ ଏହି ପ୍ରଜଜନ ଋତୁରେ ମେ ପହିଲାରୁ ୩ ମାସ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥାଏ।

Tags: #BhitarKanikaNationalPark #Crocodile #Tourists #Kendrapada

LEAVE A REPLY

Please enter your comment!
Please enter your name here