ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱର: ବିଶିଷ୍ଟ ନାଟ୍ୟକାର ପୁରୁଷୋତ୍ତମ ଭୂୟାଁଙ୍କର ଶନିବାର ରାତିରେ ହୃଦଘାତରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ବାଲେଶ୍ବର ପଢୁଆଁପଦା ସ୍ଥିତ ତାଙ୍କ ବାସଭବନରେ ଶୋଇଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ସେ। ଡାକ୍ତର ପ୍ରଫୁଲ୍ଲ ଆଚାର୍ଯ୍ୟ ତାଙ୍କ ଘରକୁ ଆସି ଚିକିତ୍ସା କରିବା ବେଳକୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପୁଅ ସଂଗୀତଶେଖର, ଝିଅ କାବ୍ୟଶ୍ରୀ, ଜ୍ୱାଇଁ ଏବଂ ପତ୍ନୀ ରାସମଣି ପ୍ରଭୃତି ଉପସ୍ଥିତ ଥିଲେ। ବାଲେଶ୍ୱରସ୍ଥିତ ମୁକ୍ତିଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା, ସମାଜସେବୀ ସୁବାସିନୀ ଜେନା, ବି୍ରଟ୍ ଅଧ୍ୟକ୍ଷ ଗୌରୀ କୁମାର ରାଉତ, କବି ଉତ୍ପଳ ମହାନ୍ତି, ରେମୁଣା ବିଧାୟକ ଗୋବିନ୍ଦ ଦାସ, ହିମାଂଶୁ ଦାସ, ମଦନମୋହନ ଦତ୍ତ, କବି ଶ୍ରୀଦେବ, କବି ସିତାଂଶୁ ଲେଙ୍କା ପୁରୁଷୋତ୍ତମଙ୍କ ଶେଷ ଦର୍ଶନ କରିଥିଲେ।

୧୯୪୫ ମସିହାରେ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧୀନସ୍ଥ ନରଣପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ପୁରୁଷୋତ୍ତମ।୧୯୭୫ ମସିହାରୁ ବାଲେଶ୍ୱର ସହରର ପଢୁଆଁପଦାଠାରେ ସେ ରହି ଆସୁଥିଲେ। ଖ୍ରୀଷ୍ଟିୟାନ ହାଇସ୍କୁଲରୁ ସହକାରୀ ପ୍ରଧାନ ଶିକ୍ଷକ ଭାବରେ ଅବସର ଗ୍ରହଣ କରିବା ପରେ ବର୍ଷିୟାନ ନାଟ୍ୟକାର ଭାବେ ସେ ଜଣାଶୁଣା ଥିଲେ।

ପ୍ରାୟ ଷାଠିଏରୁ ଊର୍ଦ୍ଧ୍ବ ନାଟକ ଲେଖିଥିବା ଏହି ଲେଖକଙ୍କୁ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଥିବା ବେଳେ ସେ ଇଣ୍ଟରନ୍ୟାସନାଲ ଥିଏଟର ମୁଭମେଣ୍ଟ  ସହ ସଂପୃକ୍ତ ଥିଲେ। ବାଲେଶ୍ୱର ‘ବିନ୍ଦୁବଳୟ’ ନାଟ୍ୟାନୁଷ୍ଠାନର ସେ ହେଉଛନ୍ତି ପ୍ରତିଷ୍ଠାତା।

Comment