ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇଥିବା ପ୍ରଥମ ମହିଳାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱତନ୍ତ୍ର ସମ୍ମାନରେ ସମ୍ବର୍ଦ୍ଧିତ କରିବେ। ସେମାନଙ୍କ ମଧ୍ୟରେ ଅଛନ୍ତି ମହିଳା କୁଲି ମଞ୍ଜୁ ଯାଦବ।

ମଞ୍ଜୁ ଯାଦବଙ୍କ ସ୍ୱାମୀ ରେଳ ଷ୍ଟେସନରେ କୁଲି କାମ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାରର ଆର୍ଥିକ ସ୍ଥିତିକୁ ଦେଖି ମଞ୍ଜୁଙ୍କ ଉପରେ ସବୁ ବୋଝ ପଡ଼ିଲା। ତିନି ପିଲାଙ୍କ ଲାଳନ ପାଳନ ସହିତ ପରିବାରର ଖର୍ଚ୍ଚ ବହନ କରିବାର ବଡ଼ ଦାୟିତ୍ୱ ତାଙ୍କ ମୁଣ୍ଡ ଉପରେ। କିନ୍ତୁ ଆୟର କୌଣସି ପନ୍ଥା ତାଙ୍କ ପାଖରେ ନଥିଲ। ଜୀବନର ଏହି ମୁସ୍କିଲ୍ ପରିସ୍ଥିତିରେ ମଞ୍ଜୁ ଅଦ୍ଭୁତ ସାହସ ଦେଖାଇଲେ।ଓଢ଼ଣାର ବାହାରକୁ ଆସି ସେ ନିଜକୁ ଦେଖାଇଲେ ନୂଆ ରାସ୍ତା।

ରାଜସ୍ଥାନ ଜୟପୁରର ମହିଳା ମଞ୍ଜୁ ନିଜ ସ୍ୱାମୀଙ୍କ ସ୍ଥାନରେ କୁଲି କାମ କରିବା ଆରମ୍ଭ କଲେ। ପରିବାର ଲୋକେ ଯେତେବେଳେ ମଞ୍ଜୁଙ୍କ ନିଷ୍ପତ୍ତି କଥା ଶୁଣି ବ୍ୟସ୍ତ ହେଲେ। ମହିଳାଟିଏ ରେଳ ଷ୍ଟେସନରେ କୁଲିଗିରି କରିବ? ମଞ୍ଜୁଙ୍କ ପାଇଁ କିନ୍ତୁ ଏହି ପ୍ରଶ୍ନର କୌଣସି ମାନେ ନଥିଲା। ଇତି ମଧ୍ୟରେ କୁଲି କାମ କରିବାର ୫ ବର୍ଷ ବିତି ଯାଇଛି ଓ ମଞ୍ଜୁ କେବଳ ରୋଜଗାର କରୁଛନ୍ତି ତାହା ନୁହେଁ ଗରିବୀ ଓ ପିତୃସତ୍ତା ସହ ଲଢ଼େଇ କରି ଏକ ବେଂଚମାର୍କ ପ୍ରତିଷ୍ଠା କରିପାରିଛନ୍ତି।

ଶନିବାର ଦିନ ମଞ୍ଜୁ ସେହି ୧୧୨ ଜଣ ମହିଳାଙ୍କ ଭିତରେ ଅଛନ୍ତି ଯେଉଁମାନଙ୍କ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନାର ଆୟୋଜନ କରାଯାଇଛି। ରାଷ୍ଟ୍ରପତି ଏହିଭଳି ‘ପ୍ରଥମ ମହିଳା’ଙ୍କୁ ସମ୍ମାନିତ କରିବେ ଯିଏ ନିଜ ନିଜ କ୍ଷେତ୍ରରେ ପାରଦର୍ଶିତା ଦେଖାଇଥିବା ଜଣେ ଜଣେ ଅସାଧାରଣ ମହିଳା।

ଏମାନଙ୍କ ମଧ୍ୟରେ ଅଛନ୍ତି ଏମବିଏ କରିଥିବା ପ୍ରଥମ ମହିଳା ସରପଞ୍ଚ, ଭାରତୀୟ ବାୟୁସେନାର ପ୍ରଥମ ମହିଳା ପାଇଲଟ, ପ୍ରଥମ ବିଧାୟିକା (ଯିଏ ନିଜ ନିର୍ବାଚନ ମଣ୍ଡଳୀରେ ମହିଳାଙ୍କ ପାଇଁ ସ୍ୟାନିଟାରି ପ୍ୟାଡ଼ର ବ୍ୟବସ୍ଥା କରାଇଥିଲେ)। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ‘ଫାଷ୍ଟ ଲେଡି’ଙ୍କୁ ସମ୍ମାନିତ କରିବା ମଧ୍ୟ ପ୍ରଥମ ବୋଲି ଜଣାପଡିଛି।

Comment