ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଇଡ୍କୋ ଅଧ୍ୟକ୍ଷା ଉଷା ପାଢ଼ୀ ବୁଧବାର ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ପରିଦର୍ଶନ କରିଛନ୍ତି। ଏଠାରେ ସେ ବ୍ୟାପକ ଭିତ୍ତିଭୂମି ବିକାଶ ଓ ସହରାଞ୍ଚଳ ବିକାଶ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଶିଳ୍ପ ଅଭିବୃଦ୍ଧି ଓ ସହରାଞ୍ଚଳ ଭିତ୍ତିଭୂମି ମଧ୍ୟରେ ସମନ୍ୱୟ ସୃଷ୍ଟି କରି ଏକ ସୁସଙ୍ଗଠିତ ଓ ନିବେଶ-ଅନୁକୂଳ ପରିବେଶ ଗଢ଼ି ତୋଳିବା ଏହି ପରିଦର୍ଶନର ମୂଳ ଉଦ୍ଦେଶ୍ୟ ଥିଲା।
ଏହି ଗସ୍ତରେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ଏବଂ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ। ସେମାନେ କଳିଙ୍ଗନଗରର ଅଳିଜଙ୍ଗା ଅଞ୍ଚଳର ପ୍ରାୟ ୬୦୦ ଏକର ଜମିର ଅନୁଧ୍ୟାନରୁ କରିଥିଲେ। ସେଠାକାର ଭୂମି ବିକାଶ, ଲେଆଉଟ୍ ପ୍ଲାନିଂ ଏବଂ ଭବିଷ୍ୟତ ଶିଳ୍ପ ନିବେଶ ପାଇଁ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା। ଏହାପରେ ଉଷା ପାଢ଼ୀ ସୁକୁଟିଝରା ଅଞ୍ଚଳ ପରିଦର୍ଶନ କରି ଶିଳ୍ପ ସମ୍ପ୍ରସାରଣ ପାଇଁ ସମ୍ଭାବନା, ଭିତ୍ତିଭୂମି ସୁବିଧା ଓ ସଂଯୋଗ ସୃଷ୍ଟିର ପରିସ୍ଥିତି ବୁଲି ଦେଖିଥିଲେ। ଏହାସହ ସେ ଟାଟା ଷ୍ଟିଲ୍ର ଡି.ବି. ପ୍ଲଟ୍ ନଂ–୨ ପରିଦର୍ଶନ କରିଥିଲେ।
ଶିଳ୍ପାଞ୍ଚଳ ସମୀକ୍ଷା ସହିତ ସେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ସହରାଞ୍ଚଳ ବିକାଶ ପ୍ରକଳ୍ପ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇଥିଲେ। ବିଶେଷକରି ଜଳ ଯୋଗାଣ, ସ୍ଵଚ୍ଛତା, ସଡ଼କ ଓ ଡ୍ରେନେଜ୍ ନେଟୱାର୍କ ଏବଂ ସହରାଞ୍ଚଳ ବିକାଶ ପାଇଁ ଚାଲିଥିବା ପ୍ରକଳ୍ପ କାର୍ଯ୍ୟଗୁଡ଼ିକୁ ତ୍ଵରାନ୍ଵିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
“ଓଡ଼ିଶାରେ ଏକ ସ୍ଥାୟୀ, ସୁଦୃଢ଼ ଓ ପୁଞ୍ଜିନିବେଶ-ଅନୁକୂଳ ପରିବେଶ ସୃଷ୍ଟି ପାଇଁ ଶିଳ୍ପ ଭିତ୍ତିଭୂମି ସହ ସହରାଞ୍ଚଳ ସେବାର ସମନ୍ୱିତ ବିକାଶ ଅତ୍ୟାବଶ୍ୟକ। କ୍ଷେତ୍ରସ୍ତରରେ ନିୟମିତ ସମୀକ୍ଷା, ଆନ୍ତଃ-ବିଭାଗୀୟ ସମନ୍ୱୟ ଓ ଶୀଘ୍ର ପଦକ୍ଷେପ ଗ୍ରହଣ ଶିଳ୍ପ ଓ ସହରାଞ୍ଚଳ ଅଭିବୃଦ୍ଧିର ମୂଳ ଆଧାର। ଏହା ବିକଶିତ ଓଡ଼ିଶା ଗଠନ ଦିଗରେ ପ୍ରମୁଖ ଭୂମିକା ବହନ କରିବ”, କହିଛନ୍ତି ଉଷା ପାଢ଼ୀ।
ଏହାପରେ କେ.ଏନ୍.ଡି.ଏ ସମ୍ମିଳନୀ କକ୍ଷରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଉଷା ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ବୈଠକରେ କଳିଙ୍ଗନଗର ଜାତୀୟ ଶିଳ୍ପ କରିଡରର ଦ୍ରୁତ ବିକାଶ ପାଇଁ ଆଗାମୀ ରୋଡ୍ମ୍ୟାପ୍ ଉପରେ ଚର୍ଚ୍ଚା ହୋଇଥିଲା।
Tags: #UshaPadhee #KalinganagarVisit #IndustrialDevelopment #Jajpur #Odisha

















