ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭିତରକନିକାରେ ସରିଲା ଦେଶୀୟ ପକ୍ଷୀଙ୍କ ଗଣନା 
  • ଏଥର ମୋଟ ୧ ଲକ୍ଷ ୨୩ହଜାର ୮୬୭ଟି ଦେଶୀୟ ପକ୍ଷୀ ଠାବ
  • ଗଣନା କାମରେ ନିୟୋଜିତ ହୋଇଥିଲେ ବନ ବିଭାଗର ୫ଟି ଟିମ୍

ଭିତରକନିକା ଜାତୀୟ ଉଦ୍ୟାନରେ ବଢ଼ିଛି ଦେଶୀୟ ପକ୍ଷୀଙ୍କ ସଂଖ୍ୟା। ୨୦୨୨ ତୁଳନାରେ ଚଳିତବର୍ଷ ଭିତରକନିକାକୁ ୭ ହଜାର ୭୯୭ ଅଧିକ ଦେଶୀୟ ପକ୍ଷୀ ଆସିଛନ୍ତି। ନିକଟରେ ଜାତୀୟ ଉଦ୍ୟାନରେ ସରିଥିବା ଦେଶୀୟ ପକ୍ଷୀ ଗଣନା କାର୍ଯ୍ୟକ୍ରମରୁ ଏହି ରିପୋର୍ଟ ମିଳିଛି।

ଭିତରକନିକାରେ ଚଳିତବର୍ଷ ୨୬ ହଜାର ୧୧୮ଟି ବସାରୁ ୧ ଲକ୍ଷ ୨୩ ହଜାର ୮୬୭ଟି ପକ୍ଷୀ ଗଣନା କରାଯାଇଛି। ପୂର୍ବବର୍ଷ ଏଠାରେ ୨୪ ହଜାର ୬୬୪ଟି ବସାରେ ୧ ଲକ୍ଷ ୧୬ ହଜାର ୭୦ଟି ପକ୍ଷୀ ଥିଲେ। ଦେଶୀ ବଗ, ବତକ, ଗେଣ୍ଡାଳିଆଙ୍କ ସମେତ ୧୦ରୁ ଅଧିକ ଦେଶୀ ପ୍ରଜାତିର ପକ୍ଷୀଙ୍କୁ ଗଣନା କରାଯାଇଥିଲା।

ଭିତରକନିକାରେ ଏଥର ସେପ୍ଟେମ୍ବର ୩ ତାରିଖରୁ ୭ ତାରିଖ ଯାଏଁ ଦେଶୀୟ ପକ୍ଷୀ ଗଣନା ହୋଇଥିଲା। ଏହି ଗଣନା କାମରେ ବନ ବିଭାଗର ୫ଟି ଟିମ୍ ନିୟୋଜିତ ଥିଲେ । ପ୍ରତିଟି ଟିମରେ ୪ରୁ ୫ ଜଣ କର୍ମଚାରୀ ରହିଥିଲେ।

ପ୍ରତିବର୍ଷ ଭଳି ଏଥର ମଧ୍ୟ ଭିତରକନିକାର ମଠଆଡ଼ିଆ, ଦୁର୍ଗାପ୍ରସାଦ ଆଦି ରେଞ୍ଜରେ ଦେଶୀୟ ପକ୍ଷୀ ଗଣନା କରାଯାଇଥିଲା। ଚଳିତବର୍ଷ ରାଜନଗର ରେଞ୍ଜର ବ୍ରାହ୍ମଣୀ ନଦୀ ମଧ୍ୟରେ ଥିବା ଏକମାଣିଆ ବାଲିଡ଼ିଆ ଦ୍ଵୀପରେ ପ୍ରଥମଥର ପାଇଁ ପକ୍ଷୀ ଗଣନା ହୋଇଥିଲା।

Tags: #BhitarkanikaNationalpark #LocalBirds #BirdCensus #Kendrapara

Comment