ଓଡ଼ିଶାଲାଇଭ୍ ବ୍ୟୁରୋ

ସଂସଦରେ ବଜେଟ୍ ୨୦୨୫-୨୬ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସଂକ୍ଷେପରେ ଜାଣନ୍ତୁ କ’ଣ ରହିଛି ଚଳିତ ବଜେଟରେ।
ସଂସଦ ଭବନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ପୂର୍ବ ବର୍ଷ ଭଳି ଏ ବର୍ଷର ବଜେଟ୍ ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ଆକାରରେ ଉପସ୍ଥାପନ କରାଯାଇଛି। ଉପସ୍ଥାପନ ହେବା ପୂର୍ବରୁ ବଜେଟକୁ ରାଷ୍ଟ୍ରପତି ଓ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଥିଲା।
ଲାଇଭ୍ ଅପଡେଟ୍
- ଭାରତରେ ଏବେ ନୂଆ ଆୟକର ବ୍ୟବସ୍ଥାରେ ବାର୍ଷିକ ୧୨ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ ଆୟକର ଛାଡ଼ ହେବ।
- ୧୨ରୁ ୧୬ ଲକ୍ଷ ଟଙ୍କା ଆୟ ପାଇଁ ୧୫ ପ୍ରତିଶତ ଟ୍ୟାକ୍ସ ଲାଗିବ। ୧୬ରୁ ୨୦ ଲକ୍ଷ ଟଙ୍କା ଆୟ ପାଇଁ ୨୦ ପ୍ରତିଶତ ଟ୍ୟାକ୍ସ ଲାଗିବ।
- ୨୦ରୁ ୨୪ ଲକ୍ଷ ଟଙ୍କା ଆୟ ପାଇଁ ୨୫ ପ୍ରତିଶତ ଏବଂ ୨୪ ଲକ୍ଷ ଟଙ୍କାରୁ ଅଧିକ ଆୟ ପାଇଁ ୩୦ ପ୍ରତିଶତ ଟ୍ୟାକ୍ସ ଲାଗିବ।
- ରପ୍ତାନୀ କ୍ଷେତ୍ରରେ ୭ ଟାରିଫ ଉଚ୍ଛେଦ ହେବ। ୮ଟି ଟାରିଫ୍ ବଳବତ୍ତର ରହିବ।
- ଦେଶରେ ଆସନ୍ତା ସପ୍ତାହରେ ନୂଆ ଆୟକର ବିଲ୍ ଆସିବ। ବୀମା କ୍ଷେତ୍ରରେ ଏଫଡିଆଇକୁ ୭୫ ପ୍ରତିଶତରୁ ୧୦୦ ପ୍ରତିଶତକୁ ବୃଦ୍ଧି କରାଯିବ।
- କ୍ୟାନସର ଓ ଅନ୍ୟ ଜଟିଳ ରୋଗ ପାଇଁ ବ୍ୟବହାର ହେଉଥିବା ୩୬ଟି ମେଡିସିନ ଉପରୁ ଆମଦାନୀ ଶୁଳ୍କ ସମ୍ପୂର୍ଣ୍ଣ ହଟିଲା।
- ବଜେଟରେ ପର୍ଯ୍ୟଟନ ଶିଳ୍ପକୁ ଫୋକସ। ଡେଷ୍ଟିନେସନ ଟୁରିଜିମ୍କୁ ଅଧିକ ଗୁରୁତ୍ଵ ଦିଆଯିବ। ୫୦ଟି ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ। ପର୍ଯ୍ୟଟନ ବିକାଶ ପାଇଁ ୨୦ ହଜାର କୋଟି ଟଙ୍କା ବ୍ୟୟବରାଦ।
- ଜିଓ ସ୍ପେଶାଲ ମିଶନ ପ୍ରତିଷ୍ଠା କରାଯିବ। ପ୍ରଧାନମନ୍ତ୍ରୀ ଗତି ଶକ୍ତି ଯୋଜନା ଜରିଆରେ ଏହା କରାଯିବ। ଏଥିରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ୧୦ ହଜାର ଫେଲୋସିପ ଦିଆଯିବ।
- ବିମାନ ଯାତ୍ରା କ୍ଷେତ୍ରର ବିକାଶ ପାଇଁ ମଡିଫାଏଡ୍ ଉଡାଣ ସ୍କିମ୍ ଲାଗୁ ହେବ। ଏଥିରେ ଆଉ ୪ କୋଟି ବିମାନ ଯାତ୍ରୀ ଯୋଡ଼ି ହେବେ। ବିହାରରେ ଅଧିକ ଗ୍ରୀନ ଫିଲ୍ଡ ବିମାନବନ୍ଦର ନିର୍ମାଣ ହେବ।
- ସହରାଞ୍ଚଳ ବିକାଶ ପାଇଁ ୧ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ। ୨୦୨୮ ସୁଦ୍ଧା ଜଳ ଜୀବନ ମିଶନ ସାରିବାକୁ ଲକ୍ଷ୍ୟ।
- ଦେଶର ସବୁ ଉଚ୍ଚ ମାଧ୍ୟମିକ ସ୍କୁଲରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟର ବ୍ୟବସ୍ଥା ହେବ। ୨ ବର୍ଷ ମଧ୍ୟରେ ପ୍ରତିଷ୍ଠା ହେବ ୫୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ୍। ସ୍କୁଲରେ ଏଆଇ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ।
- ଦେଶରେ ପରମାଣୁ ଶକ୍ତି ଉତ୍ପାଦନ କ୍ଷମତା ବଢ଼ାଯିବ। ୨୦୪୭ ସୁଦ୍ଧା ୧୧ ଗିଗାୱାଟ୍ ପରମାଣୁ ଶକ୍ତି ଉତ୍ପାଦନର ଲକ୍ଷ୍ୟ। ଏଥିପାଇଁ ୨୦ ହଜାର କୋଟି ଟଙ୍କାର ବ୍ୟୟବରାଦ।
- ୫୦ ବର୍ଷ ପାଇଁ ରାଜ୍ୟଗୁଡ଼ିକୁ ସୁଧ ମୁକ୍ତ ଋଣ ପ୍ରଦାନ କରାଯିବ। ଏସଏଚଜି ଗ୍ରୁପ ପାଇଁ ଗ୍ରାମୀଣ କ୍ରେଡିଟ କାର୍ଡ ପ୍ରଦାନ କରାଯିବ।
- ମହିଳା ଓ ଶିଶୁଙ୍କ ବିକାଶ ପାଇଁ ସକ୍ଷମ ଅଙ୍ଗନବାଡ଼ି ଯୋଜନା ଆସିବ। ଏଥିରେ ୮ କୋଟି ପିଲା ଓ ୧ କୋଟି ଗର୍ଭବତୀ ମହିଳା ଉପକୃତ ହେବେ।
- ଆସନ୍ତା ବର୍ଷ ଆଉ ୧୦ ହଜାର ମେଡିକାଲ ସିଟ୍ ବୃଦ୍ଧି କରାଯିବ। ଏହାସହ ୫ ବର୍ଷ ମଧ୍ୟରେ ୭୫ ହଜାର ମେଡିକାଲ ସିଟ୍ ବୃଦ୍ଧି ଲକ୍ଷ୍ୟ ରଖାଯାଇଛି।
- ଗତ ୧୦ ବର୍ଷରେ ଭାରତରେ ୧ ଲକ୍ଷ ୧୦ ହଜାରଟି ମେଡିକାଲ ସିଟ୍ ବଢ଼ିଛି। ଆଗକୁ ସବୁ ଜିଲ୍ଲା ହସ୍ପିଟାଲ୍ରେ କ୍ୟାନ୍ସର ଚିକିତ୍ସା କେନ୍ଦ୍ର ରହିବ। ଆସନ୍ତା ୩ ବର୍ଷରେ ଏହି ଲକ୍ଷ୍ୟ ପୂରଣ କରାଯିବ।
- ବେସରକାରୀ କ୍ଷେତ୍ର ସହ ସହଭାଗିତାରେ ବିଭିନ୍ନ କ୍ଷେତ୍ରରେ ଇନୋଭେସନକୁ ପ୍ରୋତ୍ସାହିତ କରିବା ପାଇଁ ୨୦ ହଜାର କୋଟି ଟଙ୍କା ପ୍ରଦାନ କରାଯିବ।
- ଭାରତରେ ଯୁବବର୍ଗର ଦକ୍ଷତା ବିକାଶ ପାଇଁ ୫ଟି ଅନ୍ତର୍ଜାତୀୟ ସ୍ତରର ଅତ୍ୟାଧୁନିକ ଶିକ୍ଷା ଅନୁଷ୍ଠାନ ଖୋଲାଯିବ।
- ଦେଶରେ ଥିବା ଆଇଆଇଟିଗୁଡ଼ିକର କ୍ଷମତା ବଢ଼ାଯିବ। ଏଥିରେ ଆହୁରି ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ସିଟ୍ ବୃଦ୍ଧି ହେବ।
- ଖେଳନା ତିଆରି ଶିଳ୍ପକୁ ଅଧିକ ଗୁରୁତ୍ଵ ଦିଆଯିବ। ଭାରତକୁ ଖେଳନା ଶିଳ୍ପର ଗ୍ଲୋବାଲ୍ ହବ୍ ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ।
- ଷ୍ଟାର୍ଟଅପ୍ କ୍ଷେତ୍ରର ବିକାଶ ଲାଗି ୨୭ଟି ବିଷୟକୁ ଫୋକସ। ପ୍ରଥମ ପିଢିର ଉଦ୍ୟୋଗୀଙ୍କୁ ୨ କୋଟି ଟଙ୍କାର ଷ୍ଟାର୍ଟଅପ୍ କ୍ୟାପିଟାଲ ପ୍ରଦାନ କରାଯିବ। କେନ୍ଦ୍ର ସରକାର ନ୍ୟାସନାଲ ମ୍ୟାନୁଫ୍ୟାକ୍ଚରିଂ ମିଶନ ପ୍ରତିଷ୍ଠା କରିବେ।
- ଉଦ୍ୟୋଗ କ୍ଷେତ୍ରରେ କ୍ରେଡିଟ୍ ଗ୍ୟାରେଣ୍ଟି କଭରକୁ ବୃଦ୍ଧି କରାଯିବ। କ୍ଷୁଦ୍ର ଉଦ୍ୟୋଗ ପାଇଁ ୫ କୋଟିରୁ ୧୦ କୋଟି ଟଙ୍କା ଯାଏଁ ଋଣ ଦିଆଯିବ। ଆଗାମୀ ୫ ବର୍ଷ ମଧ୍ୟରେ ୧.୫ ଲକ୍ଷ କୋଟି ଟଙ୍କାର ଅତିରିକ୍ତ କ୍ରେଡିଟ୍ ମିଳିବ।
- ଦେଶରେ ଏମଏସଏମଇ କ୍ଷେତ୍ର ପାଇଁ ଅଧିକ ଋଣ ମଞ୍ଜୁରୀ କରାଯିବ। ଏହି କ୍ଷେତ୍ରରେ ଏବେ ୭.୫ କୋଟି ଲୋକ ନିୟୋଜିତ ହୋଇଥିବାବେଳେ ଆହୁରି ଅଧିକ ନିଯକ୍ତି ସୃଷ୍ଟି ହେବ।
- କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ ଦେଶର ୭ କୋଟି ୭୦ ଲକ୍ଷ ଚାଷୀ, ମତ୍ସ୍ୟଜୀବୀ ଏବଂ ଦୁଗ୍ଧ ଚାଷୀଙ୍କୁ ସ୍ୱଳ୍ପକାଳୀନ ଋଣ ପ୍ରଦାନ କରାଯାଉଛି। ଏହି ଋଣ ସୀମାକୁ ୩ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ।
- ସରକାର ଡାଲି ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପାଇଁ ନାଫେଡ୍ ଏବଂ ଏନସିସିଏଫ ଭଳି କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଆଗାମୀ ୪ ବର୍ଷ ମଧ୍ୟରେ ହରଡ଼, ବିରି ଏବଂ ମସୁର ଡାଲିକୁ ଏଜେନ୍ସିଗୁଡ଼ିକରେ ପଞ୍ଜିକରଣ କରି ଚୁକ୍ତିନାମା କରିଥିବା ଚାଷୀଙ୍କଠାରୁ କିଣିବେ।
- ଖାଇବା ତେଲ ଉତ୍ପାଦନରେ ଆତ୍ମନିର୍ଭର ହେବା ଲକ୍ଷ୍ୟରେ ୬ ବର୍ଷିଆ ସ୍କିମ୍ କେନ୍ଦ୍ର ସରକାର ଆରମ୍ଭ କରିବାକୁ ଯାଉଛନ୍ତି।
- କେନ୍ଦ୍ର ସରକାରଙ୍କ ଦ୍ଵାରା ବିହାରରେ ଏକ ମଖାନା ବୋର୍ଡ ଗଠନ କରାଯିବ। ଏହି ବୋର୍ଡ ବିହାର କୃଷକଙ୍କୁ ତାଲିମ ପ୍ରଦାନ କରିବ।
- କୃଷି କ୍ଷେତ୍ରରେ ତୃଣମୂଳ ସ୍ତରରେ ବିକାଶ ପାଇଁ ‘ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା’ ଆଣିବେ କେନ୍ଦ୍ର ସରକାର। ଏଥିରେ ଦେଶର ୧୦୦ଟି କମ୍ ଉତ୍ପାଦନକ୍ଷମ ଜିଲ୍ଲାର ପଞ୍ଚାୟତ ସ୍ତରରେ କୃଷି ଉତ୍ପାଦନ ଏବଂ ସଂରକ୍ଷଣ ବୃଦ୍ଧି କରାଯିବ। ଏହି କାର୍ଯ୍ୟକ୍ରମରେ ୧ କୋଟି ୭୦ ଲକ୍ଷ କୃଷକ ଉପକୃତ ହେବେ।
- ଚଳିତ ବର୍ଷ କେନ୍ଦ୍ର ବଜେଟରେ ଆୟକର, ଶକ୍ତି, କୃଷି, ସହରୀ ବିକାଶ, ଖଣି, ଆର୍ଥିକ କ୍ଷେତ୍ର ଏବଂ ନିୟାମକ ସଂସ୍କାର ଭଳି ୧୦ଟି କ୍ଷେତ୍ରକୁ ବିଶେଷ ଗୁରୁତ୍ଵ ଦିଆଯାଇଛି।
Tags: #UnionBudget2025-26 #ParliamentBudgetSession #NirmalaSitharaman #MinistryofFinance #India