କପିଳାସ ଭୂୟାଁ

ଭୁବନେଶ୍ଵରରେ ‘ଓଡ଼ିଆ ଚଳଚ୍ଚିତ୍ର ଦିବସ – ୨୦୨୬’ ଆୟୋଜିତ

ଏପ୍ରିଲ ୨୮ ତାରିଖ ଓଡ଼ିଶା ରାଜ୍ୟ ଇତିହାସରେ ଏକ ଗୁରୁତ୍ଵପୂର୍ଣ୍ଣ ଦିନର ମହତ୍ଵ ରଖେ। ୧୯୩୬ ମସିହାରେ ଓଡ଼ିଶାକୁ ଦୀର୍ଘ ବର୍ଷର ଆନ୍ଦୋଳନ ପରେ ସାରା ଭାରତରେ ଏକ ଭାଷାଭିତ୍ତିକ ରାଜ୍ୟ ରୂପେ ସ୍ଵୀକୃତି ମିଳିଥିଲା। ଏହି ଆନ୍ଦୋଳନର ମୁଖିଆ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ତିଥି ହେଉଛି ଏପ୍ରିଲ ୨୮ ତାରିଖ (୧୮୪୮)। ନିଜର ଭଗ୍ନ ସ୍ଵାସ୍ଥ୍ୟ ସତ୍ତ୍ୱେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଆଣିଦେବା ଓ ଓଡ଼ିଆ ଅସ୍ମିତାକୁ ପୁରୋଭାଗକୁ ଆଣିବା ଦିଗରେ ମଧୁବାବୁଙ୍କର ଥିଲା ଅନବଦ୍ୟ ଅବଦାନ।  ତେଣୁ ଏହି ଦିନଟିକୁ ଏବେ ‘ସ୍ଵାଭିମାନ ଦିବସ’ ଭାବେ ପାଳନ କରାଯାଉଛି।

ଯଦିଓ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ହାସଲ କରିବାର ଦୁଇ ବର୍ଷ ପୂର୍ବରୁ ୪ ଫେବ୍ରୁୟାରୀ ୧୯୩୪ରେ ତାଙ୍କର ଦେହାନ୍ତ ହେଲା, ତେବେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ସ୍ଵୀକୃତି ଆଣିଦେବା କ୍ଷେତ୍ରରେ ତାଙ୍କର ଅବଦାନକୁ ଆମେ ସମ୍ମାନ ଜଣାଇ ଆସୁଛେ। ତେଣୁ ୧୯୩୬ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ଅର୍ଜନ କଲାପରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତାବିବାହ’କୁ ମଧୁବାବୁଙ୍କ ଶୁଭ ଜନ୍ମ ତିଥିରେ ଶ୍ରୀଜଗନ୍ନାଥ ଧାମ ପୁରୀସ୍ଥିତ ‘ଲକ୍ଷ୍ମୀ’ ଟକିଜରେ ରିଲିଜ କରାଯାଇଥିଲା। ତେବେ ସେହି ଦିନଟିକୁ ‘ଓଡ଼ିଆ ଚଳଚ୍ଚିତ୍ର ଦିବସ’ ରୂପେ ପାଳନ କରାଯିବା ଆହେତୁକ ହୋଇନଥିଲେ ମଧ୍ୟ କେହି ବି ସେଠି ପ୍ରତି ଦୃଷ୍ଟି ଦେଇନଥିଲେ। ଆଶ୍ଵାସନାର କଥା ଯେ ବିଳମ୍ବରେ ହେଲେ ବି ଗତ ବର୍ଷଠାରୁ ଚଳଚ୍ଚିତ୍ର ଜଗତର ଯୁବବର୍ଗ ଏପ୍ରିଲ ୨୮ ତାରିଖକୁ ‘ଓଡ଼ିଆ ଚଳଚ୍ଚିତ୍ର ଦିବସ’ ରୁପେ ପାଳନ କରିବା ଆରମ୍ଭ କରିଛନ୍ତି।

ହୁଏତ ଗୋଟିଏ ଦିନରେ ରାଜ୍ୟ ସ୍ତରରେ କିଭଳି ଦୁଇଟି ଦିବସ ପାଳନ ହେବ ତାହାକୁ ନେଇ ଦ୍ଵନ୍ଦ୍ଵରେ ପଡ଼ିଥାଇ ପାରନ୍ତି, କିନ୍ତୁ ସେଭଳି କାହିଁକି ହୋଇପାରିବ ନାହିଁ?

ଚଳଚ୍ଚିତ୍ର ଜଗତର ଅନ୍ୟ ଏକ ବାସ୍ତବତା ହେଲା କି ପ୍ରଯୋଜକ, ନିର୍ଦ୍ଦେଶକ, ଚିତ୍ରନାଟ୍ୟ ଲେଖକ, ଅଭିନେତା, ସମ୍ପାଦନା ଓ ସିନେମାଟୋଗ୍ରାଫି ପରି କ୍ଷେତ୍ରର ବୈଷୟିକ ବ୍ୟକ୍ତିମାନଙ୍କର ନିଜସ୍ଵ ସଂଘ ରହିଛି। ଏହା କେବଳ ଆମ ରାଜ୍ୟରେ ନୁହେଁ, ବରଂ ବଲିଉଡଠାରୁ ଆରମ୍ଭ କରି ଟଲିଉଡ, କୋଲିଉଡ, ମଲିଉଡ ପର୍ଯ୍ୟନ୍ତ ସର୍ବତ୍ର ଏହି ବିଭାଜିତ ବ୍ୟବସ୍ଥା ରହିଛି। ଏଠାରେ ମଧ୍ୟ ସେହି ବିଭାଜିତ ସ୍ଥିତି ଜାରି ରହିଥିବା ସତ୍ତ୍ଵେ ଓଡ଼ିଆ ଚଳଚ୍ଚିତ୍ର ପରିବାର ଭାବେ ସମସ୍ତେ ଏକାଠି ମିଶି ‘ଓଡ଼ିଆ ଚଳଚ୍ଚିତ୍ର’ ଦିବସ ପାଳନ କରିବାକୁ ଆଗେଇଆସିବା ନିଶ୍ଚୟ ଏକ ପ୍ରଶଂସନୀୟ ପଦକ୍ଷେପ।

ସେହି କ୍ରମରେ ୨୦୨୬ ଏପ୍ରିଲ ୨୮ ତାରିଖ ସନ୍ଧ୍ୟାରେ ଭୁବନେଶ୍ଵରର ଗୀତଗୋବିନ୍ଦ ସଦନଠାରେ ଦ୍ୱିତୀୟ ଥର ପାଇଁ ‘ଓଡ଼ିଆ ଚଳଚ୍ଚିତ୍ର ଦିବସ’ ଆନୁଷ୍ଠାନିକ ଭାବେ ଆୟୋଜିତ ହୋଇଥିଲା। ବକ୍ତାମାନଙ୍କ କହିବା ଅନୁଯାୟୀ ଗତ ବର୍ଷଠାରୁ ଚଳିତ ବର୍ଷ ଏହି ଉତ୍ସବରେ ଯୋଗଦାନ କରିଥିବା ଓଡ଼ିଆ ଚଳଚ୍ଚିତ୍ର ବ୍ୟକ୍ତିତ୍ଵମାନଙ୍କ ସଂଖ୍ୟା ଆଶାତୀତ ଭାବେ ବହୁତ ଅଧିକ ଥିଲା।

ଏହି ଉତ୍ସବ ବିଶିଷ୍ଟ ଚଳଚ୍ଚିତ୍ର ସମୀକ୍ଷକ ତଥା ଓଡ଼ିଆ ଚଳଚ୍ଚିତ୍ର ଅଭିଲେଖକ ସୂର୍ଯ୍ୟ ଦେଓଙ୍କ ଦ୍ଵାରା ଓଡ଼ିଆ ମାଇଲଖୁଣ୍ଟ ଚଳଚ୍ଚିତ୍ରଗୁଡ଼ିକରୁ ସଂଗୃହୀତ ବିଶେଷ ଦୃଶ୍ୟାବଳୀକୁ ଘେନି ଏକତ୍ରିତ କରି ପ୍ରସ୍ତୁତ ହୋଇଥିବା ୧୦ ମିନିଟ ଅବଧିର ତଥ୍ୟ-ଚିତ୍ର ପ୍ରଦର୍ଶନରୁ ଆରମ୍ଭ ହୋଇଥିଲା। ହୁଏତ ଏହା ମାତ୍ର ଦଶ ମିନିଟ ଅବଧିର ପ୍ରସ୍ତୁତି, କିନ୍ତୁ ଏଥିରେ ସନ୍ନିହିତ ଦୃଶ୍ୟାବଳୀଗୁଡ଼ିକ ସମସ୍ତଙ୍କୁ ସ୍ମୃତିଚାରଣ କରିବା ଓ ପଛକୁ ଫେରି ଚାହିଁବା ପାଇଁ ଯଥେଷ୍ଟ ଥିଲା।

ଉତ୍ସବର ସଭା କାର୍ଯ୍ୟରେ ରାଜ୍ୟ ପ୍ରଯୋଜକ ସଂଘର ସଭାପତି ବିଶିଷ୍ଟ ଚଳଚ୍ଚିତ ସିନେମାଟୋଗ୍ରାଫର ତଥା ନିର୍ଦ୍ଦେଶକ ଯୁଗଳ ଦେବତା, ନିର୍ଦ୍ଦେଶକ ସଂଘ ସଭାପତି ତଥା ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ଚିତ୍ରନାଟ୍ୟ ଲେଖକ ସଂଘର ସଭାପତି ବିଶିଷ୍ଟ ଚିତ୍ରନାଟ୍ୟ ଲେଖକ ରଜନୀ ରଞ୍ଜନ, ଅଭିନେତା ସଂଘର ସଭାପତି ସିନେ ତାରକା ସିଦ୍ଧାନ୍ତ ମହାପାତ୍ର, ସମ୍ପାଦକ ସଂଘର ସଭାପତି ଗଦାଧର ପୁଟି ଓ ବୈଷୟିକ କର୍ମୀ ସଂଘର ସଭାପତି ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଦେବୁ ପଟ୍ଟନାୟକ ଏବଂ ଅନ୍ୟ ବରିଷ୍ଠ ବ୍ୟକ୍ତିମାନେ ଯୋଗ ଦେଇଥିଲେ।

ଏହି ଉତ୍ସବକୁ ଏକ ମଧୁର ସଂଶ୍ଳେଷ ଦେବାକୁ ସମସ୍ତ ଅଂଶଗ୍ରହଣକାରୀ ମଞ୍ଚ ଉପରେ ଏକ ଆଖିଦୃଶିଆ ଛେନାପୋଡ଼ କାଟି ପରସ୍ପର ମଧ୍ୟରେ ଖୁଆଖୋଇ ହୋଇଥିଲେ। ଶେଷକୁ ସୋହିନୀ ମିଶ୍ର ଓ ସତ୍ୟଜିତ ପ୍ରଧାନଙ୍କ ଭଳି ଯୁବ କଣ୍ଠଶିଳ୍ପୀମାନେ ସେମାନଙ୍କ ସାଙ୍ଗୀତିକ ମୂର୍ଚ୍ଛନାରେ ସମସ୍ତଙ୍କ ମନ ମୋହିଥିଲେ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକମତାମତ ସମ୍ପୂର୍ଣ୍ଣ ନିଜସ୍ଵ)

Tags: #OdiaFilmDay #OdiaCinema #Entertainment #Odisha

Comment