ବାଲେଶ୍ୱରରୁ କୃଷ୍ଣକୁମାର ମହାନ୍ତି

ପରିଣତ ବୟସରେ ବାଲେଶ୍ୱର ସହରର ପଢ଼ୁଆଁପଦା ଛକରେ ଏକ ଭଡ଼ାଘରେ ଏକାକୀ ଜୀବନ ବିତାଉଛନ୍ତି ଓଡ଼ିଆ ସାହିତ୍ୟର ବର୍ଷିଆନ୍ କବି ଶୁଭେନ୍ଦୁ ମୋହନ ଦାସ। କବିତା ଓ ଅନୁବାଦ ସାହିତ୍ୟ ପାଇଁ କରିଥିବା ସଂଘର୍ଷ ସମ୍ପର୍କରେ ‘ଓଡ଼ିଶାଲାଇଭ୍‌’ ସହ ସେ ତାଙ୍କର ଅତୀତର ସ୍ମୃତି ବାଣ୍ଟିଛନ୍ତି।

“ମୋ ଭିତରେ ସାହିତ୍ୟ ଆସିଛି କାହା ପ୍ରେରଣାରେ ନୁହେଁ, ମୋର ପଢ଼ାପଢ଼ିରୁ। ଏହାଛଡ଼ା ଆପଣ କହିପାରନ୍ତି ମୋ ମାଆଙ୍କ ସୂତ୍ରରୁ। ମୋ ମାଆ ଗୋଟେ ଲିରିକାଲ୍ ପୋଏମ୍ ଲେଖିଥିବା କଥା ମୁଁ ବହୁତ ଦିନ ପରେ, ୧୯୯୨ରେ ବାଲେଶ୍ୱର ଆସିବା ପରେ ଜାଣିବାକୁ ପାଇଲି । ଭାବୁଛି ମାଆଙ୍କ ଭିତରେ ଅନାବିଷ୍କୃତ ହୋଇ କବିତା ଥିଲା, ପରେ ତାହା ଗୁଣସୂତ୍ରରେ ମୋ ପାଖକୁ ଆସିଛି। କିନ୍ତୁ ସଚେତନ ଭାବରେ କେହି ମୋତେ ଏ ଦିଗରେ ପ୍ରେରିତ କରି ନାହାନ୍ତି ”, ଏହା ହେଉଛି ଓଡ଼ିଆ ସାହିତ୍ୟର ବର୍ଷିଆନ୍ କବି ଶୁଭେନ୍ଦୁ ମୋହନ ଦାସଙ୍କ ମତ।

ପଚାଶ ବର୍ଷ ଧରି ଗୋଟିଏ ଭଡ଼ା ଘରେ ରହି ଆସିଛନ୍ତି ଏଇ ଅଭିମାନୀ କବି ଓ ଅନୁବାଦକ ଜଣକ।  ବାଲେଶ୍ୱର ସହରର ପଢ଼ୁଆଁପଦା ଛକରେ ରହୁଥିବା ଏଇ ଘର ହିଁ ତାଙ୍କ ସୃଜନର ସାକ୍ଷୀ।

ଜୁନ୍ ୨୫ ତାରିଖ, ୧୯୩୬ ମସିହାରେ ବାଲେଶ୍ୱର ଜିଲ୍ଲା କୁପାରୀ ନିକଟସ୍ଥ ଓସ୍ତପାଳ ଗ୍ରାମରେ ଜନ୍ମ ତାଙ୍କର। ତେବେ ବାପା ଆଡଭୋକେଟ୍ ଥିବାରୁ ଆନନ୍ଦପୁରରେ କଟିଛି ପିଲାଦିନ। ବାପା ତାଙ୍କର ସ୍ୱାଧୀନତା ପୂର୍ବରୁ କଲିକତାରେ ଓକିଲାତି ପ୍ରାକ୍ଟିସ୍ କରି ୧୯୪୭ରେ ଆନନ୍ଦପୁର ପଳେଇ ଆସନ୍ତି। ଏଣୁ ଶୁଭେନ୍ଦୁ ମୋହନଙ୍କ ଅଷ୍ଟମ ପର୍ଯ୍ୟନ୍ତ ପାଠପଢ଼ା ଆନନ୍ଦପୁରରେ ହୋଇଛି । ପରେ ନବମ, ଦଶମ ଓ ଏକାଦଶ ଶ୍ରେଣୀ ପଢ଼ିଲେ ମାମୁଁଘରେ ରହି କଟକ ମାରୁଆଡ଼ି ହାଇସ୍କୁଲରେ। ତା’ପରେ ରେଭେନ୍ସା କଲେଜରେ ଦୁଇ ବର୍ଷ ଆଇଏସ୍‌ସି ପଢ଼ିଲେ। ସେଇ ସମୟରେ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଶୁଭେନ୍ଦୁ ମୋହନଙ୍କ ବାପା ଆଡଭୋକେଟ୍ ଲଳିତ ମୋହନ ଦାସ ୧୯୫୮ରେ ବାଲେଶ୍ୱର ଚାଲି ଆସିଲେ। ସେତେବେଳେ ନୂଆବଜାରରେ ଭଡ଼ା ଘରେ ରହିଲେ ସେ।

ପରେ ବାଲେଶ୍ୱରକୁ ଆସିଲେ ଶୁଭେନ୍ଦୁ ମୋହନ। ଏଠାରେ ସେ ଫକୀରମୋହନ କଲେଜରେ ବି.ଏ. ପଢ଼ିଲେ। ଅର୍ଥନୀତି ଅନର୍ସ ନେଇ ସେ ୧୯୬୧ରେ ସ୍ନାତକ ଶିକ୍ଷା ଶେଷ କଲେ। ୧୯୬୦ରେ ବି.ଏ. ପରୀକ୍ଷା ଡ୍ରପ୍ କରିଥିଲେ ସେ। ସେଇ ସମୟରେ ଚାକିରି ଖୋଜା ଆରମ୍ଭ ହେଲା। କଲେକ୍ଟୋରେଟରେ ଗୋଟେ ଇଂଟରଭିୟୁ ପାଇଁ ସୁଯୋଗ ପାଇଥିଲେ। ନାଏବ୍ ତହସିଲଦାର ପୋଷ୍ଟରେ ସିଲେକ୍ଟ ହେଲେ। କିନ୍ତୁ ବାଲେଶ୍ୱର ବାହାରକୁ ଯିବାକୁ ଅମଙ୍ଗ ହେବାରୁ ତାଙ୍କୁ ବାଲେଶ୍ୱର କଲେକ୍ଟୋରେଟ୍ ଅଧୀନସ୍ଥ ରେଭିନ୍ୟୁ ଅଫିସ୍ (ସେତେବେଳେ ଇଂଲିଶ୍ ଅଫିସ୍ କୁହା ଯାଉଥିଲା)ରେ ଏକ କ୍ଲରିକାଲ୍ ପୋଷ୍ଟରେ ଚାକିରି ମିଳିଲା। ଚାକିରି କରୁଥିବା ସମୟରେ ବାଲେଶ୍ୱର ଟାଉନ ହାଇସ୍କୁଲର ପ୍ରଧାନଶିକ୍ଷକ ଫଣିନ୍ଦ୍ର ନାଥ ଦାଶଙ୍କ ସହ ପରିଚୟ ହେଲା। ଦୟାନିଧି ସାର୍ ଥରେ ବି.ଏ. ପରୀକ୍ଷା ଦେବା ପାଇଁ ଛୁଟିରେ ରହିବେ ବୋଲି ତାଙ୍କ ବଦଳରେ ଶୁଭେନ୍ଦୁ ମୋହନଙ୍କୁ ଚାରିମାସ ଶିକ୍ଷକ ଭାବେ ରହିବାକୁ ପଡ଼ିଥିଲା। ଏହି ସମୟରେ ପାଠ ପଢ଼ାଇବା ପ୍ରତି ଶୁଭେନ୍ଦୁମୋହନଙ୍କ ନିଷ୍ଠାକୁ ଦେଖିଥିଲେ ପ୍ରଧାନଶିକ୍ଷକ ଫଣିନ୍ଦ୍ର ସାର୍।

“ଦିନେ ଫଣିନ୍ଦ୍ର ସାର୍ ମୋ ଅଫିସକୁ ଆସିଥାନ୍ତି ତାଙ୍କ ସ୍କୁଲ ମାଗାଜିନ୍ ଟାଇଟିଲ୍ ଆପ୍ରୁଭାଲ୍ କାମରେ। ମୁଁ ତାଙ୍କ କାମଟି କରିଦେବା ପରେ ପରେ ସେ ହିଁ ମୋତେ କହିଥିଲେ, ଆପଣ ଶିକ୍ଷକତା କରିବେ ଯଦି ଆମ ସ୍କୁଲରେ ଜଏନ୍ କରନ୍ତୁ। ଏଠି ଶିକ୍ଷକ ହେଲେ ଆପଣ ଏମ.ଏ. ପରୀକ୍ଷାଟି ମଧ୍ୟ ଦେଇ ପାରିବେ ।”

ଶିକ୍ଷକ ହେବାର ଇଚ୍ଛାରେ ହେଉ କି ଆଉ କିଛି କାରଣରୁ , ଶୁଭେନ୍ଦୁ ମୋହନ ଯଥାଶିଘ୍ର ଇଂଲିଶ୍ ଅଫିସରେ ସେ କିରାଣୀ ଚାକିରି ଛାଡ଼ିଦେଲେ। ସେଇଟା ତାଙ୍କ ଜୀବନର ଗୋଟେ ବଡ଼ ଭୁଲ୍ ବୋଲି ଆଜି ସେ କହନ୍ତି । କାରଣ ଚାକିରିଟା ଛାଡ଼ିନଥିଲେ ଆଜି ସେ ଜଣେ ପଦବୀଧାରୀ ସରକାରୀ ଅଫିସର୍ ଭାବେ ଅବସର ଜୀବନ ବିତାଉଥାନ୍ତେ। ତେବେ ଆଉ ଗାଟେ ଉପକାର ବି ହେଲା। ଶିକ୍ଷକତା କରିବା ଫଳରେ ପଢ଼ାପଢ଼ିରେ ମନଦେଲେ ଓ ତାହା ତାଙ୍କୁ ସାହିତ୍ୟର ନିକଟତର କରେଇଲା।

୧୯୪୮ ମସିହାରେ ସେତେବେଳର ପ୍ରମୁଖ ଓଡ଼ିଆ ପତ୍ରିକା ‘ଡଗର’ରେ ପ୍ରକାଶ ପାଇଲା ଶୁଭେନ୍ଦୁ ମୋହନଙ୍କ କବିତା। ‘ଡଗର’ରେ ପ୍ରକାଶିତ ହେବା ପରେ ତାଙ୍କୁ ଖୁସି ଲାଗିଥିଲା। ତେବେ କଲିକତାରୁ ସେତେବେଳେ ପ୍ରକାଶ ପାଉଥିବା ‘ସମାବେଶ’ର ସମ୍ପାଦକ ଜଗଦୀଶ ପାଣିଙ୍କୁ ଦେଖା କରି କବିତା ଦେଇ ଆସିବା ପରେ ପ୍ରକାଶ ପାଇଥିଲା ତାଙ୍କ କବିତା । ‘ସମାବେଶ’ରେ କବିତା ପ୍ରକାଶ ପାଇବା ପରେ ଶୁଭେନ୍ଦୁ ମୋହନଙ୍କୁ କବି ଭାବରେ ଖ୍ୟାତି ମିଳିବା ଆରମ୍ଭ ହେଲା।

ବି.ଏ. ପଢ଼ୁଥିବା ବେଳୁ ସାହିତ୍ୟ ପଢ଼ିବାର ଅଭ୍ୟାସ ଆରମ୍ଭ ହୋଇ ଯାଇଥିଲା। ସେତେବେଳେ ଶୁଭେନ୍ଦୁ ମୋହନ ଡାକରେ ମଗାଉଥାନ୍ତି ଗୁରୁପ୍ରସାଦ, ରାଧାମୋହନ, ରମାକାନ୍ତ ପ୍ରଭୃତିଙ୍କ ବହି। ଟିଉସନ୍ କରିବା ସହ ସଂଧ୍ୟାରେ ନୂଆବଜାର ସ୍ଥିତ ଏକ ପବ୍ଲିକ ପାଠାଗାରରେ ଲାଇବ୍ରେରିଆନ୍ ଭାବେ ୧୫ ଟଙ୍କା ବେତନ ପାଉଥିବା ଶୁଭେନ୍ଦୁ ମୋହନ ବହି ଓ ପତ୍ରିକା କିଣାରେ ସାରି ଦେଉଥିଲେ ଏସବୁ ପଇସା।

କବି ବ୍ରଜନାଥ ରଥଙ୍କ ସମସାମୟିକ ଶୁଭେନ୍ଦୁ ମୋହନଙ୍କର ‘ସବୁ ଶବ୍ଦ ହଜିଯାଏ’ ଶୀର୍ଷକରେ ଗୋଟିଏ ମାତ୍ର କବିତା ବହି ପ୍ରକାଶ ପାଇଛି, ଯେଉଁଥିରେ ୧୯୬୦ରୁ ୧୯୯୧ ପର୍ଯ୍ୟନ୍ତ ଲେଖା ହୋଇଥିବା କବିତା ମଧ୍ୟରୁ ଚୟନିତ ୫୧ଟି କବିତା ସ୍ଥାନିତ ହୋଇଛି। ତାଙ୍କର ଅସଂଖ୍ୟ କବିତା ମୂଲ୍ୟାୟନ ହୋଇପାରିନାହିଁ କି ସଂକଳନ ହୋଇ ପାରିନାହିଁ। ବିଭିନ୍ନ କାରଣରୁ ଲେଖାଲେଖି ପ୍ରତି ସ୍ପୃହା ନ ଆସିବାରୁ ଶୁଭେନ୍ଦୁମୋହନଙ୍କ ସୃଜନ ସ୍ରୋତଟି କ୍ରମଶଃ ମନ୍ଥର ହୋଇଗଲା। ତାଛଡ଼ା ସମ୍ପାଦକମାନଙ୍କୁ ନେହୁରା ହେବାକୁ ନାପସନ୍ଦ କରୁଥିବା ଶୁଭେନ୍ଦୁମୋହନ ଦାସଙ୍କୁ ଧିରେ ଧିରେ ଓଡ଼ିଆ ସାହିତ୍ୟ ଭୁଲିବା ଆରମ୍ଭ କଲା।

ଦିନଥିଲା ଡଗର, ସମାବେଶ, ଆସନ୍ତାକାଲି, ନବରବି ଓ ଝଙ୍କାର ଭଳି ମାନ୍ୟତାପ୍ରାପ୍ତ ଓଡ଼ିଆ ପତ୍ରିକାକୁ ସମୃଦ୍ଧ କରିଥିଲେ ଏଇ କବି ଜଣକ। ଏବେ ନିଜଘର ଭିତରେ ଏକା ଏକା ସେ ଖୁବ୍ ଅସହାୟ ଦିଶନ୍ତି। ପତ୍ନୀ ଆନନ୍ଦଲତା ମହାନ୍ତି ୨୦୧୫ରେ ସ୍ୱର୍ଗାରୋହଣ କରିବା ପରେ ଏକମାତ୍ର ଝିଅ ରଂଜିତା ବାହା ହୋଇ ଦୂରରେ ଥିବା କାରଣରୁ ସଂପୂର୍ଣ୍ଣ ଏକା ହୋଇଯାଇଛନ୍ତି କବି।

କାହିଁକି କବିତା ଲେଖା ଠାରୁ ଦୂରେଇ ରଖିଲେ ନିଜକୁ? ଏ ପ୍ରଶ୍ନର ଉତ୍ତର ଦେଇ ସେ କୁହନ୍ତି, “ଅନେକ କାରଣ ରହିଛି ଏହା ପଛରେ। ସେ ସବୁକୁ ଉଖାରିବାକୁ ଚାହୁଁନାହିଁ । ଅନେକ ଅଦୃଶ୍ୟ ଶକ୍ତି ବି ମୋ ବିରୋଧରେ କାମ କରିଛନ୍ତି। ନିଜକୁ ପବ୍ଲିସାଇଜ କରିବା ଠୁଁ ବହୁତ ଦୂରରେ ମୁଁ। ଏଇସବୁ କାରଣରୁ ମୁଁ ଆପେ ହିଁ ନିରବି ଯାଇଛି,” କୁହନ୍ତି ଶୁଭେନ୍ଦୁ ମୋହନ।

ବିଭିନ୍ନ ପରିସ୍ଥିତି ଓ ସମୟର ପ୍ରତିରୂପକୁ ଏକ ଶାଣିତ ତୀର୍ଯ୍ୟକରେ ଶବ୍ଦାୟିତ କରୁଥିବା ତାଙ୍କ କବିତା ବୌଦ୍ଧିକ କ୍ଲିଷ୍ଟତାରୁ ମୁକ୍ତ । ଶବ୍ଦ ଚୟନରେ ବେଶ୍ ସଚେତନ ଏ କବିଙ୍କ ଅନେକ କବିତାରେ ଥାଏ ମିଷ୍ଟିକ୍ ଓ ସାଟାୟାର୍ ର ମୃଦୁ ସ୍ପର୍ଶ । ସେକ୍ସପିଓରଙ୍କ ନାଟକ ‘ମେକ୍ ବେଥ୍’କୁ ଅନୁବାଦ କରିଥିବା ଏଇ କବି ଜଣକ ଏବେ ବାର୍ଦ୍ଧକ୍ୟର ଏକାକୀତ୍ୱରେ ବଞ୍ଚୁଛନ୍ତି।

Comment