ଓଡ଼ିଶାଲାଇଭ୍ ବ୍ୟୁରୋ

- ଦଳୀୟ ନିଷ୍ପତ୍ତିର ପ୍ରତିବାଦ କଲେ ବୈଜୟନ୍ତ
- ଆଇ ଆମ୍ ସକ୍ଡ ଆଟ୍ ଦିସ୍ ନ୍ୟୁଜ୍: ବୈଜୟନ୍ତ
- ପୁଣି ଉଠାଇଲେ ଆଇଏଏସ୍ ଅଫିସରଙ୍କ ନାଁ
- “ଷଡ଼ଯନ୍ତ୍ର କରୁଛନ୍ତି ଏହି ଆଇଏଏସ୍ ଅଫିସର”
- “ଆଇ ଉଇଲ୍ ପ୍ରେ ଟୁ ଜଗନ୍ନାଥ ଫର୍ ଗାଇଡାନ୍ସ ବିଫୋର୍ ଆଇ ରେସପଣ୍ଡ ଫର୍ଦର୍”
“ଆଇ ଆମ୍ ସକ୍ଡ ଆଟ୍ ଦିସ୍ ନ୍ୟୁଜ୍। ଭେରି ଭେରି ସ୍ୟାଡ”- ଦଳରୁ ନିଲମ୍ବିତ ହେବା ପରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ସୋସିଆଲ ମିଡିଆରେ ରଖିଛନ୍ତି ତାଙ୍କର ପ୍ରତିକ୍ରିୟା।
ବୈଜୟନ୍ତ ଟୁଇଟ୍ କରି ଯାହା ଲେଖିଛନ୍ତି ତାହାର ମର୍ମ ହେଲା ଯେ, ତାଙ୍କ ବିରୋଧରେ ଏହା ଏକ ପ୍ରକାର ଷଡ଼ଯନ୍ତ୍ରର ଆଉ ଏକ ଅଧ୍ୟାୟ। ଏହି ଷଡ଼ଯନ୍ତ୍ର କରୁଛନ୍ତି ଜଣେ ଆଇଏଏସ୍ ଅଫିସର। ସଂପୃକ୍ତ ଆଇଏସ୍ ଅଫିସର ଦଳକୁ ଏକ ପ୍ରକାର ନିୟନ୍ତ୍ରଣ କରୁଛନ୍ତି।
ବୈଜୟନ୍ତ ଦଳର ଏହି ନିଷ୍ପତ୍ତିକୁ ଗ୍ରହଣ କରି ନାହାନ୍ତି। ସେ ପ୍ରତିବାଦ କରି ଲେଖିଛନ୍ତି ଯେ “ମୁଁ ଏହି ଅଭିଯୋଗକୁ ସିଧାସଳଖ ଖଣ୍ଡନ କରୁଛି। ଏହା ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ।”
ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଉଥିବା ମୋ ନେତା ଜାଣି ପାରିଲେ ନାହିଁ ବୋଲି ବୈଜୟନ୍ତ କହି ଆସୁଥିଲେ।
“ଆଇ ଉଇଲ୍ ପ୍ରେ ଟୁ ଜଗନ୍ନାଥ ଫର୍ ଗାଇଡାନ୍ସ ବିଫୋର୍ ଆଇ ରେସପଣ୍ଡ ଫର୍ଦର୍”, ବୈଜୟନ୍ତଙ୍କ ସଂକ୍ଷିପ୍ତ ପ୍ରତିକ୍ରିୟାର ଏହା ହେଉଛି ଶେଷ ଧାଡ଼ି।
ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶ୍ନ ପଚାରିବା ଏବଂ ଉତ୍ତର ଦେବାରେ ଧୂରନ୍ଧର ବୈଜୟନ୍ତ। ପାର୍ଟି ସୁପ୍ରିମୋଙ୍କ ସହ ତାଙ୍କ ସମ୍ପର୍କ ତିକ୍ତ ହେବା ଦିନଠାରୁ ସେ ସୋସିଆଲ ମିଡିଆରେ ଆହୁରି ସକ୍ରିୟ ହୋଇ ଉଠିଛନ୍ତି। ବିଜେଡି ଏକ ହାଇକମାଣ୍ଡଭିତ୍ତିକ ଦଳ ହୋଇଥିଲେ ମଧ୍ୟ ବୈଜୟନ୍ତ ଦଳର ଶୃଙ୍ଖଳାକୁ ଖାତିର୍ ନକରି ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ କାର୍ଯ୍ୟାଳୟକୁ ଲଗାତାର ଭାବେ ପ୍ରଶ୍ନବାଣ ମାରି ଚାଲିଥିଲେ।
ବୈଜୟନ୍ତ ପାଲା
ଗତ କିଛିଦିନ ଧରି ବୈଜୟନ୍ତଙ୍କୁ ନେଇ ବିଜେଡିରେ ଚାଲିଥିଲା ରିତମତ ପାଲା। ଏ ବାବଦରେ ଦଳ ମୁଖପାତ୍ରମାନେ ପ୍ରତିଥର ବୈଜୟନ୍ତଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ଶେଷରେ ମୁହଁ ଖୋଲିଥିଲେ ଚିଫ୍ ନବୀନବାବୁ।
ସେ କହିଥିଲେ ଯେ ଯେତେବେଳେ ‘ସେମାନଙ୍କୁ’ ଆଉ କୌଣସି ପ୍ରସଙ୍ଗ ମିଳେନାହିଁ ସେମାନେ ତାଙ୍କ ବିଭାଗ ଉପରେ ଆଙ୍ଗୁଠି ଉଠାନ୍ତି। ଦଳର ଶୃଙ୍ଖଳାରୁ ବାହାରି ଯାଇ ଏହିଭଳି ଅବାଟରେ ଯାଉଥିବା ଅମାନିଆ ନେତାଙ୍କ ଉପରେ ଠିକଣା ସମୟରେ ପାହାର ପଡ଼ିବ ବୋଲି ନବୀନ ସୂଚନା ଦେଇଥିଲେ। ଦେବି ଦେବି କହି ସେ ବୁଧବାର ଦିନ ଦେଇଛନ୍ତି ଏକ ଶକ୍ତ ପାହାର। ବୈଜୟନ୍ତ ଏହି ଆଘାତର କିପରି ମୁକାବିଲା କରିବେ ତାହା ଦେଖିବା କଥା।
ନବୀନଙ୍କ ଏହି ମନ୍ତବ୍ୟର ଦୁଇ ତିନି ଦିନ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ବୈଜୟନ୍ତଙ୍କ ବିରୋଧରେ ଫେରାଦ। ପ୍ରତିଦିନ ତୃଣମୂଳ ସ୍ତରର ନେତା ଓ କର୍ମୀ ଆସ ନବୀନଙ୍କ ନିକଟରେ ଅଭିଯୋଗ କରୁଥିଲେ ଯେ ବୈଜୟନ୍ତ ଦଳର ସୁଖ ଦୁଃଖକୁ ଖାତିର କରୁ ନାହାନ୍ତି। କର୍ମୀମାନଙ୍କୁ ସାଥୀରେ ରଖୁ ନାହାନ୍ତି। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହେଉଛନ୍ତି। ଏହି ଅଭିଯୋଗ ତାଲିକା ମଙ୍ଗଳବାର ପର୍ଯ୍ୟନ୍ତ ଲମ୍ବି ଚାଲିଥିଲା। ଶେଷରେ ନବୀନ ବୈଜୟନ୍ତଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛନ୍ତି।
ଗୋଟେ ସମୟରେ ସାଂସଦ ବୈଜୟନ୍ତ ପଣ୍ଡା ଦଳର ଜଣେ ହେଭିେୱେଟ ନେତା ଭାବେ ପରିଚିତ ହେଉଥିଲେ। ରାଜ୍ୟ ଏବଂ ଜାତୀୟ ସ୍ତରରେ ବିଭିନ୍ନ କାର୍ଯ୍ରକ୍ରମରେ ତାଙ୍କୁ ଆଗ ଧାଡ଼ିରେ ଦେଖିବାକୁ ମିଳୁଥିଲା। ହେଲେ ବୈଜୟନ୍ତଙ୍କୁ ଓଭରସ୍ମାର୍ଟ ବିଚାର କରି ଦଳ ପକ୍ଷରୁ ତାଙ୍କର ପକ୍ଷଛେଦନ ଆରମ୍ଭ ହୋଇଯାଇଥିଲା। ଏହା ଜଳ ଜଳ ହୋଇ ଦିଶିଲା ଯେତେବେଳେ ନବୀନ ତାଙ୍କୁ ସଂସଦୀୟ ଦଳର ମୁଖପାତ୍ର ପଦବୀରୁ ହଟାଇଦେଲେ। ବୈଜୟନ୍ତ ଏଥିରେ ଦବି ନଯାଇ, ବରଂ ଦଳର ସୁପ୍ରିମୋଙ୍କୁ ଲକ୍ଷ୍ୟ କରି ସୋସିଆଲ ମିଡିଆରେ ତୀର ମାରି ଚାଲିଥିଲେ। ଏହି ଘଟଣାରେ ପାଣି ନାକ ଉପରକୁ ଯାଇଥିଲା ଯେତେବେଳେ ବୈଜୟନ୍ତ ଖୋଲାଖୋଲି ଥାର୍ଡ ଫ୍ଲୋର ବା ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ବିରୋଧରେ ଯୁଦ୍ଧ ଘୋଷଣା କଲେ।
ଗତ କିଛିଦିନ ତଳେ ବୈଜୟନ୍ତଙ୍କ ସହ ସ୍ୱର ମିଳାଇଥିଲେ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆର ସିଂହ। ସେ ମଧ୍ୟ କହିଥିଲେ ଯେ ବିଜେଡିକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସର ଜଣେ ‘ତାମିଲ୍ ବାବୁ’ ନିୟନ୍ତ୍ରଣ କରୁଛନ୍ତି। ରମାରଞ୍ଜନଙ୍କ ମାମଲାକୁ ଆଧାରକରି ବୈଜୟନ୍ତଙ୍କ ମାଲିକାନାରେ ଥିବା ଟିଭି ଚ୍ୟାନେଲ୍ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନଙ୍କୁ ବେଶ୍ ହଲାପଟା କରିବାକୁ ନେଇ ସାଧାରଣରେ ଚର୍ଚ୍ଚା ହୋଇଥିଲା।
ବିଭିନ୍ନ ସମୟରେ ସାଂସଦ ବୈଜୟନ୍ତ ପଣ୍ଡା ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଚାଲେଞ୍ଜ ଦେଇ ଆସୁଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆଙ୍ଗୁଠି ଉଠାଇବା ସହ ଅଣଓଡ଼ିଆ ଅଫିସରଙ୍କୁ ଟାର୍ଗେଟ୍ କରିବା ପ୍ରସଙ୍ଗ ବୈଜୟନ୍ତଙ୍କ ପାଇଁ ମହଙ୍ଗା ପଡ଼ିଲା ବୋଲି ରାଜନୀତି ପଣ୍ଡିତ ବିଚାର କରୁଛନ୍ତି।








