ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଧାନ ମୂଲ୍ୟ ଶୃଙ୍ଖଳ ସୁଦୃଢ଼ୀକରଣ  ଏବଂ ଡିଜିଟାଲ କୃଷି କ୍ଷେତ୍ରରେ ସହଯୋଗୀତା ଉପରେ ଗୁରୁତ୍ୱ।

ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଧବଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବାରାଣାସୀ ସ୍ଥିତ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ଦକ୍ଷୀଣ ଏସୀୟ ଆଞ୍ଚଳିକ କେନ୍ଦ୍ର ପରିଦର୍ଶନ କରିଛନ୍ତି। ସ୍ଥାୟୀ କୃଷି ପ୍ରଣାଳୀ, ଡିଜିଟାଲ୍ କୃଷି ଓ ଧାନ ମୂଲ୍ୟ ଶୃଙ୍ଖଳର ବିକାଶ ଦିଗରେ ସହଯୋଗକୁ ସୁଦୃଢ଼ କରିବା ଏହି ପରିଦର୍ଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ପ୍ରତିଷ୍ଠାନର ଅନ୍ତରୀଣ ନିର୍ଦ୍ଦେଶକ ଡକ୍ଟର ବିକାଶ କୁମାର ସିଂହ ଓଡ଼ିଶାର ପ୍ରତିନିଧି ଦଳକୁ ସ୍ୱାଗତ କରିଥିଲେ। ଏହି ଅବସରରେ ସେ ଓଡ଼ିଶାରେ ଆଇଏସଏଆରସି ପକ୍ଷରୁ ଜାରି ରହିଥିବା କାର୍ଯ୍ୟ ଏବଂ  ଜଳବାୟୁ ସହନଶୀଳ ଓ ପ୍ରଯୁକ୍ତି-ଚାଳିତ କୃଷିରେ ଏହାର ଭୂମିକାକୁ ଗୁରୁତ୍ଵାରୋପ କରିଥିଲେ। ଏହା ସହିତ ରିମୋଟ ସେନ୍ସିଂ-ଆଧାରିତ ନିଷ୍ପତ୍ତି ସହାୟତା ପ୍ରଣାଳୀ, ସ୍ପିଡ୍ ବ୍ରିଡିଂ, ମେକାନାଇଜେସନ୍ ହବ ପରି ଅତ୍ୟାଧୁନିକ ସୁବିଧାଗୁଡ଼ିକୁ ବିଷୟରେ ମଧ୍ୟ ଅବଗତ କରାଇଥିଲେ।   

ଏହି ଗସ୍ତ ଅବସରରେ ବିଭାଗୀୟ କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଧବ ‘ଭୂ-ଅବସ୍ଥାପନ ପ୍ରଯୁକ୍ତି ଏବଂ ନିଷ୍ପତ୍ତି ସହାୟକ ପ୍ରଣାଳୀ ସହିତ ଓଡ଼ିଶାରେ କୃଷି ଜମି ଏବଂ ଧାନ ଅମଳ ପରବର୍ତ୍ତୀ ପଡ଼ିଆ ଜମିର ବ୍ୟବହାର’ ଶୀର୍ଷକ ଏକ ଦୁଇ-ଦିନିଆ କର୍ମଶାଳାର ଉଦ୍‌ଘାଟନ କରିଥିଲେ। ଏହି କର୍ମଶାଳାରେ ଓଡ଼ିଶାରୁ ପ୍ରାୟ ୨୩ ଜଣ ଅଧିକାରୀ ସାମିଲ ହୋଇଥିଲେ।

ଓଡ଼ିଶାର ପ୍ରତିନିଧିମଣ୍ଡଳ ପ୍ରତିଷ୍ଠାନର ଧାନ ମୂଲ୍ୟ ସଂବର୍ଧନ ଉତ୍କୃଷ୍ଟତା କେନ୍ଦ୍ରର ପରୀକ୍ଷାଗାରକୁ ମଧ୍ୟ ଗସ୍ତ କରିଥିଲେ। ଏଠାରେ ଓଡ଼ିଶାର ଧାନ ଓ ମାଣ୍ଡିଆ ମୂଲ୍ୟ ଶୃଙ୍ଖଳକୁ ସୁଦୃଢ଼ କରିବା ପାଇଁ ନୂଆ ଉତ୍ପାଦ ବିକାଶ, ପ୍ରସ୍ତୁତି ଓ ମୂଲ୍ୟ ନିର୍ଦ୍ଧାରଣ ବିଷୟରେ ଆଲୋଚନା ହୋଇଥିଲା। ପରେ ସେମାନେ ‘ସ୍ୱୟଂ ସହାୟକ ଗୋଷ୍ଠୀ ନେତୃତ୍ୱାଧୀନ ଉଦ୍ୟମିତାକୁ ଧାନ ମୂଲ୍ୟ ସଂବର୍ଧନ ମାଧ୍ୟମରେ ପ୍ରୋତ୍ସାହନ’ ପ୍ରକଳ୍ପର ସମୀକ୍ଷା କରିଥିଲେ।

Tags: #IRRI #A&FWDept #Agriculture #Odisha

Comment