ଓଡ଼ିଶାଲାଇଭ୍ ବ୍ୟୁରୋ

ନେତା ବାଛୁଛନ୍ତି ନୂଆପଡ଼ା ଜନତା। ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ଚାଲିଛି ମତଦାନ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମଙ୍ଗଳବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ତେବେ ସମ୍ବେଦନଶୀଳ ବୁଥଗୁଡ଼ିକରେ ଅପରାହ୍ଣ ୪ଟା ଯାଏଁ ଭୋଟ ଗ୍ରହଣ ହେବ। ସକାଳ ୧୧ଟା ସୁଦ୍ଧା ୩୧.୨୫ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି।

ମୋଟ ୩୫୮ଟି ମତଦାନ କେନ୍ଦ୍ରରେ ମତ ସାବ୍ୟସ୍ତ କରୁଛନ୍ତି ନୂଆପଡ଼ା ଭୋଟର। ମୋଟ ୨ ଲକ୍ଷ ୫୩ ହଜାର ୬୨୪ ଜଣ ଭୋଟର ରହିଥିବା ବେଳେ ଏମାନଙ୍କ ମଧ୍ୟରେ ୧ ଲକ୍ଷ ୨୪ ହଜାର ୧୦୮ ଜଣ ପୁରୁଷ, ୧ ଲକ୍ଷ ୨୯ ହଜାର ୪୯୫ ଜଣ ମହିଳା, ୧,୭୮୬ ଜଣ ବରିଷ୍ଠ ନାଗରିକ, ୯,୨୯ ଜଣ ଯୁବ ଭୋଟର ଏବଂ ୩,୯୮୮ ଜଣ ଭିନ୍ନକ୍ଷମ ଭୋଟର ରହିଛନ୍ତି।

ନୂଆପଡ଼ା ଉପନିର୍ବାଚନରେ ରାଜ୍ୟର ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ବିଜେପି ପ୍ରାର୍ଥୀ ଦିବଙ୍ଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଆ ଜୟ ଢୋଲକିଆ, ବିଜେପି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ମଧ୍ୟରେ ନିର୍ଣ୍ଣାୟକ ଲଢ଼େଇ ହେଉଛି। ତେବେ କାହା ଉପରେ ଭରସା କରିବେ ନୂଆପଡ଼ା ଜନତା, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Tags: #Nuapada #NuapadaAssemblyByElection #Vote #Politics #Odisha #BJP #BJD #Congress

Comment