ଓଡ଼ିଶାଲାଇଭ୍ ବ୍ୟୁରୋ

ସଂସଦରେ ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣରୁ ଏହି ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ମତ ରଖି କୋବିନ୍ଦ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ।

ଥରକୁ ଥର ନିର୍ବାଚନ ହେଉଥିବାରୁ ଦେଶର ବିକାଶରେ ବାଧା ଉପୁଜିଛି ବୋଲି ରାଷ୍ଟ୍ରପତି ନିଜ ଅଭିଭାଷଣରେ ମତ ଦେଇଛନ୍ତି। ଦେଶର ସାମାଜିକ ଓ ଆର୍ଥିକ ପରିସ୍ଥିତିକୁ ମଜବୁତ କରିବା ପାଇଁ ସରକାର କାମ କରୁଛି।୨୦୧୯ ସୁଦ୍ଧା ଭାରତକୁ ସମ୍ପୂର୍ଣ୍ଣ ସ୍ବଚ୍ଛ କରି ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ତତ୍ପର ହୋଇ ଉଠିଛନ୍ତି ସରକାର।

ବେଟି ବଚାଓ-ବେଟି ପଢାଓ ଯୋଜନା ସଫଳ

ପ୍ରଧାନମନ୍ତ୍ରୀଙ୍କ ଉଜ୍ଵଳା ଯୋଜନା ସଫଳ ହେବା ସହ ବେଟି ବଚାଓ, ବେଟି ପଢାଓ ଯୋଜନା ସଫଳ ହୋଇଛି ବୋଲି ରାଷ୍ଟ୍ରପତି ସଂସଦ ଅଧିବେଶନରେ କହିଛନ୍ତି। ଏହାସହ ତିନି ତଲାକ୍ ବିଲକୁ ଆଇନରେ ପରିଣତ କରିବା ନେଇ ସବୁ ଦଳର ସହଯୋଗ ଲୋଡିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଗର୍ଭବତୀ ମହିଳାଙ୍କ ପାଇଁ ୨୬ ସପ୍ତାହ ଛୁଟି ମଞ୍ଜୁରୀ ମିଳିଛି।

କୃଷକଙ୍କ ଆୟ ଦୁଇଗୁଣା ହେବ

କୃଷକଙ୍କ ସ୍ଵାର୍ଥ ପାଇଁ ବହୁ ଜନ ମଙ୍ଗଳ ଯୋଜନା କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଛି। ୨୦୨୨ ସୁଦ୍ଧା କୃଷକଙ୍କ ରୋଜଗାର ଦ୍ଵିଗୁଣ ବୃଦ୍ଧି ଲକ୍ଷ୍ୟ ସହ ଚାଷୀଙ୍କୁ ଶସ୍ତା ଓ ସରଳ ବୀମା ଯୋଜନା ପ୍ରସ୍ତାବ ଉପସ୍ଥାପନା କରାଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ୮୨% ଗାଁକୁ ଯୋଡିଛି ଏବଂ ୨୦୧୯ ସୁଦ୍ଧା ସବୁ ଗାଁକୁ ସଡକ ନିର୍ମାଣ ଯୋଜନା ରହିଛି।

ତୁଷ୍ଟୀକରଣ ନୁହେଁ ସଶକ୍ତିକରଣ ଉପରେ ଜୋର

ତୁଷ୍ଟୀକରଣ ନୁହେଁ ସଶକ୍ତୀକରଣ ଦ୍ଵାରା ଅଳ୍ପସଂଖ୍ୟକଙ୍କ ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଶିଖୋ ଓ କମାଓ, ଉସ୍ତାଦ୍ ଭଳି ଅନେକ ଯୋଜନାଗୁଡିକୁ କାର୍ଯ୍ୟକାରୀ କରାଯିବାର ଯୋଜନା ରହିଛି। ପ୍ରଥମଥର ପାଇଁ ମେହରମ୍ ନିୟମରେ ପରିବର୍ତ୍ତନ କରାଯାଇଛି। ନୂଆ ନିୟମ ଅନୁସାରେ ୪୫ ବର୍ଷରୁ ତଦୁର୍ଦ୍ଧ ମହିଳା ବିନା ପୁରୁଷ ସାଥୀରେ ହଜ୍ ଯାତ୍ରା କରିପାରିବେ।

ଏକକାଳୀନ ୧୪୦ଟି ସାଟେଲାଇଟ ଲଞ୍ଚ୍ କରି ଭାରତ ବିଶ୍ୱରେ ନିଜର ଦମ ଦେଖାଇଛି। ସେହିଭଳି ପ୍ରଥମଥର ପାଇଁ ଭାରତ ବିଜୁଳି ରପ୍ତାନୀ କରିଥିବା ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି। ୧୮ହଜାର ଗାଁରେ ବିଜୁଳି ପହଞ୍ଚିଛି। ଏଲଇଡି ବ୍ୟବହାର ଯୋଗୁ ୧୦ହଜାର ୟୁନିଟ ବିଦ୍ୟୁତ ଶକ୍ତି ଦେଶ ବଞ୍ଚାଇ ପାରିଥିବା ରାମନାଥ କହିଛନ୍ତି।

ଗରିବଙ୍କୁ ଘର ଦେବା ସରକାରଙ୍କ ଲକ୍ଷ୍ୟ

ଗରିବଙ୍କ ପାଇଁ ସରକାର ହାତ ଖୋଲିଦେଇଛନ୍ତି। ୬ ପ୍ରତିଶତ କମ ସୁଧରେ ଗରିବଙ୍କୁ ଘର ଋଣ ଦିଆଯିବ। ଗରିବ ଓ ମଧ୍ୟବିତଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ବୀମା କରାଯାଇଛି। ଜନ ଔଷଧୀ କେନ୍ଦ୍ରରେ ୮୦୦ ମାଗଣା ଔଷଧ ମିଳୁଛି

ଶ୍ରମିକଙ୍କ ସର୍ବନିମ୍ନ ବେତନ ୪ ପ୍ରତିଶତ ବଢିଛି ଏବଂ ଡିଜିଟାଲ ମିଶନ ଯୋଜନା ଗରିବଙ୍କ ନ୍ୟାୟ ପାଇଁ କାର୍ଯ୍ୟକରୀ ହୋଇଛି ବୋଲି ସଂସଦରେ ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି ହେବା ପରେ ସଂସଦରେ କୋବିନ୍ଦଙ୍କ ଏହା ହେଉଛି ପ୍ରଥମ ଅଭିଭାଷଣ।

Comment