ଓଡ଼ିଶାଲାଇଭ୍ ବ୍ୟୁରୋ

‘ଅପରେସନ ସିନ୍ଦୂର’ ପରେ ଆଜି ଦେଶବାଦୀଙ୍କୁ ପ୍ରଥମ ଥର ସମ୍ବୋଧନ କରିଛନ୍ତି ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଅପରେସନ ସିନ୍ଦୂର’ କେବଳ ଗୋଟିଏ ନାଁ ନୁହେଁ ଦେଶବାସୀଙ୍କ ଭାବାବେଗର ପ୍ରତୀକ। ଅପରେସନ ସିନ୍ଦୂର ହେଉଛି ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା।

“ପହଲଗାମରେ ଯେଉଁଭଳି ଭାବେ ଆତଙ୍କବାଦୀ ଚରମ ସୀମା ଟପିଲେ ତା’ର କଡ଼ା ଜବାବ ଦେଇଛି ଭାରତ। ଆମ ମା’, ଭଉଣୀଙ୍କ ମଥାରୁ ସିନ୍ଦୂର ପୋଛିଥିବା ଆତଙ୍କବାଦୀ ଏବଂ ସେମାନଙ୍କ ଠିକଣାକୁ ମାଟିରେ ମିଶାଇଛି ‘ଅପରେସନ ସିନ୍ଦୂର’।”

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଭାରତ ଉପରେ ଆତଙ୍କବାଦୀ ଆକ୍ରମଣର ମୁହଁତୋଡ଼ ଜବାବ ଦିଆଯିବ। ଭାରତ ନିଜ ହିସାବରେ, ନିଜ ସର୍ତ୍ତ ମୁତାବକ ଜବାବ ଦେବ। ଖୋଜି ଖୋଜି ଆତଙ୍କୀ ଏବଂ ସେମାନଙ୍କ ଠିକଣାକୁ ମିଟିରେ ମିଶାଯିବ।

କୌଣସି ନ୍ୟୁ କ୍ଲିୟର ବ୍ଲାକମେଲକୁ ବରଦାସ୍ତ କରିବ ନାହିଁ ଭାରତ। ନ୍ୟୁ କ୍ଲିୟ ବ୍ଲାକମେଲ ଆଳରେ ଗଢ଼ିଉଠୁଥିବା ଆତଙ୍କବାଦୀଙ୍କ ଠିକଣା ଉପରେ ନିର୍ଣ୍ଣାୟକ ପ୍ରହାର କରାଯିବ। ଆତଙ୍କବାଦୀଙ୍କୁ ପାଳୁଥିବା ସରକାର ଏବଂ ଆତଙ୍କୀ ସମ୍ରାଟଙ୍କୁ ଅଲଗା ଅଲଗା ଦେଖାଯିବ ନାହିଁ ବୋଲି ନରେନ୍ଦ୍ର ମୋଦୀ କହିଛନ୍ତି।

“ଭାରତୀୟ ସେନା ପାକିସ୍ତାନ ଭିତରେ ପଶି ଆତଙ୍କବାଦୀଙ୍କ ଠକଣାସ୍ଥଳ, ସେମାନଙ୍କ ଟ୍ରେନିଂ ସେଣ୍ଟର ଉପରେ ଆକ୍ରମଣ କଲେ। ଆତଙ୍କବାଦୀ ସ୍ଵପ୍ନରେ ବି ଭାବି ନଥିଲେ ଭାରତ ଏତେ ବଡ଼ ପଦକ୍ଷେପ ନେବ। ଯେତେବେଳେ ସମଗ୍ର ଦେଶ ଏଗଜୁଟ ହୁଏ, ଦେଶବାସୀଙ୍କ ପାଇଁ ରାଷ୍ଟ୍ର ସର୍ବୋପରି ଥାଏ, ସେତେବେଳେ ଏଭଳି ନିଷ୍ପତ୍ତି ନିଆଯାଏ ଏବଂ ପରିଣାମ ସାମ୍ନାକୁ ଅଣାଯାଏ”, କହିଛନ୍ତି ପ୍ରଧାନମନ୍ତ୍ରୀ।

ସେ ଆହୁରି କହିଛନ୍ତି, ଯେତେବେଳେ ପାକିସ୍ତାନର ଆତଙ୍କବାଦୀଙ୍କ ଆଡ୍ଡାଉପରେ ଭାରତୀୟ ସେନା ଆକ୍ରମଣ କଲେ, ସେତେବେଳେ ଆତଙ୍କବାଦୀଙ୍କ ସ୍ଥିତି ଦୋହଲି ଯାଇଥିଲା। ଏହି ଆକ୍ରମଣରେ ୧୦୦ରୁ ଅଧିକ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ମୃତ୍ୟୁ ଦଣ୍ଡ ଭୋଗିବାକୁ ପଡ଼ିଲା। ଭାରତର ଏଭଳି ପଦକ୍ଷେପ ପରେ ପାକିସ୍ତାନର ସ୍ଥିତି ଟଳମଳ ହୋଇଗଲା। ହତାଶ ପାକିସ୍ତାନ ପୁଣି ଏକ ଦୁଃସାହସ କଲା। ଭାରତ ଉଠାଇଥିବା କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିବା ପରିବର୍ତ୍ତେ ଭାରତ ଉପରେ ଆକ୍ରମଣ କଲା।

“ପାକିସ୍ତାନ ଆମ ସ୍କୁଲ, କଲେଜ, ମନ୍ଦିର, ଗୁରୁଦ୍ଵାରା ଏବଂ ସାଧାରଣ ନାଗରିକଙ୍କ ଘରକୁ ଟାର୍ଗେଟ କଲା। ଭାରତୀୟ ସେନାଙ୍କ ଠିକଣା ଉପରେ ଆକ୍ରମଣ କଲା। ସାରା ବିଶ୍ଵ ଦେଖିଲା ପାକିସ୍ତାନର ଡ୍ରୋନ ଆଟାକ୍ ଏବଂ ମିଶାଇଲ ମାଡ଼ର ଜବାବ ଭାରତ କେମିତି ଦେଲା”, କହିଛନ୍ତି ନରେନ୍ଦ୍ର ମୋଦୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି କହିଛନ୍ତି, ଭାରତର ସଶକ୍ତ ଏୟାର ଡିଫେନ୍ସ ଟିମ୍ ପାକିସ୍ତାନର ଆକ୍ରମଣକୁ ଆକାଶ ପଥରେ ହିଁ ନଷ୍ଟ କରିଦେଲେ। ପାକିସ୍ତାନ ସୀମାରେ ଆକ୍ରମଣ କରିଥିଲା, କିନ୍ତୁ ଭାରତ, ପାକିସ୍ତାନର ବକ୍ଷରେ ପ୍ରହାର କରିଛି। ଯେଉଁ ବାୟୁସେନା ଏୟାର ବେଶକୁ ନେଇ ପାକିସ୍ତାନ ଗର୍ବ କରୁଥିଲା, ତାକୁ ମଧ୍ୟ ଭାରତର ସେନା ଧ୍ଵଂସ କରିଦେଲେ ବୋଲି କହିଛନ୍ତି ନରେନ୍ଦ୍ର ମୋଦୀ।

“ଭାରତ ପ୍ରଥମ ୩ ଦିନରେ ପାକିସ୍ତାନର ଏମିତି ସ୍ଥିତି ବିଗାଡ଼ି ଦେଲା, ପାକିସ୍ତାନ କେବେ କଳ୍ପନା କରିନଥିଲା। ପାକିସ୍ତାନ ନିଜକୁ ବଞ୍ଚାଇବାକୁ ବାଟ ଖୋଜିଲା। ନିଜ ଟଳମଳ ସ୍ଥିତି ସୁଧାରିବାକୁ ସାରା ବିଶ୍ଵରେ ଗୁହାରି କଲା। ନିଜକୁ ବଞ୍ଚାଇବା ପାଇଁ ଶେଷରେ ମେ’ ୧୦ ତାରିଖରେ ପାକିସ୍ତାନ ସେନା ଡିଜିଏମଓ ସହ ସମ୍ପର୍କ କରିଥିଲା। ସେତେବେଳକୁ ଭାରତ, ପାକସ୍ତାନର ଆତଙ୍କବାଦୀଙ୍କ ଭିତ୍ତିଭୂମିକୁ ନଷ୍ଟ ଭ୍ରଷ୍ଟ କରିଦେଇଥିଲା। ପାକିସ୍ତାନ ଭିତରେ ଥିବା ଆତଙ୍କବାଦୀଙ୍କ ଆଡ୍ଡାକୁ ମାଟିରେ ମାଶାଇ ଦିଆଗଲା”, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସେ ଆହୁରି କହିଛନ୍ତି, ପାକିସ୍ତାନ ତରଫରୁ କୁହାଗଲା ତା’ ପକ୍ଷରୁ ଆଗକୁ ଆତଙ୍କବାଦୀ ଏବଂ ସୈନ୍ୟ ଦୁଃସାହସ କରାଯିବ ନାହିଁ। ଏହା ଉପରେ ବିଚାର କରିଥିଲା ଭାରତ। କିନ୍ତୁ ପୁଣି ନିଜ ସୀମା ଡେଇଁବାର ଦୁଃସାହସ କରିଥିଲେ ପାକିସ୍ତାନ ସେନା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆତଙ୍କବାଦୀଙ୍କ ଚରାଭୂଇଁ ପାଲଟିଛି ପାକିସ୍ତାନ। ବର୍ତ୍ତମାନ ପାଇଁ ପାକିସ୍ତାନର ଆତଙ୍କବାଦୀ ଏବଂ ସୈନ୍ୟ ଶିବିର ଉପରେ ଜବାବୀ କାର୍ଯ୍ୟାନୁଷ୍ଠାକୁ ସ୍ଥଗିତ ରଖାଯାଇଛି। ପାକିସ୍ତାନର ପ୍ରତିଟି ଆଚରଣ ଉପରେ ନଜର ରହିଛି। ଯଦି ପାକିସ୍ତାନ ନସୁଧୁରେ, ତେବେ ଏହାର କଡ଼ା ଜବାବ ଦେବା ପାଇଁ ପ୍ରସ୍ତୁତ ରହିଛି ଭାରତ।

ସେ କହିଛନ୍ତି, ଭାରତର ତିନି ସେନା ଏୟାରଫୋର୍ସ, ଆର୍ମୀ, ନେଭି, ବିଏସଏଫ ଏବଂ ଭାରତର ଅର୍ଦ୍ଧ ସାମରିକ ବଳ ଲଗାତର ଆଲର୍ଟ ରହିଛନ୍ତି। ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍ ପରେ ଏବେ ‘ଅପରେସନ ସିନ୍ଦୂର’ ଆତଙ୍କବାଦ ବିରୋଧରେ ଭାରତର ନୀତି।  

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଅପରେସନ ସନ୍ଦୂର ସମୟରେ ସାରା ବିଶ୍ଵ ପାକିସ୍ତାନର ଅସଲ ଚେହେରା ଦେଖିଲା। ନିହତ ଆତଙ୍କବାଦୀଙ୍କ ବିଦାୟ ସମୟରେ ପାକିସ୍ତାନ ସେନାର ବଡ଼ ବଡ଼ ଅଧିକାରୀ ସାମିଲ ହେଲେ। ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେବା ଏହା ସବୁଠାରୁ ବଡ଼ ପ୍ରମାଣ ବୋଲି ମୋଦୀ କହିଛନ୍ତି।

ଭାରତ ଏବଂ ତା’ର ନାଗରିକମାନଙ୍କୁ ଯେକୌଣସି ସଙ୍କଟରୁ ସୁରକ୍ଷା ଦେବାକୁ ନିରନ୍ତର ଚେଷ୍ଟା ଜାରି ରଖିଛୁ ଏବଂ ଆଗକୁ ମଧ୍ୟ ଜାରି ରହିବ।

‘ଅପରେସନ ସିନ୍ଦୂର’ ସମୟରେ ସାରା ବିଶ୍ଵ ଆମ ମେଡ ଇନ୍ ଇଣ୍ଡିଆ ଅସ୍ତ୍ରଶସ୍ତ୍ରର ଦମ୍ ଦେଖିଲା। ସବୁ ପ୍ରକାର ଆତଙ୍କବାଦ ବିରୋଧରେ ଦେଶବାସୀ ଏକଜୁଟ ରହିବା ଆମ ଏକତାର ସବୁଠାରୁ ବଡ଼ ଶକ୍ତି। ଏ ଯୁଗ ଯୁଦ୍ଧ ପାଇଁ ନୁହେଁ, କିନ୍ତୁ ଆତଙ୍କବାଦର ମଧ୍ୟ ନୁହେଁ ବୋଲି ପ୍ରଧାମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି, “ପାକିସ୍ତାନ ଖୁଆଇ ପିଆଇ ଯେଉଁ ଆତଙ୍କବାଦୀଙ୍କୁ ପାଳୁଛି, ଦିନେ ସେଇମାନେ ହିଁ ପାକିସ୍ତାନର ସର୍ବନାଶ କରିଦେବେ। ନିଜକୁ ବଞ୍ଚାଇବା ପାଇଁ ହେଲେ ପାକିସ୍ତାନକୁ ଆତଙ୍କବାଦୀ ଭିତ୍ତିଭୂମିକୁ ମୂଳରୁ ଉପାଡ଼ିବାକୁ ପଡ଼ିବ।

ପାକିସ୍ତାନ ଉଦ୍ଦେଶ୍ୟରେ ପ୍ରଧାମନ୍ତ୍ରୀ କହିଛନ୍ତି, ଟେରର ଓ ଟ୍ରେଡ ଏକା ସାଥିରେ ଚାଲିପାରିବ ନାହିଁ। ପାଣି ଏବଂ ରକ୍ତ ଗୋଟିଏ ଧାରରେ ବହି ପାରିବ ନାହିଁ। ଯଦି ପାକସ୍ତାନ ସହ ଆଲୋଚନା ହେବ କେବଳ ଆତଙ୍କବାଦ ଏବଂ ପାକ ଅଧିକୃତ କାଶ୍ମୀର (ପିଓକେ) ପ୍ରସଙ୍ଗକୁ ନେଇ ଆଲୋଚନା ହେବ ବୋଲି ସେ କହିଛନ୍ତି।

Tags: #OperationSindoor #PMNarendraModi #India #Pakistan #PahalgamAttack

Comment