ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣରୁ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ। ସଂସଦର ଉଭୟ ସଦନକୁ ସମ୍ବୋଧିତ କରି କେନ୍ଦ୍ର ସରକାର କରିଥିବା କାମର ଉପରେ ସୂଚନା ପ୍ରଦାନ କରିଥିଲେ ରାଷ୍ଟ୍ରପତି।
ଏହି ଅବସରରେ ଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରୟାଗରାଜର ମହାକୁମ୍ଭରେ ହୋଇଥିବା ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଥିଲେ। ସଂସଦର ଉଭୟ ସଦନକୁ ସମ୍ବୋଧିତ କରି ବିକଶିତ ଭାରତର ବାର୍ତ୍ତା ଦେଇଥିଲେ ମହାମହିମ। ରାଷ୍ଟ୍ରପତି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ମହାକୁମ୍ଭ ଅଘଟଣକୁ ନେଇ ଦଃଖ ପ୍ରକାଶ କଲେ ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ, ଏବେ ମହାକୁମ୍ଭର ଐତିହାସିକ ପର୍ବ ଚାଲିଛି। ଏହା ଭାରତର ସାଂସ୍କୃତିକ ପରମ୍ପରା ଏବଂ ସାମାଜିକ ଚେତନାର ପର୍ବ। କୋଟି କୋଟି ଲୋକ ସ୍ନାନ କରୁଛନ୍ତି।
ମୌନୀ ଅମାବାସ୍ୟ ଅବସରରେ ଦଳାଚକଟା ଯୋଗୁଁ ଉପୁଜିଥିବା ଅଘଟଣକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମୃତକଙ୍କ ପରିବାର ପ୍ରତି ସମବେଦନ ଜଣାଇବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।
୬ କୋଟି ବରିଷ୍ଠ ନାଗରିକଙ୍କୁ ମିଳିବ ଆୟୁଷ୍ମାନ ବୀମା
ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩ କୋଟି ଅତିରିକ୍ତ ପରିବାରଙ୍କୁ ନୂଆ ଘର ଦେବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ୫ ଲକ୍ଷ ୩୬ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବାର ଯୋଜନା ରହିଛି। ସେହିପରି ଆୟୁଷ୍କାନ ଭାରତ ଯୋଜନାରେ ୭୦ ବର୍ଷ ଏବଂ ତା’ଠାରୁ ଅଧିକ ବୟସର ୬ କୋଟି ବରିଷ୍ଠ ନାଗରିକଙ୍କୁ ସ୍ୱାସ୍ଥ୍ୟ ବୀମା ଦେବା ଲାଗି ନିଷ୍ପତ୍ତି ନିଆଯାଇଛି।
ଯୁବଗୋଷ୍ଠୀଙ୍କୁ ରୋଜଗାର ସୁଯୋଗ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ସରକାର ଯୁବକଙ୍କ ଶିକ୍ଷା ଏବଂ ରୋଜଗାର ପାଇଁ ନୂଆ ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦେଉଛନ୍ତି। ମେଧାବୀ ଛାତ୍ରଙ୍କୁ ଆର୍ଥିକ ସହାୟତା ଦେବା ଲାଗି ପିଏମ ବିଦ୍ୟାଲକ୍ଷ୍ମୀ ଯୋଜନା ଆରମ୍ଭ କରାଯାଇଛି। ଏକ କୋଟି ଯୁବକଙ୍କୁ ୫୦୦ କମ୍ପାନିରେ ଇଣ୍ଟର୍ଣ୍ଣସିପର ସୁଯୋଗ ଦିଆଯିବ।
ସଶକ୍ତ ହେଉଛନ୍ତି ମହିଳା
ଜାତୀୟ ଗ୍ରାମୀଣ ଜୀବିକା ମିଶନରେ ୯୧ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସଶକ୍ତ କରାଯାଇଛି। ଦେଶର ୧୦ କୋଟି ମହିଳାଙ୍କୁ ଏଥିରେ ଯୋଡ଼ା ଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧ କୋଟି ୩୦ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହୋଇସାରିଛନ୍ତି। ଆହୁରି ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରହିଛି। ସବୁ କ୍ଷେତ୍ରରେ ମହିଳାମାନେ ସେମାନଙ୍କ ପ୍ରତିଭା ଦେଖାଇ ପାରିଛନ୍ତି।
‘ଜାତୀୟ ଶିକ୍ଷା ନୀତିରେ ଆଧୁନିକ ବ୍ୟବସ୍ଥା’
ଜାତୀୟ ଶିକ୍ଷା ନୀତି ଉପରେ ରାଷ୍ଟ୍ରପତି କହିଛନ୍ତି ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ବିଦ୍ୟାର୍ଥୀଙ୍କ ପାଇଁ ଆଧୁନିକ ଶିକ୍ଷା ବ୍ୟବସ୍ଥା ପ୍ରସ୍ତୁତ ହେଉଛି। କେହି ଯେପରି ଶିକ୍ଷା ପାଇବାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ମାତୃ ଭାଷାରେ ଶିକ୍ଷାଦାନର ସୁଯୋଗ ରହିବ। ବିଭିନ୍ନ ନିଯୁକ୍ତି ପରୀକ୍ଷା ୧୩ଟି ଭାରତୀୟ ଭାଷାରେ ଆୟୋଜିତ କରାଯିବ ବୋଲି ସେ କହିଛନ୍ତି।
ସାଇବର ସିକ୍ୟୁରିଟିଗୁ ଗୁରୁତ୍ଵ
ରାଷ୍ଟ୍ରପତି କହିଛନ୍ତି, କେନ୍ଦ୍ର ସରକାର ଡିଜିଟାଲ ଟେକ୍ନଲୋଜିକୁ ସାମାଜିକ ନ୍ୟାୟ ଏବଂ ସମାନତାର ଉପକରଣ ଭାବେ ବ୍ୟବାହାର କରୁଛନ୍ତି। ଡିଜିଟାଲ ପେମେଣ୍ଟ କେବଳ କିଛି ଲୋକ ବା କିଛି ବର୍ଗଙ୍କ ମଧ୍ୟରେ ସୀମିତ ହୋଇ ରହିନାହିଁ। ଭାରତରେ ଛୋଟରୁ ଛୋଟ ଦୋକାନୀ ମଧ୍ୟ ଏହାର ଲାଭ ଉଠାଉଛନ୍ତି।
ତେବେ ଡଜିଟାଲ ଫ୍ରଡ, ସାଇବର କ୍ରାଇମ ଏବଂ ଡିପଫେକ୍ ପରି ଟେକ୍ନଲୋଜି ସାମାଜିକ, ଆର୍ଥକ ଏବଂ ଜାତୀୟ ସୁରକ୍ଷା ପାଇଁ ବିପଦ ହୋଇପଡ଼ିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ ସରକାର ପଦକ୍ଷେପ ନେଉଛନ୍ତ ।
ଏହା ବ୍ୟତୀତ ଦେଶରେ ରେଳ ଓ ବିମାନ ଚଳାଚଳ ବୃଦ୍ଧ ପାଇଛି । ଦେଶରେ ମେଟ୍ରୋ ନେଟୱର୍କ ୧ ହଜାର କିମିରୁ ଅଧିକ ରହିଛି।
ଜମ୍ମୁ କଶ୍ମୀରରେ ଫେରିଛି ଶାନ୍ତି
ଜମ୍ମୁକଶ୍ମୀରରୁ ଧାରା ୩୭୯ ଉଚ୍ଛେଦ କରାଯିବା ପରେ ସେଠାକୁ ଶାନ୍ତି ଫେରିଛି। ସେଠାରେ ୨୦୨୪ରେ ଲୋକସଭା ଓ ବିଧାନସଭା ନିର୍ବାଚନ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।
Tags: #UnionBudget2025 #ParliamentBudgetSession #PresidentofIndia #DroupadiMurmu #India